ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଅତି ଭୀଷଣ ରୂପ ନେଇ ୨୬ ତାରିଖ ସଂଧ୍ୟାରେ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗର ଡିଜି ଡ. ମୃତୁ୍ୟଞ୍ଜୟ ମହାପାତ୍ର ଆଜି ଏହି ପୂର୍ବାନୁମାନ ଦେଇଛନ୍ତି । ବାତ୍ୟା ସ୍ଥଳଭାଗ ଛୁଇଁବା ବା ଲ୍ୟାଣ୍ଡଫଲ୍ ବେଳେ ୧୫୫ରୁ ୧୬୫ କିମି ବେଗରେ ପବନ ବହିବ । ପବନର ବେଗ ୧୮୫ କିମି ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ପୂରା ୬ ଘଣ୍ଟା ଧରି ଏହି ପବନ ଜାରି ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏଥିରେ ବେଶୀ ପ୍ରଭାବିତ ହେବ ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସକାଳେ ଅବପାତର ରୂପ ନେଇସାରିଛି । କାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୨୪ ସଂଧ୍ୟାରୁ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ । ୨୫ ରୁ ପବନର ବେଗ ବଢ଼ିବ ଏବଂ ୨୬ ତାରିଖ ସଂଧ୍ୟା ବେଳକୁ ପାରାଦ୍ୱୀପ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ୧୨୦ ରୁ ୧୬୫ କିମି ବେଗରେ ପବନ ବହିବ । ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ଅତି ଭୀଷଣ ଆକାର ଧରୁଥିବାରୁ ପବନର ବେଗ ୧୮୫ କିମି ପର୍ଯ୍ୟନ୍ତ ଯାଇପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଏହାର ପ୍ରଭାବ ବେଶୀ ପଡିବାକୁ ଥିଲା ବେଳେ ମୟୁରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାକୁ ମଧ୍ୟ ଏହାର ପ୍ରଭାବ ରହିବ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୫ ତାରିଖ ସଂଧ୍ୟାରୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ । ଅଧିକାଂଶ ଜାଗାରେ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହେବ ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲିଠାରୁ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଲୋକଙ୍କୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହେବ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ବାଲେଶ୍ୱର ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।