ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ଡ. ସସ୍ମିତ୍ ପାତ୍ରଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡିର ନୂଆ ନେତା କିଏ ହେବେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ସଂସଦକୁ ଯାଇଥିବା ଡ. ସଂତୃପ୍ତ ମିଶ୍ରଙ୍କ ନାଁ ପ୍ରଥମରୁ ଖୁବ୍ ଜୋରରେ ଚର୍ଚ୍ଚା ହୋଇଥିଲା । ରାଜ୍ୟସଭା ନେତା ହେବା ପାଇଁ ସଂତୃପ୍ତଙ୍କର ଯୋଗ୍ୟତା ଉପରେ ପ୍ରଶ୍ନ ନ ଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱ ଦେଲେ ନବୀନଙ୍କୁ ବହୁତ ଚାଲେଞ୍ଜର ସାମନା କରିବାକୁ ପଡ଼ିପାରେ । ନବୀନ ସେହି ଭୁଲ୍ କରିବେ ନାହିଁ ବୋଲି ବିଜେଡି ମହଲରୁ ଜଣାପଡ଼ିଛି ।
ବରିଷ୍ଠତା ଦୃଷ୍ଟିରୁ ଦେବାଶିଷ ସାମନ୍ତରାୟଙ୍କ ନାଁ ଆଗକୁ ଆସୁଛି । ନିକଟ ଅତୀତରେ ଭି କେ ପାଣ୍ଡିଆନଙ୍କ ବିରୋଧରେ ସେ ସ୍ୱର ଉଠାଇଥିଲେ ମଧ୍ୟ ରାଜ୍ୟସଭା ନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କର ଶୁଭଦୃଷ୍ଟିକୁ ଫେରିଛନ୍ତି । ନବୀନଙ୍କ ପଦକ୍ଷେପକୁ ସମର୍ଥନ କରି ସେ ପ୍ରଭାତ ବିଶ୍ୱାଳଙ୍କୁ ଗାଳି କରିଥିଲେ । ପାଣ୍ଡିଆନଙ୍କ ବିରୋଧରେ ଆଉ ତାଙ୍କ ମୁହଁରୁ ଶୁଣିବାକୁ ମିଳୁନି । ସେହି ଦୃଷ୍ଟିରୁ ରାଜ୍ୟସଭା ନେତା ପଦ ତାଙ୍କୁ ମିଳିବାର ସମ୍ଭାବନା ଏଡ଼ାଯାଇ ନ ପାରେ ।
ତେବେ ବିଜେଡିର ଗୋଟେ ମହଲର ସୂଚନା ଅନୁଯାୟୀ, ମାନସ ମଙ୍ଗରାଜଙ୍କ ମୁଣ୍ଡରେ ସୁନା କଳସ ବାଜିଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ରାଜ୍ୟସଭା ନେତା ଦୌଡ଼ରେ ମାନସ ଆଗରେ ବୋଲି ସେମାନଙ୍କର ଯୁକ୍ତି । ତାଙ୍କ ପଛରେ କ’ଣ ସମୀକରଣ ତାହା କେହି ଖୋଲି କହୁନାହାନ୍ତି ।
ସୂଚନାଯୋଗ୍ୟ, ବିଜେଡିରେ ଏବେ ୬ ଜଣ ସାଂସଦ ଅଛନ୍ତି । ସେମାନେ ହେଲେ ଦେବାଶିଷ ସାମନ୍ତରାୟ, ଡ. ସସ୍ମିତ୍ ପାତ୍ର, ମାନସ ମଙ୍ଗରାଜ, ଶ୍ରୀମତୀ ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ ଏବଂ ଡ. ସଂତୃପ୍ତ ମିଶ୍ର ।