Saturday, November 15, 2025 07:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନ-ବୈଷ୍ଣବ ଯୋଡ଼ି ସୁନ୍ଦର!!

by Our Correspondent
24 Apr, 2025- 06:02 PM
in Latest News, News, Politics, Story Of The Week
1 min read
0
ପାଣ୍ଡିଆନ-ବୈଷ୍ଣବ ଯୋଡ଼ି ସୁନ୍ଦର!!

ଭୁବନେଶ୍ୱର: ବିଜେଡି ଶାସନ କାଳରେ ବ୍ୟୁରୋକ୍ରାଟ୍ ଭି.କେ.ପାଣ୍ଡିଆନଙ୍କର ଅଭ୍ୟୁଦୟ, ତାମିଲ ଖଣି ବ୍ୟବସାୟୀ ପ୍ରଭାକରନଙ୍କ ସାମ୍ରାଜ୍ୟ ବିସ୍ତାର, ପ୍ରଭାକରନଙ୍କ ତତ୍କାଳୀନ ବିଜିନେସ୍ ପାର୍ଟନର ତଥା ଚାକିରିରୁ ସ୍ୱେଚ୍ଛାକୃତ ଅବସରପ୍ରାପ୍ତ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯିବା, ମୋଦୀ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ପ୍ରଭାବ ବିସ୍ତାର କରିବା, ୨୦୨୪ରେ ବିଜେଡି କ୍ଷମତାରୁ ହଟିବା ତଥା ଓଡ଼ିଶା ବିଜେପିର ମୁଖ୍ୟ ଟାର୍ଗେଟ୍ ପାଣ୍ଡିଆନଙ୍କୁ କେନ୍ଦ୍ର ସରକାର ଭରପୂର ସୁରକ୍ଷା ଦେବା.. ଚଳନ୍ତି ରାଜନୈତିିକ ଘଟଣାବଳୀର କାଳଚକ୍ର । ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିରେ କିଏ ସରକାର ଚଳୋଉଥିଲେ ତାହା କାହାରିକୁ ଅଛପା ନ ଥିଲା ବେଳେ ବିଜେପିର ପ୍ରଥମ ପାଳି ଦାୟିତ୍ୱ ସମ୍ଭାଳିଥିବା ମୋହନ ମାଝୀ ସରକାରଙ୍କୁ କିଏ ଚଳୋଉଛନ୍ତି ତାହାକୁ ନେଇ ଏବେ ରୋଚକ ଚର୍ଚ୍ଚା । ରାଜନୀତିରେ ଭାଇ-ଭାଇ ସମ୍ପର୍କର ଅନେକ ଉଦାହରଣ ଥିଲେ ମଧ୍ୟ ଓଡ଼ିଶାରେ ସରକାରୀ ଦଳ ଏବଂ ମୁଖ୍ୟ ବିରୋଧୀ ଦଳର ନିବିଡ଼ ପ୍ରେମ ସମ୍ପର୍କ ବେଶ୍ କୌତୁହଳପୂର୍ଣ୍ଣ!! ଏହାର ସୂତ୍ରଧର ଯେ ବୈଷ୍ଣବ-ପାଣ୍ଡିଆନ, ସେହି ଚର୍ଚ୍ଚା ଆଉ ଲୁଚାଛପା ନାହିଁ । କୁଆଡ଼େ ଏମାନଙ୍କର ଏହି ବନ୍ଧୁତ୍ୱ ବଳରେ ବିଜେପି ଓଡ଼ିଶାରେ କେବଳ ଲକ୍ଷ୍ୟସ୍ଥଳରେ ପହଞ୍ଚି ନାହିଁ, ଆଗାମୀ ଦିନରେ ଦଳକୁ ଅପ୍ରତିଦ୍ୱନ୍ଦୀ ରଖିବାର ଦୃଢ଼ ବିଶ୍ୱାସ ହାସଲ କରିଚାଲିଛି । ବିଚାରା ବିଜେଡି ନେତାମାନେ ଭବିଷ୍ୟତ ଅନ୍ଧାର ଜାଣି ଘର କଣରେ ବାହୁନି ବାହୁନି କାନ୍ଦିଲେଣି । କିଛି ବରିଷ୍ଠ ନେତା ବୈାଦ୍ଧ ଧର୍ମରେ ନିଜକୁ ଦୀକ୍ଷିତ କରିବାକୁ ସଜବାଜ ହେଲେଣି । କାମନାର ବିନାଶରେ ଦୁଃଖର ବିନାଶ ବୋଲି ସେମାନେ ଡେରିରେ ବୁଝୁଛନ୍ତି ।

ପାଣ୍ଡିଆନ-ପ୍ରଭାକରନ-ଅଶ୍ୱିନୀ

ନବୀନ ପଟ୍ଟନାୟକଙ୍କ ସରକାରର ଚତୁର୍ଥ ପାଳି ବେଳକୁ ପାଣ୍ଡିଆନ୍ ପ୍ରଭାବଶାଳୀ ହୋଇସାରିଥିଲେ । ସରକାରକୁ ସେ ହିଁ ନିୟନ୍ତ୍ରଣ କରୁଥିଲେ । ତାଙ୍କ ଜାତି ଭାଇ ତାମିଲ ଖଣି ବ୍ୟବସାୟୀ ପ୍ରଭାକରନଙ୍କ ସହ ସମ୍ପର୍କ ସମସ୍ତଙ୍କୁ ଜଣାଥିଲା । ବିଜେଡି ସହ ତଥାକଥିତ ଖଣି ଲୁଟେରା ପ୍ରଭାକରନଙ୍କ ସମ୍ପର୍କ ଓ ତାଙ୍କଠାରୁ ଦଳୀୟ ପାଣ୍ଠି ସଂଗ୍ରହକୁ ନେଇ ସେହି ସମୟରେ ରାଜ୍ୟ ବିଜେପି ନେତାମାନେ ପ୍ରବଳ ତମ୍ବିତୋଫାନ କରିଥିଲେ । ପ୍ରେସ୍ ମିଟ୍ କରି ପାଣ୍ଡିଆନ୍-ପ୍ରଭାକରନ୍ ମଧୁର ସମ୍ପର୍କକୁ ଟାର୍ଗେଟ୍ କରୁଥିଲେ ।

ଏହି ପ୍ରଭାକରନଙ୍କ ବ୍ୟବସାୟିକ ପାର୍ଟନର ଥିଲେ ଅଶ୍ୱିନୀ ବୈଷ୍ଣବ । ପ୍ରଭାକରନଙ୍କ ତ୍ରିବେଣୀ ଆର୍ଥ ମୁଭର୍ସର ମୂଳ କମ୍ପାନୀ ତ୍ରିବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡର ସେ ଥିଲେ ନିର୍ଦ୍ଦେଶକ । ଏହି କମ୍ପାନୀର ସେୟାର ରହିଥିବା ଅନ୍ୟ ଏକ କମ୍ପାନୀ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ ଏବଂ ଆଡଲର ଇଣ୍ଡଷ୍ଟ୍ରି୍ରଆଲ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡର ମଧ୍ୟ ନିର୍ଦ୍ଦେଶକ ଥିଲେ ।

୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ଏହି ପୂର୍ବତନ ଆଇଏଏସ୍ ଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ୨୦୧୭ ମସିହାରେ ପ୍ରଥମେ ଚର୍ଚ୍ଚା ହୋଇଥିଲା । ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ସାଂସଦ ପଦରୁ ନବୀନ ଅଚାନକ ହଟାଇ ଦେବା ପରେ ଗଣମାଧ୍ୟମରେ ତାଙ୍କ ନାଁ ଚର୍ଚ୍ଚା ହେଲା । ମାତ୍ର ତାହା ହୋଇ ନ ଥିଲା ।

୨୦୧୯ ଜୁନ୍ ରେ କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶାରୁ ରାଜ୍ୟସଭା ଗଲେ ଅଶ୍ୱିନୀ ବୈଷ୍ଣବ । ତାଙ୍କର ପ୍ରାର୍ଥୀତ୍ୱ କାହାଣୀ ବେଶ୍ ରୋଚକ ଥିଲା । ଖାଲି ଥିବା ୩ଟି ଯାକ ଆସନ ବିଜେଡି ହାତରେ ଥିବାରୁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲେ ନବୀନ ବାବୁ । ମାତ୍ର ଏହାର ୨୦ ମିନିଟ୍ ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଗଲା । ଏହା ଦ୍ୱନ୍ଦ ସୃଷ୍ଟି କଲା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଥିଲେ । ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରୁଛି ବୋଲି ସ୍ପଷ୍ଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହଙ୍କ ସହ ସେ ଏ ନେଇ କଥା ହୋଇଛନ୍ତି ବୋଲି ମଧ୍ୟ ଜଣାଇ ଦେଇଥିଲେ ।

ବିଜେପି ହାତକୁ ଗୋଟିଏ ରାଜ୍ୟସଭା ଆସନ(ଅଶ୍ୱିନୀ ବୈଷ୍ଣବ) ଟେକି ଦେବା ପରେ ବିଜେଡି ପ୍ରତି ଲୋକଙ୍କର ସନେ୍ଦହ ବଢ଼ିଥିଲା । ବିଜେପି-ବିଜେଡି ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । ବିଜେଡି ପ୍ରତି ଆଗକୁ ଏହା ଘାତକ ହେବ ବୋଲି ମିଡିଆରେ ଚର୍ଚ୍ଚା ହେଲା ।

ପାଣ୍ଡିଆନ୍ ରାଜ୍!

୨୦୧୯ ରେ ପଞ୍ଚମ ପାଳି ବିଜେଡି ସରକାରରେ ପାଣ୍ଡିଆନ୍ ଙ୍କର ସମ୍ପୂର୍ଣ୍ଣ ଆଧିପତ୍ୟ ରହିଲା । ୫-ଟି ନାଁରେ ଛାୟା ମୁଖ୍ୟମନ୍ତ୍ରୀ ହୋଇଗଲେ ସେ । ସବୁ ଦଳୀୟ ନିଷ୍ପତ୍ତି ମଧ୍ୟ ସେ ନେଲେ । ଉଭୟ ସରକାର ଓ ଦଳରେ ନବୀନ ବାବୁ ନାଁ କୁ ପ୍ରଥମ କ୍ଷମତା କେନ୍ଦ୍ର ଥିଲା ବେଳେ ପାଣ୍ଡିଆନ୍ ଥିଲେ ପ୍ରକୃତ କ୍ଷମତା କ୍ଷେତ୍ର । ତାଙ୍କର କେନ୍ଦ୍ରୀୟ ବିଜେପି ପ୍ରୀତି ଏବଂ ଅଶ୍ୱିନୀ ବୈଷ୍ଣବ ସମ୍ପର୍କ ରାଜ୍ୟସଭା ନିର୍ବାଚନ ବେଳେ ହିଁ ଧରାପଡ଼ିଗଲା । ତାଙ୍କ ଛାୟା ଶାସନ କାଳରେ ମୋଦୀ ସରକାରଙ୍କୁ ବିଜେଡିର ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳିଲା । ମୋଦୀ, ଶାହା କି ଅନ୍ୟ କେନ୍ଦ୍ରୀୟ ନେତାଙ୍କ ବିରୋଧରେ ପାଟି ନ ଖୋଲିବାକୁ ହୁଇପ୍ ଜାରି ହେଲା । ବିଜେଡି ପରିଚାଳିତ ଗଣମାଧ୍ୟମ ନନ୍ଦିଘୋଷ ଟିଭି ଏବଂ ସକାଳ ଖବରକାଗଜରେ କେନ୍ଦ୍ର ବିଜେପି ବିରୋଧରେ କିଛି ବି ଖବର ନ କରିବାକୁ ନିର୍ଦ୍ଦେଶ ଦିଆଗଲା ।

ବିଜେପି-ବିଜେଡି ମେଣ୍ଟ ଉଦ୍ୟମ

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସହ ମେଣ୍ଟ କରିବାକୁ ଉପରେ ପଡ଼ି ଆଗ୍ରହ ଦେଖାଇଥିଲେ ପାଣ୍ଡିଆନ୍ । ବିଜେଡିର ବିଜୟ ସମ୍ଭାବନା ଦୃଢ଼ ଥିବା ସତ୍ତ୍ୱେ ବିଜେପି ସହ ମେଣ୍ଟ କରିବାକୁ ଆଗ୍ରହୀ ଥିଲେ । ମେଣ୍ଟ ଉଦ୍ୟମରେ ପାଣ୍ଡିଆନଙ୍କୁ ବୈଷ୍ଣବଙ୍କର ସହଯୋଗ ଥିବା ଚର୍ଚ୍ଚା ହେଲା । କେନ୍ଦ୍ରୀୟ ନେତା ଏଥିରେ ରାଜି ଥିଲେ ମଧ୍ୟ ରାଜ୍ୟ ନେତାମାନଙ୍କ ଜିଦ୍ ଯୋଗୁଁ ତାହା ସମ୍ଭବ ହେଲା ନାହିଁ ।

ନିର୍ବାଚନ ପରାଜୟ ରଣନୀତି!

ଉଭୟ ଲୋକସଭା ଏବଂ ବିଧାନସଭା ବିଜେଡିର ପ୍ରାର୍ଥୀ ଚୟନରେ ସାଂଘାତିକ ବିଭ୍ରାଟ ଦେଖିବାକୁ ମିଳିଲା । ଅନେକ ଜାଗାରେ ଯୋଗ୍ୟ ଏବଂ ବିଜୟ ସମ୍ଭାବନା ନେତାଙ୍କୁ ଟିକେଟ ଦିଆ ନ ଯାଇ ପରାଜୟ ସମ୍ଭାବନା ଅଧିକ ଥିବା ନେତାଙ୍କୁ ଟିକେଟ୍ ଦିଆଗଲା । ଅନେକ ଦଳୀୟ ନେତାଙ୍କ ଅଭିଯୋଗ ଅନୁଯାୟୀ, ପାଣ୍ଡିଆନ-ବବି ଗୋଷ୍ଠୀଙ୍କ ମର୍ଜିରେ ଟାଉଟର, ମାଫିଆଙ୍କୁ ଟିକେଟ ମିଳିଲା । ଏହି ଗୋଷ୍ଠୀର ନେତାମାନେ କିଛି କିଛି ଜାଗାରେ ପ୍ରଚୁର ଅର୍ଥରେ ଟିକେଟ୍ ବିକ୍ରୀ କଲେ । ଉପକୂଳ ଜିଲ୍ଲାର ଗୋଟିଏ ନିର୍ଦ୍ଦିଷ୍ଟ ବିଧାନସଭା ଆସନ ଟିକେଟ୍ ୧୫ କୋଟିରେ ବିକ୍ରୀ ହୋଇଥିବା ଜଣାପଡ଼ିଲା ।

ଖାଲି ସେତିକି ନୁହେଁ, ପ୍ରାର୍ଥୀମାନଙ୍କୁ ଲଢ଼ିବା ପାଇଁ ଆବଶ୍ୟକ ଅର୍ଥ ବି ଦିଆଗଲା ନାହିଁ । ଲୋକସଭା ଆସନରେ ପ୍ରାର୍ଥୀ ପିଛା ଦେଢ଼କୋଟିରୁ କମ୍ ଟଙ୍କା ଦିଆଯାଇଥିଲା ବେଳେ ଅନେକ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଓଲଟି ହରାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା ।

ନିଜକୁ ନବୀନ ପଟ୍ଟନାୟକଙ୍କ ଜାଗାରେ ରଖି ପାଣ୍ଡିଆନ୍ ହେଲିକପଟର ଯୋଗେ ଏକା ଏକା ଓଡ଼ିଶା ବୁଲିଲେ । ପାଣ୍ଡିଆନ୍ ମଞ୍ଚରେ ଏକା ଛିଡ଼ା ହୋଇ ଭାଷଣ ଦେଲା ବେଳେ ଦଳୀୟ ନେତାମାନେ ମଞ୍ଚ ତଳେ ଚୋର ଭଳି ଛିଡ଼ା ହୋଇ ରହିଲେ । ରାସ୍ତାରେ ପାଣ୍ଡିଆନଙ୍କ ଗସ୍ତକୁ ସୁଗମ କରିବା ପାଇଁ ମନ୍ତ୍ରୀ, ବିଧାୟକମାନେ ଟ୍ରାଫିକ୍ ଡ୍ୟୁଟି କଲେ । ଏହା ବିଜେଡିର ଭୋଟ ଭାଙ୍ଗୁଛି ବୋଲି ତାଙ୍କ ଗୁଇନ୍ଦା ଟିମ୍ ଜାଣିଲା ପରେ ମଧ୍ୟ ପାଣ୍ଡିଆନ ସେହି ଭୁଲ୍ କରି ଚାଲିଲେ ।

ବିଜେଡି ଚଳାଉଥିବା ନେତାଙ୍କ ଏଭଳି କାର୍ଯ୍ୟକଳାପ ଦଳକୁ ଜିତେଇବା ପାଇଁ ନା ହରେଇବା ପାଇଁ ଉଦ୍ଦିଷ୍ଟ ଥିଲା ତାହା ନିର୍ବାଚନ ଫଳ ଆସିବା ପରେ ସ୍ପଷ୍ଟ ହୋଇଯାଇଛି । ସୁତରାଂ ବିଜେଡିକୁ ହରେଇବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ବୋଲି କୁହାଯାଇପାରିବ । ଏହା ହୋଇ ନ ଥିଲେ ଓଡ଼ିଶାରେ ମାସାଧିକ କାଳ ଡେରା ପକାଇଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂପେନ୍ଦ୍ର ଯାଦବ ରାଜ୍ୟରେ ବିଜେପି ୮୫ ରୁ ଅଧିକ ଆସନ ପାଇ ସରକାର ଗଢ଼ିବ ବୋଲି ଛାତି ବାଡ଼େଇ ପୂର୍ବନୁମାନ କରି ନ ଥାନ୍ତେ ।

ପ୍ରଭାବଶାଳୀ ଅଣଓଡ଼ିଆ ଅଧିକାରୀଙ୍କ ଅଣ୍ଟା ଭାଙ୍ଗିଲାନି

ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନଙ୍କୁ ଧୂମ୍ ଆଟାକ୍ କଲେ ବିଜେପି ନେତା । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି କଟୁ ମନ୍ତବ୍ୟ ଦେଲେ । ଓଡ଼ିଶାକୁ ଏହି ଅଣଓଡ଼ିଆ ଅଫିସର ଲୁଟିଦେଇଛନ୍ତି, ରତ୍ନଭଣ୍ଡାର ଚାବି ତାମିଲନାଡୁ ନେଇ ପଳାଇଛନ୍ତି କହି ଗାଳି ଦେଲେ । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଅଣ୍ଟା ଭାଙ୍ଗି ଦିଆଯିବ ଏବଂ ଜେଲ୍ ରେ ପୂରାଯିବ ବୋଲି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଶୁଣିବାକୁ ମିଳିଲା । ବିଜେଡି ପରିଚାଳନା କରୁଥିବା ତୃତୀୟ ମହଲାର ଅନ୍ୟ ଅଧିକାରୀମାନଙ୍କୁ ଜେଲ୍ ରେ ପୂରାଯିବ ବୋଲି ରାଜ୍ୟ ନେତାମାନେ ଗର୍ଜନ କରିଥିଲେ ।

ମାତ୍ର କିଛି ହେଲାନି! ରାଜ୍ୟରେ ବିଜେପି ସରକାରକୁ ୧୦ ମାସ ପୂରି ଯାଇଥିଲେ ମଧ୍ୟ ପାଣ୍ଡିଆନଙ୍କ ଦେହରେ ଧୂଳି ପଡ଼ିନାହିଁ । ଅଦୃଶ୍ୟରେ ରହି ବିଜେଡିରେ ସେମିତି ଶକ୍ତିଶାଳୀ ଅଛନ୍ତି । ତାଙ୍କ ଟିମ୍ ତୃତୀୟ ମହଲାର ପୂର୍ବ ଶକ୍ତିଶାଳୀ ଅଣ ଓଡ଼ିଆ ଅଧିକାରୀ ଡି.ଏସ୍.କୁଟ୍ଟେ ଏବଂ ଆଶିଷ ସିଂଙ୍କୁ ମୋହନ ସରକାର ଓଲଟି କ୍ଲିନ୍ ଚିଟ୍ ଦେବା ପରେ କେନ୍ଦ୍ରୀୟ ଡେପୁଟେସନ୍ ରେ ଭଲ ପୋଷ୍ଟିଂ ପାଇଛନ୍ତି ।

ଦିନକରେ VRS ମଂଜୁର

୨୦୨୪ ନିର୍ବାଚନର ୬ ମାସ ପୂର୍ବରୁ ପାଣ୍ଡିଆନ୍ ଆଇଏଏସ୍ ଚାକିରି ଛାଡ଼ିଥିଲେ । ତାଙ୍କର ଭିଆରଏସ୍ ଆବେଦନ କେନ୍ଦ୍ର ସରକାରଙ୍କଠାରୁ ଦୁଇଦିନରେ ମଂଜୁର ପାଇଥିଲା । ଠିକ୍ ସମାନ ଢ଼ାଞ୍ଚାରେ ତାଙ୍କର ପତ୍ନୀ ସୁଜାତା କାର୍ତ୍ତିକେୟନ୍ ନିକଟରେ ଆଇଏଏସ୍ ଚାକିରିରୁ ଭିଆରଏସ୍ ନେଇଛନ୍ତି । ତାଙ୍କର ଆବେଦନ ଗୋଟିଏ ଦିନରେ କେନ୍ଦ୍ର ସରକାରଙ୍କ ମଂଜୁର ଲାଭ କରିଛି । ଅତୀତରେ ଅପରାଜିତା ଷଡ଼ଙ୍ଗୀଙ୍କ ଭିଆରଏସ୍ ଆବେଦନ ମଂଜୁର ପାଇଁ ତିନି ମାସ ଲାଗିଯାଇଥିଲା ବେଳେ ପାଣ୍ଡିଆନ୍ ଦମ୍ପତ୍ତିଙ୍କ କ୍ଷେତ୍ରରେ ରାତାରାତି ସମ୍ଭବ ହୋଇପାରିଛି ।

ବିଜେଡିକୁ ୱକଫ୍ ବଦନାମ

ନିକଟରେ ୱକଫ୍ ବିଲ୍ କୁ ନେଇ ବିଜେଡି ବଦନାମ ହୋଇଛି । ଏହାକୁ ବିରୋଧ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ମାତ୍ର ରାଜ୍ୟସଭାରେ ଭୋଟ ପୂର୍ବଦିନ ବିଜେଡି ଅଚାନକ ତାର ଆଭିମୁଖ୍ୟ ବଦଳାଇ ଦେଲା । ବିବେକାନୁମୋଦିତ ଭୋଟ ଆଳ ଦେଖାଇ ବିଲ୍ କୁ ସମର୍ଥନ ଦେବାକୁ ପରୋକ୍ଷରେ ଘୋଷଣା କଲା । ଏହି ନିଷ୍ପତ୍ତି ବିଜେଡି ସଂଗଠନକୁ ଦୋହଲାଇ ଦେଇଛି । ଦଳୀୟ ମହଲରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଅଦୃଶ୍ୟରେ ଥିବା ପାଣ୍ଡିଆନଙ୍କର ଏହା ନିଷ୍ପତ୍ତି ବୋଲି ସମସ୍ତେ କହୁଛନ୍ତି ।

ସୂଚନାଥାଉକି, ସଂସଦରେ ୱକଫ୍ ବିଲ୍ ପାସ୍ ପାଇଁ ଫ୍ଲୋର ମ୍ୟାନେଜମେଣ୍ଟ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ତେବେ ସେ ଯାହା ହେଉ, ଶେଷ ମୁହୂର୍ତ୍ତରେ ବିଜେଡିର ଆଭିମୁଖ୍ୟ ପରିବର୍ତ୍ତନ ଯୋଗୁଁ ଦଳ ଉପରେ ଲୋକଙ୍କ ବିଶ୍ୱାସ ଆହୁରି ତୁଟିଯାଇଛି । ଏହା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିଛି ।

ଦ ପ୍ରିଣ୍ଟ: ପାଣ୍ଡିଆନଙ୍କ ପାଖଲୋକ ବୈଷ୍ଣବ!

ନିକଟରେ ଜାତୀୟ ନ୍ୟୁଜ୍ ୱେବ୍ ପୋର୍ଟାଲ୍ ଦ ପ୍ରିଣ୍ଟରେ ଓଡ଼ିଶା ଉପରେ ଏକ ଖବର ବାହାରିଛି । ‘ଓଡ଼ିଶାରେ ବିଜେପି ସରକାରକୁ ଚଲୋଉଛି କିଏ: ଧର୍ମେନ୍ଦ୍ର ପ୍ରଧାନ ନା ଅଶ୍ୱିନୀ ବୈଷ୍ଣବ?’ ଶୀର୍ଷକ ଥିବା ଏହି ଖବରରେ ଭି.କେ ପାଣ୍ଡିଆନଙ୍କ ସହ ଅଶ୍ୱିନୀ ବୈଷ୍ଣବଙ୍କର ସମ୍ପର୍କ ବିଷୟ ଉଲ୍ଲେଖ କରାଯାଇଛି । ପାଣ୍ଡିଆନଙ୍କର ବୈଷ୍ଣବ ଅତି ପାଖଲୋକ ବୋଲି କୁହାଯାଇଛି । ଏହା ଯେ ସତ୍ୟ ତାହା ଓଡ଼ିଶା ରାଜନୀତିକୁ ଭଲ ଭାବେ ଅନୁଧ୍ୟାନ କରୁଥିବା ସମୀକ୍ଷକମାନେ ମତ ଦେଇଛନ୍ତି । ଦ ପ୍ରିଣ୍ଟ ରିପୋର୍ଟକୁ ବିଶ୍ୱାସ କଲେ ଯଦି ଓଡ଼ିଶା ସରକାର ଉପରେ ଅଶ୍ୱିନୀ ବୈଷ୍ଣବଙ୍କର ଦବଦବା ରହୁଛି, ତେବେ ପାଣ୍ଡିଆନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇପାରିବ ।

ଫ୍ଲାସବ୍ୟାକ୍: ବିିଜେଡି ଭାଙ୍ଗିବା ଯୋଜନା!

ଗତବର୍ଷ ଜୁନ୍ ୨୨ ତାରିଖରେ ଇଂରାଜୀ ଦୈନିକ ‘ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ ଖବରକାଗଜର ଦିଲ୍ଲୀ ରେସିଡେଣ୍ଟ ଏଡିଟର ସାହିଦ ଫରିଦି ଏକ ରିପୋର୍ଟ କରିଥିଲେ । ଯାହାର ଶୀର୍ଷକ ଥିଲା NAVEEN WANTS BJP TO SPURN PANDIAN OVERTURES । ସେଥିରେ ଲେଖିଥିଲେ-

ବିଜେପି ଏବଂ ବିଜେଡି ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛନ୍ତି ଭି.କେ ପାଣ୍ଡିଆନ୍..କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିବା ପାଇଁ ପାଣ୍ଡିଆନ ଉଦ୍ୟମ ଚଳାଇଛନ୍ତି । ଶାହଙ୍କ ସହ କଥା କରାଇ ଦେବା ପାଇଁ ପାଣ୍ଡିଆନଙ୍କୁ ସାହାଯ୍ୟ କରୁଛନ୍ତି କେନ୍ଦ୍ରରେ ଏକାଧିକ ବିଭାଗର ଦାୟିତ୍ୱରେ ଥିବା ଜଣେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରୀ..ବିଜେପି ନେତୃତ୍ୱଙ୍କୁ ପାଣ୍ଡିଆନ୍ ମନାଇଛନ୍ତି କି ସେ ବିଜେଡିକୁ ଭାଙ୍ଗି ଦେଇପାରିବେ । ବିଜେଡି ଭାଙ୍ଗିଗଲେ ଓଡ଼ିଶାରେ ବିଜେପିର ଶକ୍ତିବୃଦ୍ଧିରେ ସହାୟକ ହେବ ।

ଆଶ୍ଚର୍ଯ୍ୟଜନକ ଭାବେ ଏହି ରିପୋର୍ଟକୁ ଖଣ୍ଡନ କରି ଖୋଦ୍ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ବାଇଟ୍ ଦେଇଥିଲେ । ସେଥିରେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ଏହା ପରେ ସାହିଦ ଫରିଦି ନିଜ ରିପୋର୍ଟକୁ ଭୁଲ୍ କହିବାକୁ ବିଚାରା ବାଧ୍ୟ ହୋଇଥିଲେ ।

ଶେଷରେ..

ପାଣ୍ଡିଆନଙ୍କୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ମାତ୍ର ନିର୍ବାଚନ ପରାଜୟରୁ ନବୀନ ବାବୁ କିଛି ଶିଖିଲେ ନାହିଁ । ସେହି ପାଣ୍ଡିଆନଙ୍କୁ ଅଦୃଶ୍ୟରେ ରଖି ଦଳ ଚଳୋଉଛନ୍ତି । ପାଣ୍ଡିଆନ ମଧ୍ୟ ନିଜ ତ୍ରୁଟି ସଂଶୋଧନ ନ କରି ଭୁଲ୍ ପରେ ଭୁଲ୍ କରି ଚାଲିଛନ୍ତି । ଏହାକୁ ନେଇ ପାଟି ଖୋଲୁଥିବା ନେତାଙ୍କୁ ଶୃଙ୍ଖଳାର ପାଠ ପଢ଼ାଇ ନବୀନ ନାଲି ଆଖି ଦେଖାଉଛନ୍ତି । ଏଥିରେ ଦଳ ଯେ ଆଉ ଉଧେଇବ ସେହି ଆଶା ନାହିଁ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ମୋହନ ସରକାରଙ୍କୁ ଚଲୋଉଥିବା ଏବଂ ପାଣ୍ଡିଆନଙ୍କ ସହ ତାଙ୍କର ଘନିଷ୍ଠତା ଏବେ ସବୁଆଡ଼େ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Previous Post

ହାଇକୋର୍ଟ ଛାଟ: ବିଏମସି ଉଚ୍ଛେଦକୁ ଗ୍ରୀନ୍ ସିଗନାଲ୍

Next Post

ପ୍ରଶାନ୍ତଙ୍କ ଶେଷଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

Next Post
ପ୍ରଶାନ୍ତଙ୍କ ଶେଷଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ପ୍ରଶାନ୍ତଙ୍କ ଶେଷଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA