ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରକଳ୍ପ କରିଡ଼ରରେ ବେଆଇନ ନିର୍ମାଣ ଅଭିଯୋଗ ନେଇ ସୁପ୍ରିମକୋର୍ଟ ଯାଇଥିବା ବିରୋଧୀ ପକ୍ଷ ଶକ୍ତ ଚାପୁଡ଼ା ଖାଇଲା ପରେ ମୁଣ୍ଡକାନ ଆଉଁଷିଛନ୍ତି । ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ କାର୍ଯ୍ୟ ବନ୍ଦ କରିବାକୁ ଏହା ଷଡ଼ଯନ୍ତ୍ର ଥିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟରୁ ସ୍ପଷ୍ଟ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଉଦ୍ଦିଷ୍ଟ ମହାନ୍ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଭଳି ଶସ୍ତା ମାମଲାକୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି । ଏହା ଜନସ୍ୱାର୍ଥ ନୁହେଁ, ବରଂ ବ୍ୟକ୍ତିଗତ ସ୍ୱାର୍ଥ ଥିଲା ବୋଲି କହିଛନ୍ତି । ଏହି ଅଯଥା ମାମଲା ଅଦାଲତଙ୍କ ମୂଲ୍ୟବାନ ସମୟକୁ ନଷ୍ଟ କରିଛି ବୋଲି ଖଣ୍ଡପୀଠ ବିରକ୍ତି ପ୍ରକାଶ କରି ଦୁଇ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେବା ସବୁଠାରୁ ଅଧିକ ଲଜ୍ଜାର ବିଷୟ ହୋଇଛି ।
ପ୍ରକଳ୍ପ କରିଡ଼ରରେ ବେଆଇନ ନିର୍ମାଣ ଅଭିଯୋଗ ନେଇ ସୁପ୍ରିମକୋର୍ଟ ଯାଇଥିବା ଦୁଇ ଆବେଦନକାରୀ ଅଦେ୍ର୍ଧନ୍ଦୁ ଦାସ ଏବଂ ସୁମନ୍ତ ଘଡ଼େଇଙ୍କୁ ନେଇ ଅନେକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଏହି ମାମଲା ଉପରେ ଗତକାଲି ସୁପ୍ରିମକୋର୍ଟରେ ଦେଢ଼ଘଣ୍ଟାର ଶୁଣାଣି ପରେ ସରକାରଙ୍କ ପକ୍ଷରୁ ଲଢୁଥିବା ପୁରୀ ସାଂସଦ ପିନାକୀ ମିଶ୍ର ବାହାରେ ଗଣମାଧ୍ୟମ ଆଗରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବୟାନ ରଖିଥିଲେ । ତାଙ୍କର ସନ୍ଦେହ ଥିଲା କି ଦୁଇ ଆବେଦନକାରୀ ଏତେ ସମ୍ଭଳ ଆଣିଲେ କେଉଁଠୁ? କାରଣ ସୁପ୍ରିମକୋର୍ଟରେ ସେମାନେ ଦୁଇ ଦୁଇ ଜଣ ବରିଷ୍ଠ ଓକିଲ ଛିଡ଼ା କରାଇଥିଲେ । ନିଜ ପକେଟରୁ ଏତେ ପଇସା ଦେବା ସମ୍ଭବ ହୋଇ ନ ଥିବାରୁ ଏହା ଏକ ସ୍ପନସରଡ୍ ବା ପ୍ରକ୍ସି ଲିଟିଗେସନ୍ ବୋଲି ତାଙ୍କର ଅନୁମାନ ଥିଲା ।
ସୂଚନାଥାଉକି, ବେଆଇନ ନିର୍ମାଣ ଅଭିଯୋଗ ଆଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ବିଜେପି ବିରୋଧ କରିନାହିଁ । ରାଜ୍ୟ ସଂଗଠନଠାରୁ ନିଜକୁ ପୃଥକ୍ ରଖୁଥିବା କିଛି ଆତ୍ମବଡ଼ିମା ନେତା ଏହାକୁ ବିରୋଧ କରୁଥିଲେ । ସେମାନେ ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ।
ବୈଜୟନ୍ତ ପ୍ରଥମରୁ ଟୁଇଟ୍ କରି ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିବା ସହ ତାଙ୍କ ଟିଭିକୁ ପୁରୀ ପ୍ରକଳ୍ପ ନିର୍ମାଣ ବିରୋଧ କାମରେ ପୂରାପୁରି ଲଗାଇଦେଲେ । ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ବିରୋଧରେ ଏହାକୁ ମୁଖ୍ୟ ରାଜନୈତିକ ଅସ୍ତ୍ର କରିଦେଲେ । ପ୍ରତିଦିନ ଟୁଇଟ୍ ଏବଂ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ପୁରୀ ପ୍ରକଳ୍ପ କାର୍ଯ୍ୟକୁ ଛିଗୁଲେଇ ବିବୃତି ଦେଲେ । ବଡ଼ଦାଣ୍ଡରେ ଆଇନ ଅମାନ୍ୟ ପଦଯାତ୍ରା କଲେ । ମହାପ୍ରଭୁଙ୍କ ପ୍ରତି ଭକ୍ତିଭାବ ଦେଖାଇ ବଡ଼ଦାଣ୍ଡରେ ନାଟକ କଲେ । ସେହିଭଳି ସମ୍ବିତ୍ ପାତ୍ର ଦିଲ୍ଲୀରୁ ଦୌଡ଼ି ଆସିଲେ । ଗୋଟିକ ପରେ ଗୋଟିଏ ପ୍ରେସ୍ ମିଟ୍ କରି ବର୍ଷିଲେ । ମହାପ୍ରଭୁଙ୍କୁ କୁଣ୍ଢେଇ, ମୁଣ୍ଡେଇ ବଢ଼ିଆ ଡ୍ରାମା କଲେ । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ବି ଏମାନଙ୍କୁ ଆହୁରି ଉଲ୍ଲସିତ କରିଥିଲା ।
ତେବେ ସେ ଯାହା ହେଉ, ଦୁଧ ଏବଂ ପାଣି ଅଲଗା ହୋଇଗଲା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ୱାଗତ କରି ଆନନ୍ଦ ପ୍ରକାଶ କରିଥିଲେ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଥିଲେ ଯେ ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ।
ରାଜ୍ୟ ସରକାର ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ସାରିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ସୁପ୍ରିମକୋର୍ଟ ରାୟ ଆସିଲା କ୍ଷଣି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ବଡ଼ଠାକୁରଙ୍କ ଦର୍ଶନ କରି ଆଶୀର୍ବାଦ ନେବା ସହ କରିଡର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।
ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀମନ୍ଦିର ସେବାୟତ ମହଲ ଏବଂ ହଜାର ହଜାର ଭକ୍ତଙ୍କ ମନରେ ଖୁସି ଖେଳାଇ ଦେଇଛି । ସଂଧ୍ୟାରେ ଶ୍ରୀମନ୍ଦିର ସେବାୟତମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।