ଭୁବନେଶ୍ୱର: ୨୨ ବର୍ଷରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପଦକ୍ଷେପ ନେଇଛନ୍ତି । ପଞ୍ଚମ ପାଳିର ୩ ବର୍ଷ ପରେ ସେ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ନବ କଳେବର କରିବାକୁ ଯାଉଛନ୍ତି । ଏହିକ୍ରମରେ ଆଜି ୨୦ ଜଣ ଯାକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଏବଂ ଆସନ୍ତାକାଲି ନବୀନ ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ।
ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାହା ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ସମ୍ଭାବ୍ୟ ମନ୍ତ୍ରୀ ତାଲିକାକୁ ନେଇ ଜୋର୍ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ଘରକୁ ଫୋନ୍ କଲ୍ ଯାଉଥିବା କୁହାଯାଉଛି । ତେବେ ଏହି ଖବରର ସତ୍ୟତାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଅପରାହ୍ନ ୫ ଟା ସୁଦ୍ଧା କାହା ପାଖକୁ ସେଭଳି ଫୋନ୍ କଲ୍ ଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳିଛି ।
ଯେଉଁମାନଙ୍କ ନାଁ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଦୀପ ଅମାତ୍, ବଦ୍ରି ନାରାୟଣ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ, ମନୋହର ରାନ୍ଧାରୀ, ରୋହିତ ପୂଜାରୀ, ଦେବେଶ ଆଚାର୍ଯ୍ୟ, ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ରୁଦ୍ର ମହାରଥୀ, ବାସନ୍ତୀ ହେମ୍ବ୍ରମ, ଲତିକା ପ୍ରଧାନ ।
ବିଦାୟୀ ମନ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ନବୀନ ନୂଆ ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ସେହି ତାଲିକାରେ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ନବ ଦାସ ଏବଂ ଟୁକୁନି ସାହୁଙ୍କ ନାଁ ଚର୍ଚ୍ଚା ହେଉଛି ।
ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ନବୀନ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ ନା ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଜଣେ ମହିଳାଙ୍କୁ ବାଚସ୍ୱତି ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ଏଥିଲାଗି ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ ନାଁ କୁହାଯାଉଛି ।
ସଂଧ୍ୟା ୮ଟା ସୁଦ୍ଧା ନୂଆ ମନ୍ତ୍ରୀ ତାଲିକା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।