ଭୁବନେଶ୍ୱର: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଭବନ ଲନ୍ ରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜବାହାରଲାଲ୍ ନେହେରୁଙ୍କ ପରେ ନରେନ୍ଦ୍ର ମୋଦୀ ଲଗାତର ଭାବେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି । ମୋଦୀଙ୍କ କ୍ୟାବିନେଟର ୭୨ ସହଯୋଗୀ ସାମିଲ ହେଉଛନ୍ତି । ସେମାନଙ୍କ ମଧ୍ୟରେ ୩୦ ଜଣ କ୍ୟାବିନେଟ୍ ପାହ୍ୟା, ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଥିବା ଜଣାପଡ଼ିଛି । ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ରାଜ୍ୟସଭା ସଦସ୍ୟ ଅଶ୍ୱନୀ ବୈଷ୍ଣବ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଧର୍ମେନ୍ଦ୍ର, ଜୁଏଲ୍, ଅଶ୍ୱିନୀଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜନାଥ ସିଂହ, ଅମିତ୍ ଶାହ, ନୀତୀନ ଗଡ଼କରୀ, ଜେ.ପି. ନଡ୍ଡା, ଶିବରାଜ ସିଂହ ଚୌହାନ, ଶ୍ରୀମତୀ ନିର୍ମଳା ସୀତାରମଣମ୍, ଏସ. ଜୟଶଙ୍କର, ମନୋହର ଲାଲ ଖଟ୍ଟର, ଏଚଡି କୁମାରସ୍ୱାମୀ, ପିୟୂଷ ଗୋୟଲ, ଜିତନରାମ ମାଝୀ, ସର୍ବାନନ୍ଦ ସୋନୁୱାଲ୍, ପ୍ରହଲ୍ଲାଦ ଯୋଶୀ, ଗିରିରାଜ ସିଂହ, ଗଜେନ୍ଦ୍ର ସିଂହ ଶେଖୱତ୍, କିରେଣ ରିଜୁଜୁ, ହରଦୀପ ସିଂହ ପୁରୀ, ଚିରାଗ ପାଶୱାନ୍ ପ୍ରମୁଖ ଶପଥ ନେଇଛନ୍ତି ।
ରିପୋର୍ଟ ଲେଖା ହେଲା ବେଳକୁ ଶପଥ ଗ୍ରହଣ ଉତ୍ସବ ଜାରି ରହିଛି ।