ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୨୦ ଜଣ ଯାକ ମନ୍ତ୍ରୀ ସେମାନଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କ ଇସ୍ତଫା ମାଗିଥିଲେ । ଏହା ପରେ ପର୍ଯ୍ୟାୟକ୍ରମେ ଜଣ ଜଣ କରି ମନ୍ତ୍ରୀ ସେମାନଙ୍କ ଇସ୍ତଫାପତ୍ର ପଠାଇଥିଲେ । ମନ୍ତ୍ରୀମାନଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି ।
ନବୀନ ପଟ୍ଟନାୟକଙ୍କ ସରକାରରେ ପ୍ରଥମ ଥର ପାଇଁ ଏକାଥରେ ସବୁମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଇସ୍ତଫା ମାଗି ତାଙ୍କ ମନ୍ତ୍ରିମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି । ଆସନ୍ତାକାଲି ନବୀନ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ । ପୂର୍ବାହ୍ନ ୧୧.୪୫ ରେ ଲୋକସେବା ଭବନ କନଭେନସନ୍ ହଲ୍ ରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ।
ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଲେ (କ୍ୟାବିନେଟ୍) ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ନବକିଶୋର ଦାସ, ଟୁକୁନି ସାହୁ, (ରାଷ୍ଟ୍ରମନ୍ତ୍ରୀ) ଜଗନ୍ନାଥ ସାରକା, ଦିବ୍ୟଶଙ୍କର ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଏବଂ ତୁଷାରକାନ୍ତି ବେହେରା ।