ଭୁବନେଶ୍ୱର: ଘାଟିକିଆ ବାରମାଣସାହି ଗାଁକୁ ଯାଇଥିବା ବିଏମସି ରାସ୍ତାରୁ ହଟିବ ଅବରୋଧ। ବେଆଇନ ଭାବେ ବନ୍ଧା ଯାଇଥିବା ଟେଣ୍ଟ୍ ଉଖୁଡ଼ିବ। ବିଏମସିର ପିଚୁ ରାସ୍ତାରେ ଗଦା ଯାଇଥିବା ମାଟିକୁ ଉଚ୍ଛେଦ କରିବ ବିଏମସି। ଏଥିନେଇ ହାଇକୋର୍ଟ ସୋମବାର ପୁଣିଥରେ ଗ୍ରୀନ ସିଗନାଲ ଦେଇଛନ୍ତି । ବିଏମସିର ଉଚ୍ଛେଦ ଆଦେଶକୁ ଉଚ୍ଚ ନ୍ୟାୟାଳୟ ଠିକ୍ ବୋଲି ଦର୍ଶାଇବା ସହ ଆବେଦନକାରୀ ଭାଗ୍ୟଶ୍ରୀ ମାଝୀଙ୍କ ବିଏମସି ବିରୋଧୀ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହ ତଳକୋର୍ଟଙ୍କୁ ୧୫ ଦିନ ଭିତରେ କେସର ଶୁଣାଣି କରି ଫଇସଲା ଶୁଣାଇବାକୁ ହୋଇକୋର୍ଟ ଆଦେଶ ଦେଇଛନ୍ତି ।
ଘାଟିକିଆ ମୌଜାର ବାରମାଣସାହି ଦେଇ ଯାଇଥିବା ବିଏମସି ରାସ୍ତା ୩ ବର୍ଷ ହେବ ବେଆଇନ ଭାବେ ଅବରୋଧ କରି ରଖାଯାଇଛି । ଯାହାକୁ ଉଚ୍ଛେଦ କରିବା ପାଇଁ ବିଏମସି ଅର୍ଡର୍ ଜାରି କରିବା ସହ ଗତ ୧୫ ତାରିଖରେ ଭାଙ୍ଗିବାକୁ ଅଣ୍ଟା ଭିଡି଼ଥିଲା । ମାତ୍ର ସେହିଦିନ ଭାଗ୍ୟଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଏମସି ଉଚ୍ଛେଦ ଉପରେ ୫ ଦିନିଆ ରହିତାଦେଶ ଆଣିଥିଲେ । ଏଥିସହ ଭାଗ୍ୟଶ୍ରୀ ବିଏମସିର ଉଚ୍ଛେଦ ଅର୍ଡରକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିବାକୁ ଅପିଲ୍ କରିଥିଲେ। ଯାହାର ଶୁଣାଣି ସୋମବାର ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ କୋର୍ଟରେ ହୋଇଥିଲା । କେସ୍ ନମ୍ବର WPC୧୦୩୨୫/୨୦୨୫ର ଶୁଣାଣି ବେଳେ କାହିଁକି ରହିତାଦେଶ ବଳବତ୍ତର ରହିବ ଓ ବିଏମସି ଉଚ୍ଛେଦ ଅର୍ଡର୍ ଖାରଜ ହେବ ସେନେଇ ସମସ୍ତ ତଥ୍ୟପ୍ରମାଣ କୋର୍ଟ ଭାଗ୍ୟଶ୍ରୀଙ୍କୁ ମାଗିଥିଲେ। କିନ୍ତୁ ବିଏମସି ବିରୋଧୀପକ୍ଷ କିଛି ଦଲିଲ୍ ଅଦାଲତଙ୍କୁ ଦେଖାଇପାରିଲେ ନାହିଁ । ସେପଟେ ବିଏମସି ଓକିଲ ପ୍ରଫୁଲ୍ଲ ରଥ ଓ ବିଡିଏ ଓକିଲ ଦୟାନନ୍ଦ ମହାପାତ୍ର ଭାଗ୍ୟଶ୍ରୀଙ୍କ ମା’ ବେଙ୍ଗୁଲି ମାଝୀ କେମିତି ବିଏମସି ରାସ୍ତାକୁ ବିକ୍ରି କରିଛନ୍ତି, ତାହାର ସମସ୍ତ ତଥ୍ୟପ୍ରମାଣ ଅଦାଲତରେ ରଖିଥିଲେ । ଏପରି କି ପୂର୍ବରୁ ଚଞ୍ଚକତା ବେଙ୍ଗୁଲି ମଧ୍ୟ କରି ବିଏମସି ଉଚ୍ଛେଦ ବିରୋଧରେ ରହିତାଦେଶ ନେଇଥିଲେ ବୋଲି କୋର୍ଟଙ୍କୁ ବିଏମସି ଜଣାଇଥିଲା ।
ସମସ୍ତ ଦଲିଲ୍ ଦେଖିବା ପରେ କୋର୍ଟ ଜାଣିବାକୁ ପାଇଥିଲେ ଯେ, ବେଙ୍ଗୁଲି ଓ ତାଙ୍କ ପୁଅ ଏବଂ ତିନି ଝିଅ ନିଜ ଜମିକୁ ଦୁଇଥର ବିକ୍ରି କରିଛନ୍ତି। ଏପରି କି ବିଏମସିର ରାସ୍ତାକୁ ପୂରା ପରିବାର ମିଶି ବିକ୍ରି କରିଛନ୍ତି। ତେଣୁ କୋର୍ଟ ବିଏମସିର ରାସ୍ତା ଉଚ୍ଛେଦ ଅର୍ଡରକୁ ଠିକ୍ ବୋଲି ଦର୍ଶାଇବା ସହ ଭାଗ୍ୟଶ୍ରୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହ ମାମଲା ତଳକୋର୍ଟ ଅର୍ଥାତ୍ ଭୁବନେଶ୍ୱର ସିଭିଲ୍ କୋର୍ଟରେ ଥିବାରୁ ୧୫ ଦିନ ଭିତରେ ମାମଲାର ବିଚାର କରି ରାୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ବିଏମସି କୌଣସି ମୁହୂର୍ତ୍ତରେ ବି ଘାଟିକିଆ ମୌଜାରେ ଅବରୋଧ ଅବସ୍ଥାରେ ପଡ଼ିଥିବା ରାସ୍ତାକୁ ଉଚ୍ଛେଦ କରିପାରିବ।