ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ବିଜେପିର ଦାୟିତ୍ୱ ନେବାର ୨ ମାସ ବିତିଗଲାଣି । ମାତ୍ର ତାଙ୍କର କାଟତି କେଉଁଠି ଦେଖିବାକୁ ମିଳିନି । କାହାକୁ ନେଇ କାମ କରିବେ ତାହାର ହିସାବ ବି ଛିଣ୍ଡାଇ ପାରିନାହାନ୍ତି । ଏଭଳି ସ୍ଥିତିରେ ଅନ୍ୟ ନେତାଙ୍କ ଭଳି ଶସ୍ତା ବୟାନ ଦେଇ ନିଜର ପ୍ରାସଙ୍ଗିକତା ରଖିବାକୁ ଚେଷ୍ଟା କରିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଗତକାଲି ମନମୋହନ ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ । କହିଥିଲେ, ୧୧୭ ସିଟିଂ ଏମଏଲଏଙ୍କ ସହ କଥା ହେଉଛୁ, ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି, ସବୁ ଏମଏଲଏ ଆମ କଣ୍ଟାକ୍ଟରେ ରହିଛନ୍ତି । ଖୁବ୍ ଶୀଘ୍ର ଓଡ଼ିଶାରେ ପରିବର୍ତ୍ତନ ହେବ ।
ବିଜେପି ରାଜ୍ୟ ସଭାପତିଙ୍କ ଏହି ପରିସଂଖ୍ୟାନ ସମସ୍ତଙ୍କୁ କାବା କରିଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶାଇ ଏବେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୪ । ଆଉ ୩ ସିଟିଂ ବିଜେଡି ଏମଏଲଏଙ୍କୁ ମନମୋହନ କେଉଁଠୁ ପାଇଲେ ତାହା କେହି ବୁଝିପାରିନାହାନ୍ତି । ଏହି ବୟାନକୁ ଟିଭିରେ ଯିଏ ଦେଖିଛନ୍ତି, ହସି ହସି ବେଦମ୍ ହୋଇଛନ୍ତି । ବିଧାୟକ ହିସାବ ଛାଡ଼ନ୍ତୁ, ଓଡିଶା ରାଜନୀତିର ପାଣିପାଗ ଜାଣୁଥିବା ଲୋକେ ମନମୋହନ ସାମଲଙ୍କ ବୟାନ ଶୁଣିଲା ପରେ ତାଙ୍କୁ ସୁର ରାଉତରାୟଙ୍କ ଦ୍ୱିତୀୟ ଅବତାର ବୋଲି ଚର୍ଚ୍ଚା କଲେଣି ।
ବାସ୍ତବ କଥା ଏୟା ଅନୁମାନ କରାଯାଉଛି ଯେ ମନମୋହନ ସାମଲ ଏହି ଦି ମାସରେ ଦଳୀୟ ହାଲତ୍ କୁ ପାଖରୁ ଦେଖି ବାଉଳା ହୋଇ ଗଲେଣି । ଧାମନଗର ଉପନିର୍ବାଚନ ରଣନୀତି ଭୁବନେଶ୍ୱର ଶକ୍ତିକେନ୍ଦ୍ରରେ ଯେ କାମ ଦେବ ନାହିଁ ତାହା ଏଥର ବୁଝିସାରିଲେଣି । ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାପତି ଦାୟିତ୍ୱ ନେଲା ବେଳେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଜୋସ୍ ଦେଖାଇଥିଲେ । ବିଜେଡିକୁ ନ ହଟାଇବା ଯାଏ ଶୋଇବୁନୁ କି ଶୁଆଇ ଦେବୁନୁ ବୋଲି ବଜ୍ର ଶପଥ ନେଇଥିଲେ । ପରବର୍ତ୍ତୀ ସମୟରେ ଶକ୍ତି ସଂଗ୍ରହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବାକୁ ଯାଇଥିଲେ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ନିବିଡ କରିଛନ୍ତି । ଏତେସବୁ ପରେ ବି ମନମୋହନ ବାଉଳା ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି ।
ବିଶ୍ୱସ୍ତ ସୂତ୍ରର ଖବର କହୁଛି, ମନମୋହନ ଚାହିଁବା ମୁତାବକ ଦଳକୁ ଆଗକୁ ନେବାରେ ବିଭିନ୍ନ ପ୍ରତିବନ୍ଧକ ସାମନା କରୁଛନ୍ତି । ଦଳରେ ଗୋଷ୍ଠୀ କନ୍ଦଳ ଏଭଳି ଅବସ୍ଥାରେ ଅଛି ଯେ ନୂଆ ଟିମ୍ ଗଠନ ସମ୍ଭବ ହେଉନାହିଁ । ବର୍ତ୍ତମାନ ପ୍ରାୟ ୨୫ ଟି ଜିଲ୍ଲା ସଭାପତି ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ବସିଛନ୍ତି । ସେମାନଙ୍କୁ ହଟାଇ ନିଜ ଅନୁଗତଙ୍କୁ ବସାଇବା ତାଙ୍କ ପାଇଁ କାଠିକର ହୋଇଛି । ସୁତରାଂ ଦଳରେ ବିଦ୍ରୋହକୁ ଡରି ନୂଆ ତାଲିକାକୁ ଟାଳି ଦିଆଚାଲିଛି ।
ଦଳରେ ଗୋଷ୍ଠୀ କନ୍ଦଳ ଯେ ଭରି ରହିଛି ତାହା ଗତକାଲିର ବ୍ରହ୍ମପୁର ଘଟଣା ପୁଣି ମନେ ପକାଇ ଦେଇଛି । ମନମୋହନଙ୍କ ବ୍ରହ୍ମପୁର ଗସ୍ତବେଳେ ଜଣେ କର୍ମୀ ତାଙ୍କ ଉପରକୁ କାଳି ଫିଙ୍ଗିବା, ଦଳରେ ନେତୃତ୍ୱ ପ୍ରତି ଅସମ୍ମାନ ଓ ଦଳୀୟ ବିଶୃଙ୍ଖଳାକୁ ପ୍ରମାଣିତ କରୁଛି । କାଳି ଫିଙ୍ଗାକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ସେଠି ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଟିକେଟ ଦେବା ନେଇ ଚାଲିଥିବା ମନ୍ତ୍ରଣାରେ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ଗୋଷ୍ଠୀଙ୍କ ଅସନ୍ତୋଷର ଏହା ପ୍ରତିଫଳନ ବୋଲି କୁହାଯାଉଛି । ମନମୋହନଙ୍କୁ ଏହା ବିବ୍ରତ କରିବା ସ୍ୱାଭାବିକ ।
ଏଠି ସଂଗଠନ ସଜାଡ଼ିବେ ନା କେନ୍ଦ୍ର ସହ ବିଜେଡି ସମୀକରଣରେ ନିଜକୁ ଖାପ ଖୁଆଇବେ ତାହା ମନମୋହନଙ୍କୁ ଖାଲି ଦ୍ୱନ୍ଦରେ ପକାଇନାହିଁ, ବରଂ ବିବ୍ରତ କରୁଥିବା ଚର୍ଚ୍ଚା ହେଉଛି । ନିଜର ସ୍ଥିତି ଜାହିର କରିବା ଏବଂ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ସେ ବିଜେଡିରେ ଅସନ୍ତୋଷ କଥା ଉଠାଇଛନ୍ତି । ତାହା ହୋଇ ନ ଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ କ’ଣ ବିଜେପିରେ ମିଶିବା ପାଇଁ ମନମୋହନଙ୍କ ସହ ଯୋଗାଯୋଗ କରିଛନ୍ତି କି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କଟାକ୍ଷ କରିଛନ୍ତି ।