ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ସଂସଦ ଏବଂ ବିଭିନ୍ନ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ନୀତିି କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୬, ୧୭ ଏବଂ ୧୮ରେ ସଂସଦର ସ୍ୱତନ୍ତ୍ର ଅଧବେସନ ବସୁଛି । ନାରୀଶକ୍ତି ବନ୍ଦନ ଅଧିନିୟମ- ୨୦୨୩ ବିଲ୍ ରେ କିଛି ସଂଶୋଧନ ହୋଇପାରେ ବୋଲି ଜଣାପଡ଼ିଛି । ଅଧବେସନରେ ଉପସ୍ଥିତ ରହିବା ପାଇଁ ବିଜେପି ସାଂସଦମାନଙ୍କୁ ତିନି ଧାଡ଼ିଆ ହ୍ୱିପ୍ ଜାରି କରାଯାଇଛି । ଅଧିବେସନକୁ ସମସ୍ତଙ୍କର ଅପେକ୍ଷା ଥିବା ବେଳେ ମହିଳା ସଂରକ୍ଷଣର ଶ୍ରେୟକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି ।
ମହିଳା ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୩୩% ସଂରକ୍ଷଣ ଭଳି ମହିଳା ଯୋଜନାର ମହାନାୟକ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩୩% ମହିଳା ସଂରକ୍ଷଣର କ୍ରିୟାନ୍ୱୟ ନିର୍ଣ୍ଣୟ ପ୍ରକ୍ରିୟାରୁ ଦୂରରେ ଥିବା ଜନସଂଖ୍ୟାର ୫୦% ମହିଳାଙ୍କୁ ନୀତିର ହିତାଧିକାରୀରୁ ନୀତିର ନିର୍ମାତା ହେବାର ପଥ ପ୍ରଶସ୍ତ କରିବ । ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ଦିନରୁ ମହିଳାଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଲଗାତର ଉଦ୍ୟମ କରୁଛନ୍ତି ।
ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ୧୯୯୬ରେ ଯେତେବେଳେ ଦେବଗୌଡ଼ା ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ମହିଳା ସଂରକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା । ସେପ୍ଟେମ୍ବର ୧୯୯୬ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମହିଳାଙ୍କୁ ସଂରକ୍ଷଣ ଦେବା କଥା କହିଲେ । କିନ୍ତୁ ବିଭିନ୍ନ କାରଣରୁ ତାହା ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଂସଦରେ ସେପ୍ଟେମ୍ବର ୨୩ ମଧ୍ୟରାତ୍ରରେ ନାରୀଶକ୍ତି ବନ୍ଦନ ଅଧିନିୟମ ୨୦୨୩ ପାରିତ କରାଗଲା । ସଂସଦରେ ଏକ ତୃତୀୟାଂଶ, ବିଭିନ୍ନ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆଉ ଦିଲ୍ଲୀ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷଣ ହେଲା । ସୁତରାଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୨୭ ବର୍ଷ ପରେ ମହିଳା ସଂରକ୍ଷଣ ସମ୍ଭବ ହେଲା ବୋଲି ସେ କହିଛନ୍ତି ।
ତେବେ ବିଜେଡି ଏହାର ସବୁ ଶ୍ରେୟ ମୋଦୀଙ୍କୁ ଦେବାକୁ ଚାହିଁନାହିଁ । ମହିଳା ସଂରକ୍ଷଣର ଶ୍ରେୟ ସ୍ୱର୍ଗତ ବିଜୁ ପଟ୍ଟନାୟକ ପାଇବାକୁ ହକଦାର ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି । ସେ କହିଛନ୍ତି ଯେ ବିଜୁ ବାବୁ ତାଙ୍କ ସମୟରେ ଚାହୁଁଥିଲେ ମହିଳାଙ୍କ ସଂରକ୍ଷଣ ପାଇଁ । ମା’ ଙ୍କ ସମ୍ମାନ ପାଇଁ ଆଗକୁ ଆସିଥିଲେ । ସୁତରାଂ ଏହି ଶ୍ରେୟ ବିଜୁ ବାବୁଙ୍କୁ ଯିବ ।