ଭୁବନେଶ୍ୱର: ଦେଶର ନୂଆ ସଂସଦ ଭବନ ଲୋକାର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ନୂଆ ସଂସଦ ଭବନରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର ଏହି ଭବ୍ୟ ମନ୍ଦିରକୁ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ ବୋଲି ଅଭିହିତ କରିଛନ୍ତି । ନୂଆ ସଂସଦ ଭବନ ନୂଆ ଭାରତର ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ ଗଣତନ୍ତ୍ରର ଏହି ଐତିହାସିକ ମୁହୁର୍ତ୍ତରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଅନୁପସ୍ଥିତି ସବୁଠାରୁ ବଡ଼ ବିଡ଼ମ୍ବନା ଥିଲା । ସେମାନଙ୍କ ଶୁଭେଚ୍ଛା ବାର୍ତ୍ତାକୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପାଠ କରି ସମସ୍ତଙ୍କୁ ଅବଶ୍ୟ ଶୁଣାଇ ଦେଇଥିଲେ । ଦ୍ୱିତୀୟ ବିଡ଼ମ୍ବନା ଥିଲା, ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଭାରତବର୍ଷର ମହାନ ଗଣତାନ୍ତ୍ରିକ ପରମ୍ପରାର ଗୁଣଗାନ ବେଳେ ମୁଖ୍ୟ ବିରୋଧୀ କଂଗ୍ରେସ ସମେତ ୨୧ଟି ଦଳ ଅନୁପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନକୁ ସେମାନେ ପୂର୍ବରୁ ବର୍ଜନ ଘୋଷଣା କରିଥିଲେ ।

ଆଜି ସକାଳ ସାଢ଼େ ୭ଟାରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନ ପରିସରରେ ପହଞ୍ଚିଥିଲେ । ବଡ଼ି ଭୋରରୁ ଆରମ୍ଭ ହୋଇଥିବା ଯଜ୍ଞ ଓ ପୂଜାକାର୍ଯ୍ୟରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ବାଚସ୍ପତି ଓମ୍ ବିର୍ଲା ବସିଥିଲେ । ସାଧୁସନ୍ଥଙ୍କ ପୂଜାର୍ଚ୍ଚନା ଓ ବେଦମନ୍ତ୍ର ଉଚ୍ଚାରଣରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କରାଯାଇଥିଲା । ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ନେଇ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରିବା ସହ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଏହି ଭବନର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ସମ୍ମାନିତ କରିଥିଲେ । ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।

ମଧ୍ୟାହ୍ନରେ ଲୋକାର୍ପଣ ପର୍ବର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନୂଆ ସଂସଦ ଭବନରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତାର ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଉପହାର ମିଳିଲା । ଏହି ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ । ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ଭାରତ ଆଗକୁ ବଢ଼ିଲେ, ବିଶ୍ୱ ଆଗକୁ ବଢ଼ିବ । ଏକବିଂଶ ଶତାବ୍ଦୀର ଭାରତ ଦୃଢ଼ ଉତ୍ସାହରେ ଭରା । ପରାଧୀନତାର ଚିହ୍ନକୁ ଛାଡ଼ି ଆମେ ଆଗକୁ ବଢ଼ୁଛେ ।








