ଭୁୁବନେଶ୍ୱର: ବହୁ ପ୍ରତୀକ୍ଷିତ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ମନ୍ତ୍ରୀମାନଙ୍କ ଇସ୍ତଫା ମାଗିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଏହି ଦୃଷ୍ଟିରୁ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ନବକଳେବର ହେବାକୁ ଯାଉଛି । ଆସନ୍ତାକାଲି ପୂର୍ବାହ୍ନ ୧୧.୪୫ ମିନିଟ୍ ରେ ଲୋକସେବା ଭବନ କନଭେନସନ୍ ହଲ୍ ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏ ନେଇ ରାଜଭବନକୁ ଜଣାଇ ଦିଆଯାଇଛି ।
ଏହି ପ୍ରକ୍ରିୟାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି । ଉପବାଚସ୍ପତିଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ସାରିଛନ୍ତି । ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ନୂଆ ଟିମ୍ ରେ ନବୀନ କେଉଁମାନଙ୍କୁ ସାମିଲ କରୁଛନ୍ତି ତାହାର ଟେର୍ ମିଳିନାହିଁ । ଆଜି ସଂଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି ।