ଭୁବନେଶ୍ୱର: ରାୟଗଡ଼ାର ମା ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ୬ ଏକର ୩୦ ଡିସିମିଲ୍ ଜମି ମାଗଣାରେ ଯୋଗାଇ ଦେବେ । ମା’ ମଝିଘରିଆଣୀ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ଏହି ଜମି ଲିଜ୍ ଆକାରରେ ଦିଆଯିବ । ମନ୍ଦିରର ବିକାଶ କାର୍ଯ୍ୟରେ ଏହା ହେବ ଭିତ୍ତିଭୂମି । ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ଗ୍ରାମଗୁଡ଼ିକର ସଂଯୋଗୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଣୟନ କରାଯାଇଛି । ଏହି ଯୋଜନାରେ ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ଏଲଡବ୍ଲୁଇ ପ୍ରଭାବିତ ଜିଲ୍ଲାରେ ଥିବା ଅପହଞ୍ଚ ଏବଂ ଅସଂଯୋଜିତ ଗ୍ରାମ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଥିବା ଅସଂଯୋଜିତ ଦ୍ୱୀପଗୁଡ଼ିକୁ ନିକଟବର୍ତ୍ତୀ ମୁଖ୍ୟ ସଡ଼କ ସହିତ ସବୁଦିନିଆ ସଡ଼କ ଦ୍ୱାରା ସଂଯୋଗୀକରଣ କରାଯିବ ।
ଏହି ଯୋଜନାରେ ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷରେ ମୋଟ ୯୭୬ କୋଟିର ବ୍ୟୟ ବରାଦରେ ଆନୁମାନିକ ୩୬୧.୩୪ କିମି ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ ଦେଇଛି ।
ସେହିଭଳି ପଞ୍ଚାୟତିରାଜ ଏବଂ ଅନ୍ୟ ସରକାରୀ ବିଭାଗ ଗୁଡ଼ିକରୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡ଼ିକର ଉନ୍ନତିକରଣ କରିବା ପାଇଁ ରାଜ୍ୟ ସରକାର “ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ’ ଯୋଜନା ପ୍ରଣୟନ କରିଛନ୍ତି ।
ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ମୁଖ୍ୟ ବଜାର ପର୍ଯ୍ୟଟନସ୍ଥଳ, ବ୍ୟବସାୟ କେନ୍ଦ୍ର ଓ ପଞ୍ଚାୟତ କାର୍ଯ୍ୟାଳୟ ଇତ୍ୟାଦିକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହିତ ସଂଯୋଗ କରିବା ସହିତ ଉନ୍ନୟନ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା କରାଯାଇ ଦୂରଦୂରାନ୍ତ ଏବଂ ମୁଖ୍ୟସ୍ରୋତରୁ ବଞ୍ଚିତ ରହିଥିବା ସ୍ଥାନୀୟ ବାସିନ୍ଦାମାନଙ୍କର ଜୀବନଶୈଳୀର ଉନ୍ନତିକରଣ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ରାଜ୍ୟର ସମସ୍ତ ଜିଲ୍ଲାର କିଶୋରୀ କିଶୋରୀ ବାଳିକା(୧୫ ରୁ ୧୯ ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତି ମା, ଏସଏମ, ଏମଏଏମ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କ ଶିଶୁମାନଙ୍କର ପୃଷ୍ଟିଗତ ଓ ସ୍ୱାସ୍ଥ୍ୟଗତ ଉନ୍ନତି ନିମନ୍ତେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା’ କୁ ଅନୁମୋଦନ କରାଯାଇଛି । ଏହି ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବା ସହ ଏଥି ନିମନ୍ତେ ୫ ବର୍ଷ ପାଇଁ ୩୩୫୪.୪୦ କୋଟି ବ୍ୟୟ ମଂଜୁର ପ୍ରଦାନ କରାଯାଇଛି ।
ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଓ ଏହାର ଐତିହ୍ୟର ସଂରକ୍ଷଣ ଏବଂ ପୁନଃଜୀବିତ ପାଇଁ କାର୍ଯ୍ୟକାରୀ ହେଉଥିବା ଅବଢ଼ା ଯୋଜନାର ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି । ଏହି ଯୋଜନାରେ କିଛି ଅତିରିକ୍ତ ପ୍ରକଳ୍ପ ନିଆଯାଇଥିବାରୁ ଯୋଜନା ଅଟକଳ ୩୨୦୮ କୋଟିରୁ ୪୨୨୪.୨୨ କୋଟିକୁ ବୃଦ୍ଧି କରାଯାଇଛି । ଏହାର କାର୍ଯ୍ୟକାରୀ ସମୟ ୨୦୧୭-୧୮ ରୁ ୨୦୨୪-୨୫ ପର୍ଯ୍ୟନ୍ତ ସ୍ଥିର ହୋଇଛି ।
ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାର ସୁପାରିଶ କରିଛନ୍ତି । ଏହା ସଉରା ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାରରେ ସହାୟକ ହେବ । ବିଭିନ୍ନ ବିଷୟ ଉପରେ ଲେଖା ସୃଷ୍ଟି ତଥା ପ୍ରକାଶନ ଏବଂ ଭାଷାକୁ ସ୍ୱୀକୃତି ଦେବା ବ୍ୟାପକତର ହେବ । ସଉରା ଭାଷାର ସଂରକ୍ଷଣ, ବିକାଶ ଏବଂ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତିରେ ୫ ଲକ୍ଷରୁ ଅଧିକ ସଉରା ଭାଷାଭାଷୀ ଉପକୃତ ହେବେ ବୋଲି ରାଜ୍ୟ କ୍ୟାବିନେଟ୍ ରେ ପ୍ରସ୍ତାବ ପାରିତ ହୋଇଛି ।
ଗଞ୍ଜାମ ଜିଲ୍ଲା ଶୀତଳପଲ୍ଲୀରେ ଟାଟା ଷ୍ଟିଲ୍ ଦ୍ୱାରା ମଲଟି ସ୍ପେଶିଆଲିଟି ହସ୍ପିଟାଲ୍ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଯୋଗାଇଥିବା ୪୩.୦୫୦ ଏକର ସରକାରୀ ଜମି ବାବଦରେ କମ୍ପାନୀ ଦେବାକୁ ଥିବା ଇନସିଡେଣ୍ଟାଲ୍ ଚାର୍ଜସ୍, ଭ-ୂରାଜସ୍ୱ ଓ ବାର୍ଷିକ ସେସ୍ ଓ ସମସ୍ତ ବକେୟା ଦେୟ ଉପରେ ସୁଧ ଛାଡ଼ କରିଛନ୍ତି ରାଜ୍ୟ ସରକାର । ତେବେ ଟାଟା ଷ୍ଟିଲ୍ କୁ ଉକ୍ତ ଜମିକୁ ଲିଜ୍ ରେ ନେବା ନିମନ୍ତେ ବର୍ତ୍ତମାନଠାରୁ ରିହାତି ମୂଲ୍ୟଷର ଏକର ପ୍ରତି ୧୦୦ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ୱ ଓ ଭୂ- ରାଜସ୍ୱର ୭୫ % ହିସାବରେ ବାର୍ଷିକ ସେସ୍ ଦେବାକୁ ପଡ଼ିବ ।







