ଭୁୁବନେଶ୍ୱର: ବିଜେଡିର ତିନି ପ୍ରାର୍ଥୀ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ ଏବଂ ଡ. ସସ୍ମିତ୍ ପାତ୍ର ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସର ଆଜି ସେମାନଙ୍କୁ ବିଜୟ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି । ରାଜ୍ୟସଭା ସାଂସଦ ଭାବେ ସେମାନେ ପୂରା ସମୟ ୬ ବର୍ଷ କାର୍ଯ୍ୟ କରିବେ ।
ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ ଏବଂ ଡ. ସସ୍ମିତ୍ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ପୁରୁଥିବାରୁ ତିନିଟି ଆସନରେ ନିର୍ବାଚନ ପାଇଁ ମେ’ ୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିଲା ମେ’ ୩୧ । ଜୁନ୍ ୧ ରେ ନାମାଙ୍କନପତ୍ର ଯାଞ୍ଚ ହୋଇଥିଲା ଏବଂ ଆଜି ଅର୍ଥାତ୍ ଜୁନ୍ ୩ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା ।
ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡିର ଥିଲା ଏବଂ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ ଏବଂ ଡ. ସସ୍ମିତ୍ ପାତ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନର ଆବଶ୍ୟକତା ପଡ଼ିନାହିଁ । ତେଣୁ ଆଜି ଆନୁଷ୍ଠାନିକ ଭାବେ ସେମାନଙ୍କୁ ବିଜୟୀ ଘୋଷଣା କରାଯାଇଛି ।
ବିଜୟୀ ଘୋଷିତ ହେବା ପରେ ନୂଆ ତିନିଜଣ ଯାକ ସାଂସଦ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶମତେ ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦରେ ଲଢ଼େଇ ଜାରି ରଖିବେ ବୋଲି ସେମାନେ କହିଛନ୍ତି ।
ସେପଟେ ରାଜ୍ୟସଭା ଉପନିର୍ବାଚନ ପାଇଁ ଜୁନ୍ ୬ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ସେହି ଆସନରୁ ନିରଞ୍ଜନ ବିଶିଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ଜୁନ୍ ୬ ରେ ତାଙ୍କୁ ନିର୍ବାଚିତ ଘୋଷଣା କରାଯିବ । ତାଙ୍କର କାର୍ଯ୍ୟକାଳ ୨୦୨୬ ମାର୍ଚ୍ଚ ଯାଏ ରହିବ ।