ଭୁବନେଶ୍ୱର: ସମନ୍ୱୟ ଅଭାବରୁ ଏବର୍ଷର ରଥଯାତ୍ରାରେ ଗୋଟିଏ ପରେ ଗୋଟିଏ ବିଭ୍ରାଟ୍ ଦେଖିବାକୁ ମିଳିଛି । ପବିତ୍ର ରଥଯାତ୍ରା ଦିନରେ ତିନି ରଥ ଶରଧାବାଲିରେ ପହଞ୍ଚି ପାରି ନ ଥିଲା ବେଳେ ଆଜି ନୀତିକାନ୍ତିରେ ଅହେତୁକ ବିଳମ୍ବ ହୋଇଥିଲା । ମଙ୍ଗଳ ଆରତି, ଅବକାଶ ପରେ ନୀତି ଆଉ ବଢ଼ି ନ ଥିଲା । ଗୋପାଳବଲ୍ଲଭ ନୀତିରେ ବିଳମ୍ବ ହେବାରୁ ମହାପ୍ରଭୁ ଉପାସରେ ରହିଥିଲେ । ଏହା କୋଟି କୋଟି ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି ।
ସୂଚନା ଅନୁଯାୟୀ, ନୀତି ସହ ସଂପୃକ୍ତ ସେବକମାନେ ଆଜି ଗୁଣ୍ଡିଚା ମନ୍ଦିର ଆସୁଥିଲା ବେଳେ ପୁଲିସ ସେମାନଙ୍କୁ ଅଧାବାଟରେ ଅଟକାଇ ଦେଇଥିଲା । ପାସ୍ ଦେଖାଇବା ସତ୍ତ୍ୱେ ପୁଲିସ ସେମାନଙ୍କୁ ଆଗକୁ ଛାଡ଼ି ନ ଥିଲା । ସେବାୟତମାନେ ଅନୋନ୍ୟପାୟ ହୋଇ ଫେରି ଆସିଥିଲେ । ଫଳରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଥିଲା ।
ପରିଚାଳନାଗତ ତ୍ରୁଟି ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ୱୟ ଅଭାବରୁ ଚଳିତବର୍ଷ ରଥଯାତ୍ରାରେ ଏଭଳି ବିଭ୍ରାଟ ଘଟୁଛି । ଗତକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଠାକୁରଙ୍କ ପହଣ୍ଡି ବିଜେ ଏବଂ ଘଣ୍ଟାଏ ଆଗରୁ ରଥଟଣା ଆରମ୍ଭ ହୋଇଥିଲା । ମାତ୍ର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଥିଲା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଛକରେ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖରେ ଅଟକିଥିଲା । ରଥ ଉପରେ ଅତ୍ୟଧିକ ଲୋକ ତଥା ରଥ ବାରମ୍ବାର ଡାହାଣ କୋଣ ମାଡ଼ିବା କାରଣରୁ ଏହି ବିଳମ୍ବ ହୋଇଥିବା କୁହାଯାଉଛି । ଆଜି ସକାଳୁ ରଥ ଟଣାଯାଇ ଶରଧାବାଲିକୁ ଅଣାଯାଇଥିଲା ।
ରଥଯାତ୍ରାରେ ଏଭଳି ବିଭ୍ରାଟ୍ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ହାଲୁକା ଭାବେ ନେଉଥିବା ଦେଖିବାକୁ ମିଳିଛି । ଗତକାଲି ରଥ ଅଧାବାଟରେ ଅଟକିବା ପଛରେ ମହାପ୍ରଭୁ ସାଲବେଗ ଓ ବନ୍ଧୁ ମହାନ୍ତିଙ୍କୁ ଅପେକ୍ଷା କରିଥିବା ଉପାଖ୍ୟାନ ଗଣମାଧ୍ୟମକୁ ଶୁଣାଇଛନ୍ତି । ମହାପ୍ରଭୁଙ୍କ ନାଁରେ ମୁଖ୍ୟ ପ୍ରଶାସକ ପରିଚାଳନାଗତ ତ୍ରୁଟିରୁ ଖସିବା ପାଇଁ ଉଦ୍ୟମ କରିଥିବା ସମାଲୋଚନା କରାଯାଇଛି ।