ଭୁୁବନେଶ୍ୱର: ଫୋକସ୍ ପ୍ଲସ ୱେବ୍ ଚାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଆଜି ମହିଳା ଥାନା ପୁଲିସ ତାଙ୍କ ଝାରପଡ଼ାସ୍ଥିତ ଅଫିସରୁ ଉଠାଇ ଆଣିଛି । ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଚରିତ୍ର ସଂହାର କରିବା ଏବଂ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଲଗାତର ଆପତ୍ତିଜନକ, ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ କରୁଥିବା ଅଭିଯୋଗରେ ପୁଲିସ ତାଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି । ଏହା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନାରୁ ଜଣାପଡ଼ିଛି ।
ଏହି ମାମଲା ସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୁଧାଂଶୁ ରାଉତଙ୍କ ବିରୋଧରେ ଆଇପିସିର ୨୯୨(ଅଶ୍ଲୀଳ ପ୍ରଚାର), ୩୫୪-ଏ( ଯୌନ ନିର୍ଯ୍ୟାତନା), ୩୮୫(ଭୟଭୀତ କରାଇବା), ୫୦୬(ଅପରାଧିକ ଧମକ), ୫୦୯( ମହିଳାଙ୍କ ଇଜ୍ଜତ ଉପରେ ଆଞ୍ଚ ଆଣିବା), ୧୨୦-ବି( ଅପରାଧିକ ଷଡ଼ଯନ୍ତ୍ର) ଧାରାରେ ପୁଲିସ ମାମଲା ରୁଜୁ କରିଛି ।
ସୁଧାଂଶୁଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଅଭିଯୋଗକାରିଣୀ ଦୂତି ଚାନ୍ଦ ମହିଳା ଥାନାକୁ ଆସିଥିଲେ । ପୁଲିସର କାର୍ଯ୍ୟାନୁଷ୍ଠାନରେ ସେ ଆଶ୍ୱସ୍ତି ପ୍ରକାଶ କରିବା ସହ ଅନ୍ୟ ଦୁଇ ଅଭିଯୁକ୍ତ, ଚାନେଲ୍ ର ରିପୋର୍ଟର ସ୍ମୃତି ରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।
ଗତକାଲି ଦୂତି ଏକ ସାମ୍ବାଦିକ ସମ୍ମିଳନୀରେ ଫୋକସ୍ ପ୍ଲସ ୱେବ୍ ଚାନେଲ ସମ୍ପାଦକ ସୁଧାଂଶୁ ରାଉତ ତାଙ୍କୁ ବ୍ଲାକମେଲ୍ ଓ ବଦନାମ କରୁଥିବା ସିଧାସଳଖ ଅଭିଯୋଗ କରିଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଏହି ସମ୍ପାଦକ ବାରମ୍ବାର କୁତ୍ସାରଟନା ଓ ଲଗାତର ଭିତ୍ତହୀନ ଓ କପୋଳକଳ୍ପିତ ସମ୍ବାଦ ପରିବେଷଣ କରୁଛନ୍ତି । ଟୋକିଓ ଅଲିମ୍ପିକ୍ସ ବେଳୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ସହଯୋଗୀ ସାମ୍ବାଦିକ ସ୍ମୃତିରଞ୍ଜନ ବେହେରା ଇଭେଣ୍ଟ ଚାଲିଥିବା ବେଳେ ବାରମ୍ବାର ଧମକ ଦେଇ ମାନସିକ ଚାପ ସୃଷ୍ଟି କରିଥିବା ଦୂତି କହିଥିଲେ ।
ସେହିଭଳି ତଥାକଥିତ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଦୂତି । ନିଜକୁ ସୂଚନା ଅଧିକାରୀ କର୍ମୀ ବୋଲାଉଥିବା ଏହି ବ୍ୟକ୍ତିଜଣଙ୍କ ତାଙ୍କ ପରିବାର, ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ୍ ମିଡ଼ିଆରେ ଆକ୍ଷେପମୂଳକ ଲେଖା ପୋଷ୍ଟ କରୁଛନ୍ତି । ତାଙ୍କ ବିରୋଧରେ ଖବର ପ୍ରକାଶ କରିବାର ଧମକ ଦେଇ ନିୟମିତ ବ୍ଲାକମେଲ୍ କରୁଛନ୍ତି ବୋଲି ଦୂତି କହିଥିଲେ ।
ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏବଂ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଲଗାତର ତାଙ୍କୁ ହାରାସ୍ କରାଯାଉଥିବାରୁ ସେ ଘୋର ମାନସିକ ଚାପରେ ରହୁଛନ୍ତି । ତାଙ୍କର ସମ୍ମାନହାନୀ ହେବା ସହ ଏହା ତାଙ୍କ ଖେଳ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।
କ୍ରୀଡ଼ା ଜୀବନ ପରିବର୍ତ୍ତେ ବ୍ୟକ୍ତିଗତ ଜୀବନକୁ ନେଇ ଏମାନେ ଚର୍ଚ୍ଚା କରୁଥିବାରୁ ତାଙ୍କ ମନୋବଳ ଦୁର୍ବଳ ହେଉଥିବା କହି ଦୂତି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ । ତାଙ୍କୁ ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯିବେ ବୋଲି ଦୂତି କୋହଭରା କଣ୍ଠରେ କହିଥିଲେ ।
ଆଉ ଦୂତିଙ୍କ କାଲିର ସାମ୍ବାଦିକ ସମ୍ମିଳନୀକୁ ନେଇ ସଂପୃକ୍ତ ସମ୍ପାଦକ ସୁଧାଂଶୁ ରାଉତ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ । ଆଜି ସକାଳେ ସେ ଫେସବୁକ୍ ଲାଇଭ୍ କରି ଦୂତିଙ୍କ ବିରୋଧରେ କମ୍ପମାନ କରିଥିଲେ । ଦୂତିଙ୍କ ନାଁରେ ତାଙ୍କ ସାମ୍ବାଦିକମାନେ ସବୁ ଥାନାରେ ଏତଲା ଦେବେ ବୋଲି ଧମକ ଦେବା ସହ ୱେବ୍ ଚାନେଲ୍ ସାମ୍ବାଦିକମାନେ ଏକାଠି ହୋଇ ଦୂତିଙ୍କ ବିରୋଧରେ ଲଢ଼ିବାକୁ ଆହ୍ୱାନ ଦେଇଥିଲେ ।