ନୂଆଦିଲ୍ଲୀ/ଭୁୁବନେଶ୍ୱର: ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ମିଳିବ କରୋନା ଟିକା । ଟିକାକରଣର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । ଆଜି ଡାକ୍ତରମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଣିକି ଟିକା ବଜାରରେ ଉପଲବ୍ଧ ହେବ । ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଥିଲେ । ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଏହାଦ୍ୱାରା ସବୁ ରାଜ୍ୟ ଉପକୃତ ହେବେ ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଉତ୍ପାଦନକାରୀ ସଂସ୍ଥା କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ ଏବଂ ବାକି ୫୦ ପ୍ରତିଶତ ଟିକା ଖୋଲା ବଜାରରେ ମିଳିବ । ପ୍ରସ୍ତୁତକାରୀ ସଂସ୍ଥା ଏହାର ଦର ସ୍ଥିର କରିବେ । ଏହି ଦରରେ ରାଜ୍ୟ ସରକାର, ଘରୋଇ ହସ୍ପିଟାଲ୍ ଏବଂ ଶିଳ୍ପ ସଂସ୍ଥା ସିଧାସଳଖ ଟିକା କିଣିପାରିବେ ।
ସୂଚନାଥାଉକି, ରାଜ୍ୟମାନେ ଏବେ ଟିକା ପାଇଁ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ତେବେ ଠିକ୍ ସମୟରେ କେନ୍ଦ୍ରଠାରୁ ଟିକା ମିଳୁ ନ ଥିବାରୁ ଟିକାକରଣ ଅଭିଯାନ ବ୍ୟାଘାତ ହେଉଛି । ଓଡ଼ିଶା ସମେତ ବହୁ ରାଜ୍ୟରେ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି । ତେବେ ସଂକ୍ରମଣର ଭୟାବହତା ବଢୁଥିବାରୁ ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ । ସାମୁହିକ ସ୍ୱାର୍ଥଜଡ଼ିତ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।