ଭୁବନେଶ୍ୱର: ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ‘ମୋ ଘର’ ନାଁରେ ଏକ ନୂଆ ଯୋଜନାର ଶୁଭାରମ୍ଭ କରାଯାଇଛି । ଅନ୍ୟାନ୍ୟ ଯୋଜନାରୁ ବଞ୍ଚିତ ଗ୍ରାମୀଣ ଲୋକଙ୍କୁ ଏହି ଯୋଜନାରେ ଘର ତିଆରି ପାଇଁ ଆର୍ଥିକ ସହାୟତା ଦିଆଯିବ । ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଂଜୁର କରିଛି ।
ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ୍ ପଡ଼ିଥିବା ପରିବାର କିମ୍ବା ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ । ‘
ମୋ ଘର’ ଯୋଜନାରେ ସେମାନଙ୍କୁ ଘର ପାଇଁ ସବସିଡି ଋଣ ଯୋଗାଇ ଦିଆଯିବ । ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ସେମାନଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିବ ।
ବଡ଼କଥା ହେଲା, ଏହି ଯୋଜନାରେ ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ରହିଛି । ୧ ଲକ୍ଷ ପର୍ଯ୍ୟନ୍ତ ଋଣରେ ସାଧାରଣ ବର୍ଗଙ୍କୁ ୩୦ ହଜାର ଏବଂ ଅନ୍ୟମାନଙ୍କୁ ୪୦ ହଜାର ଟଙ୍କା ସବସିଡି ମିଳିବ । ୧.୫ ଲକ୍ଷ ଋଣରେ ସାଧାରଣ ବର୍ଗଙ୍କୁ ୪୫ ହଜାର ଏବଂ ଅନ୍ୟମାନଙ୍କୁ ୫୫ ହଜାର ସବସିଡି ଦିଆଯିବ । ୨ ଏବଂ ୩ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନ୍ୟମାନଙ୍କୁ ୭୦ ହଜାର ଟଙ୍କା ସବସିଡି ମିଳିବ ।
ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟତାର ମାନଦଣ୍ଡ ହେଉଛି- (୧) ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ବାସ କରୁଥିବେ(୨) ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନ ଥିବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ପାଇଥିବେ(୩) ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିବ(୪)ବ୍ୟକ୍ତିଗତ ବ୍ୟବହାର ପାଇଁ ୪ ଚକିଆ ଯାନ ନ ଥିବ(୫) ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ (୬)୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବ ।
ଏହି ଯୋଜନାର ହିତାଧିକାରୀ ହେବା ପାଇଁ ମାପଦଣ୍ଡ ପୂରଣ କରୁଥିବା ବ୍ୟକ୍ତିମାନେ ଜୁନ୍ ମାସ ୧୬ ତାରିଖରୁ ସରକାରୀ ୱେବସାଇଟ୍ ରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୮ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଓଡ଼ିଶାରେ ଏକ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଏଥିପାଇଁ ୩୩୦.୧୭ କୋଟି ମଂଜୁର କରାଯାଇଛି । ସେହିପରି ଭିସୁଟ୍ ର ଉନ୍ନତୀକରଣ ପାଇଁ ୨୦୦୦ କୋଟି ମଂଜୁର ହୋଇଛି । ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନରେ ପଞ୍ଜିକରଣ ଫି’ ଛାଡ଼ କରାଯାଇଛି ।
ବଲାଙ୍ଗୀରରେ ୬ ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁର କରିଛି । ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ । ସେହିଭଳି ଗଜପତି ଜିଲ୍ଲାରେ ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ସେଥିପାଇଁ ୩୭୯.୧୬ କୋଟି ଖର୍ଚ୍ଚ ହେବ ।
ଏହାବାଦ୍ ବେସରକାରୀ ଓ ଜୁନିଅର ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଂଜୁର ମିଳିଛି । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ର ମଂଜୁରୀ ମିଳିଛି । କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ବିକଶିତ ଓ ଆକର୍ଷଣୀୟ କରାଯିବ । ଏହି କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୧୫୬ କୋଟି ୨୧ ଲକ୍ଷ ଖର୍ଚ୍ଚ ପ୍ରସ୍ତାବ କ୍ୟାବିନେଟ୍ ର ମଂଜୁର ଲାଭ କରିଛି । ଓଡିଆ ଫିଲ୍ମ ଡେଲିଭରି ବୟ ଏବଂ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।