ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ସହଯୋଗୀ ଭିକେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଆଜି ସନ୍ୟାସ ନେଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ ସେ ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରି ନେଉଥିବା ଘୋଷଣା କରିଛନ୍ତି । ନିର୍ବାଚନରେ ତାଙ୍କ ପାଇଁ ବିଜେଡି କ୍ଷତି ସହି ଥିବାରୁ ବିଜେଡି ପରିବାର ଓ କର୍ମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ।
ସୂଚନାଥାଉକି, ନିର୍ବାଚନ ପ୍ରଚାର ବେଳେ ଶ୍ରୀ ପାଣ୍ଡିଆନ୍ ବିଜେପିକୁ ଚାଲେଂଜ ଦେଇ କହିଥିଲେ ଯେ ଯଦି ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି ତେବେ ରାଜନୀତିରୁ ସେ ସନ୍ୟାସ ନେଇଯିବେ । ଶ୍ରୀ ପାଣ୍ଡିଆନ୍ ତାଙ୍କ କଥା ରଖିଛନ୍ତି ।
ଭିଡିଓ ବାର୍ତ୍ତାରେ କ’ଣ କହିଛନ୍ତି ପାଣ୍ଡିଆନ୍
ମୁଁ ଏକ ସାଧାରଣ ପରିବାର ଏବଂ ଛୋଟ ଗାଁରୁ ଆସିଛି । ଆଇଏଏସ୍ ରେ ଯୋଗଦେଇ ଲୋକଙ୍କ ସେବା କରିବା ମୋର ପିଲାଦିନରୁ ସ୍ୱପ୍ନ ଥିଲା । ମହାପ୍ରଭୁ ଜଗନ୍ନାଥ ଏହା ସମ୍ଭବ କରାଇଲେ । କେନ୍ଦ୍ରାପଡ଼ାରେ ମୋର ପରିବାର ଥିବାରୁ ମୁଁ ଓଡ଼ିଶା ଆସିଲି । ଓଡ଼ିଶା ମାଟିରେ ପାଦ ଦେବା ବେଳୁ ମୁଁ ଲୋକଙ୍କର ଗଭୀର ସ୍ନେହ ଓ ଭଲ ପାଇବା ପାଇଛି । ଧର୍ମଗଡ଼ରୁ ଆରମ୍ଭ କରି ରାଉରକେଲା, ମୟୁରଭଞ୍ଜ ଓ ଗଞ୍ଜାମ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବାକୁ ଚେଷ୍ଟା କରିଛି । ୧୨ ବର୍ଷ ପୂର୍ବେ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବା ମୋ ପାଇଁ ଗୌରବ ଥିଲା । ତାଙ୍କଠାରୁ ଯେଉଁ ଅନୁଭୂତି ଓ ଶିକ୍ଷା ଗ୍ରହଣ କରିଛି ତାହା ଜୀବନବ୍ୟାପୀ ରହିବ । ତାଙ୍କର କ୍ରେଜ୍, ନେତୃତ୍ୱ, ନୀତି(ଏଥିକ୍ସ) ଏବଂ ସର୍ବୋପରି ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଭଲ ପାଇବା ମୋତେ ସବୁବେଳେ ପ୍ରେରଣା ଦେଇଛି ।
ମୋଠାରୁ ତାଙ୍କର ଆଶା ଥିଲା କି ତାଙ୍କର ଭିଜନ୍ କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା । ଏବଂ ସେ ସଫଳତାର ସହ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଦାରିଦ୍ର ଦୂରୀକରଣ, କ୍ରୀଡ଼ା, ଇନଭେଷ୍ଟମେଣ୍ଟ, ମହିଳା ସଶକ୍ତିକରଣ, ଭିତ୍ତିଭୂମି, ମନ୍ଦିର ଓ ଐତିହ୍ୟ ପ୍ରକଳ୍ପ, ଯୁବବର୍ଗଙ୍କ ପାଇଁ କାମ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ବାବୁଙ୍କ ସହ କାମ କରିବା ମୋତେ ବହୁତ ଆତ୍ମସନ୍ତୋଷ ଦେଇଛି । ପିଲାଦିନେ ସରକାରୀ ସ୍କୁଲରେ ପଢ଼ିଥିବାରୁ ସେହି ଅନୁଭବ ମୋତେ ୫-ଟି ଅଧୀନରେ ସ୍କୁଲ ରୂପାନ୍ତର କାମରେ ଯଥେଷ୍ଟ ସହାୟକ ହୋଇଥିଲା । କୋଭିଡ୍ ସମୟରେ ଆମେ ୩୦ଟି ଯାକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁନିଶ୍ଚିତ କରାଇଥିଲୁ । ଏହି ସମୟରେ ଆମେ ଫନି ଏବଂ ଫାଇଲିନ୍ ଭଳି ଦୁଇଟି ମହାବାତ୍ୟାର ସାମନା କରିଥିଲୁ । ପ୍ରତିଟି ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଆମେ ବାସ୍ତବରେ ବହୁତି ପରିଶ୍ରମ କରିଥିଲୁ ।
ମୋ ମେଣ୍ଟର୍ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ପାଇଁ ମୁଁ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗଦେଲି । ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ତାଙ୍କୁ ସହଯୋଗ କରିବା, ଯେମିତି ଜଣେ ମେଣ୍ଟର କିମ୍ବା ପରିବାର ପାଇଁ କରିଥାଏ । ତାଙ୍କ ପାଇଁ ଲୋକଙ୍କ ମନରେ ଥିବା ଭଲ ଧାରଣାକୁ ଆଗକୁ ନେବାକୁ ମୁଁ ଉଦ୍ୟମ କରିଥିଲି । ମାତ୍ର କିଛି ରାଜନୈତିକ ନ୍ୟାରେଟିଭ୍ କୁ ପ୍ରଭାବୀ ଢ଼ଙ୍ଗରେ କାଉଣ୍ଟର କରିବାରେ ମୁଁ ସଫଳ ହେଲି ନାହିଁ । ମୁଁ ଆଉ ଥରେ କହିବାକୁ ଚାହେଁ ଯେ ମୁଁ ନବୀନ ପଟ୍ଟନାୟକଙ୍କୁ କେବଳ ସାହାଯ୍ୟ କରିବା ପାଇଁ ରାଜନୀତିକୁ ଆସିଥିଲି । କୌଣସି ନିର୍ଦ୍ଦିଷ୍ଟ ପଦବୀ କିମ୍ବା କ୍ଷମତା ପାଇବା ପାଇଁ ମୋର କେବେ ବି ଇଚ୍ଛା ନ ଥିଲା । ସେଥିପାଇଁ ମୁଁ ନିର୍ବାଚନରେ ପ୍ରାର୍ଥୀ ହୋଇ ନ ଥିଲି କି ବିଜେଡିରେ କୌଣସି ପଦବୀରେ ନ ଥିଲି । ବିଗତ ୧୨ ବର୍ଷ ଧରି ଓଡ଼ିଶା ଏବଂ ନବୀନ ବାବୁଙ୍କୁ ଫୋକସ୍ ରେ ରଖି ମୁଁ ବଡି ଭୋରରୁ ମଧ୍ୟରାତ୍ର ଯାଏଁ କାମ କରିବାକୁ ଚେଷ୍ଟା କରିଛି ।
ଆଜି ପର୍ଯ୍ୟନ୍ତ ମୋର ନିଜସ୍ୱ ବୋଲି କିଛି ସମ୍ପତ୍ତି ନାହିଁ । ମୋ ଜେଜେବାବାଙ୍କର ସମ୍ପତ୍ତି କୁ ମୁଁ କେବଳ ଉତ୍ତରାଧିକାରୀ ସୂତ୍ରରେ ପାଇଛି । ଏହାଛଡ଼ା ମୋର କିମ୍ବା ମୋ ନିକଟତମ ପରିବାର ସଦସ୍ୟଙ୍କର ଏଠି ନା ବିଶ୍ୱର କୌଣସିଠାରେ ବି ସମ୍ପତ୍ତି ନାହିଁ । ମୁଁ ଆଇଏଏସ୍ ଚାକିରିରେ ଯୋଗ ଦେଲା ବେଳେ ଯେଉଁ ସମ୍ପତ୍ତି ତାଲିକା ଦେଇଥିଲି ତାହା ୨୪ ବର୍ଷ ପରେ ଆଜି ବି ସମାନ ଅଛି । ମୋର ସବୁଠାରୁ ବଡ଼ ରୋଜଗାର ହେଉଛି ଓଡ଼ିଶାବାସୀଙ୍କର ସ୍ନେହ, ସଦିଚ୍ଛା ଓ ଭଲ ପାଇବା । ମୋର ରାଜନୀତିରେ ଯୋଗଦେବାର ଏକମାତ୍ର ଉଦ୍ଦେଶ୍ୟ ଥିଲା କେବଳ କେବଳ ନବୀନ ବାବୁଙ୍କୁ ସହଯୋଗ କରିବା ।
ମୁଁ ଏବେ ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରିନେଉଛି । ଏହି ଯାତ୍ରାରେ ମୁଁ କାହାକୁ ଯଦି କଷ୍ଟ ଦେଇଛି ତେବେ ସେଥିପାଇଁ ଦୁଃଖିତ । ମୋ ବିରୋଧରେ ହୋଇଥିବା କ୍ୟାମ୍ପେନ୍ ଏବଂ ନ୍ୟାରେଟିଭ୍ ଯଦି ବିଜୁ ଜନତା ଦଳର କ୍ଷତି କରିଥାଏ, ତେବେ ମୁଁ ବିଜୁ ଜନତା ଦଳର ସମଗ୍ର ପରିବାର ତଥା କର୍ମୀଙ୍କ ନିକଟରେ ସେଥିପାଇଁ କ୍ଷମା ମାଗୁଛି । ମୁଁ ମିଶିଥିବା ଲକ୍ଷ ଲକ୍ଷ ବିଜୁ ଜନତା ଦଳର ସଦସ୍ୟଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି । ମୋର ହୃଦୟରେ ଓଡ଼ିଶା ସଦାସର୍ବଦା ରହିବ ଏବଂ ମୋ ନିଶ୍ୱାସରେ ନବୀନ ବାବୁ ରହିବେ । ଓଡ଼ିଶାବାସୀ ଓ ନବୀନ ବାବୁଙ୍କ ଭଲ ଏବଂ ଉନ୍ନତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।