ଭୁବନେଶ୍ୱର: କୋଭିଡ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଆଜି କଠୋର ପଦକ୍ଷେପ ନେଇଛନ୍ତି । ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ପୂର୍ବରୁ ୧୦ଟି ସୀମାନ୍ତ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଥିଲା । ଏଣିକି ସାରା ରାଜ୍ୟର ସହରାଞ୍ଚଳ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୨୪ ତାରିଖରୁ ଏହା ଲାଗୁ ହେବ ।
ରାଜ୍ୟରେ ଦ୍ୱିତୀୟ ଏହର କରୋନା ଭୟଙ୍କର ରୂପ ନେଲାଣି । ଗତବର୍ଷ ସେପ୍ଟେମ୍ବର ମାସରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ପ୍ରାୟ ୪୩୦୦ ଥିଲା । ମାତ୍ର ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୫ ରେ ପହଞ୍ଚିଛି । ଯାହାକି ଗଭୀର ଚିନ୍ତାର ବିଷୟ । ବଡ଼କଥା ହେଲା, ଏଥର ଯୁବବର୍ଗ ଓ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି ଏସଆରସି । ସପ୍ତାହାନ୍ତ ସଟଡାଉନ୍ ରେ ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ନାହିଁ ।
ଅନ୍ୟପକ୍ଷରେ ବାହାଘରରେ ୫୦ ଜଣଙ୍କ ତାଲିକା କର୍ତ୍ତୃପକ୍ଷଙ୍କୁ ଦେବା ବାଧ୍ୟତାମୂଳକ କରାଯାଇଛି । ଏହାର ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ସେହିଭଳି ବାହାଘର ଶୋଭାଯାତ୍ରା ହେଲେ ବାଜା, ବ୍ୟାଣ୍ଡ ପାର୍ଟି, ଲାଇଟ୍, ସାଉଣ୍ଡ ସିଷ୍ଟମ୍ ଆଦି ଜବତ କରାଯିବ ଏବଂ ଆୟୋଜକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ୨୧ ତାରିଖରୁ ଏହି କଟକଣା ଲାଗୁ ହେବ ।
ସପ୍ତାହାନ୍ତ ସଟଡାଉନ୍ ରେ କେଉଁମାନେ କଟକଣାମୁକ୍ତ
– ହସ୍ପିଟାଲ୍, ନର୍ସିଂ ହୋମ୍, ଔଷଧ ଦୋକାନ, ଆମ୍ବୁଲାନସ୍, ହସ୍ପିଟାଲ୍ କର୍ମଚାରୀଙ୍କ ଯାତାୟତ
– ଜିଲ୍ଲା ଏବଂ ମ୍ୟୁନିସିପାଲ୍ ପ୍ରଶାସନ,ପୁଲିସ, ଅଗ୍ନିଶମ ସେବା
– କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ ସେବା
– ଟେଲିକମ୍ ସେବା, ପେଟ୍ରୋଲ୍ ପମ୍ପ, ଏଲପିଜି ବିତରଣ
– ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ମିଡ଼ିଆ ସାମ୍ବାଦିକ
– ଜଳଯୋଗାଣ, ପରିମଳ ଏବଂ ସ୍ୱେରେଜ୍ କର୍ମଚାରୀ
– ବିଦ୍ୟୁତ ଯୋଗାଣ ଏବଂ ବିତରଣ
– ପରିବହନ ସାମଗ୍ରୀ
– ଶିଳ୍ପସଂସ୍ଥା, ଫ୍ୟାକ୍ଟରୀ ଏବଂ ନିର୍ମାଣ କାର୍ଯ୍ୟ
– କୃଷି, ପଶୁ, ମତ୍ସ୍ୟପାଳନ ସମ୍ପର୍କିତ କାର୍ଯ୍ୟ
– ହୋଟେଲ, ଆଇଟି
– ରେଳ ଏବଂ ବିମାନ ପରିବହନ
– ଜାତୀୟ ରାଜପଥରେ ଯାତାୟତ
– ବିମାନବନ୍ଦର, ରେଳଷ୍ଟେସନ୍ ଏବଂ ବସଷ୍ଟାଣ୍ଡକୁ ସାଧାରଣ ପରିବହନ, ଘରୋଇ ଏବଂ ଟାକ୍ସି ଗାଡ଼ି ଚଳାଚଳ
– ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ
– ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି
– ରାସ୍ତାକଡ଼ ଢ଼ାବା(ସେଠି ଖାଇବା ପାଇଁ ଅନୁମତି ନାହିଁ)
– କ୍ଷୀର ବୁଥ୍
– ଖାଦ୍ୟ ଏବଂ ଗ୍ରୋସୋରି ଦୋକାନ(କେବଳ ହୋମ୍ ଡେଲିଭରି ପାଇଁ)
– ୫ଟାରୁ ୮ଟା ଯାଏଁ ଖବରକାଗଜ ହକରଙ୍କୁ ଅନୁମତି