ଭୁବନେଶ୍ୱର: ଡିଜିପି ଯୋଗେଶ ବାହାଦୁର ଖୁରାନା ଆଜି ଚାକିରିରୁ ଅବସର ନେଇଛନ୍ତି । କାର୍ଯ୍ୟକାଳ ସରିବା ପୂର୍ବରୁ ଗଣମାଧ୍ୟମକୁ ନିଜ ମନର କଥା ଖୋଲି କହିଛନ୍ତି । ଡିଜିପି ଭାବେ ନିଯୁକ୍ତି ପାଇଲା ପରେ କ’ଣ ମନ ନେଇ ଓଡ଼ିଶା ଫେରିଥିଲେ, ଦୁଇବର୍ଷର କାର୍ଯ୍ୟକାଳରେ କେତେ ସଫଳତା ମିଳିଲା ତାହା କହିଥିଲେ ଖୁରାନିଆ । ସେ କହିଥିଲେ, ପୁଲିସ ପାଖକୁ ଗଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ଲୋକଙ୍କର ବିଶ୍ୱାସ ଥାଏ । ମାତ୍ର ୬୦ରୁ ୭୦ ପ୍ରତିଶତ ଅଭିଯୋଗ ଉପରେ ପୁଲିସର କୌଣସି ଭୂମିକା ନ ଥାଏ । ତେଣୁ ଲୋକମାନଙ୍କର ଆଶା ପୂରଣ ହୋଇପାରେନା । ମାନବ ସମ୍ବଳର ଅଭାବ ପୁଲିସ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହୋଇଛି । ଥାନା କି ଫାଣ୍ଡିରେ ଯେତିକି କର୍ମଚାରୀ ଅଛନ୍ତି, ସଫଳତା ପାଇବାକୁ ଲାଗିପଡ଼ିଛନ୍ତି । ମାତ୍ର ମାନବ ସମ୍ବଳ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକର ଅଭାବ ଯୋଗୁଁ ଉଦ୍ୟମ ସଫଳ ହେଉନାହିଁ । ସେମାନେ ଉପାୟଶୂନ୍ୟ ହୋଇଯାଉଛନ୍ତି । ଥାନାରେ ଆବଶ୍ୟକ କର୍ମଚାରୀ ନାହାନ୍ତି । ଗାଡି ନାହିଁ । ବିଭିନ୍ନ ଖର୍ଚ୍ଚ ପାଇଁ ଟଙ୍କା ନାହିଁ ବୋଲି ଶ୍ରୀ ଖୁରାନିଆ କହିଛନ୍ତି ।
ଡିଜିପି ଭାବେ କ’ଣ କାର୍ଯ୍ୟ କରିବେ ତାହାର ଏକ ତାଲିକା ସାଙ୍ଗରେ ନେଇ ଆସିଥିଲେ । ପୁଲିସ ଉପରେ ଲୋକଙ୍କ ବିଶ୍ୱାସ ଓ ଭାବମୂର୍ତ୍ତିକୁ ପ୍ରାଥମିକତା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କୁ ଏ ବିଷୟରେ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ଅନୁମୋଦନ ମିଳିଥିଲା ଏବଂ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଥିଲା । ଆଜି ପ୍ରତ୍ୟେକ ଥାନାରେ ଗାଡ଼ିର ବ୍ୟବସ୍ଥା ଅଛି । ପ୍ରତି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ମଟରସାଇକେଲ ନଚେତ୍ ସ୍କୁଟି ଅଛି । ଲାପଟପ୍, ସ୍ମାର୍ଟଫୋନ୍ ଅଛି । ପାଣ୍ଠିର ବ୍ୟବସ୍ଥା ବି ଅଛି । ଥାନାରେ ଏହି ଅଭାବ ପୂରଣ ହୋଇଥିବା ଯୋଗୁଁ ପୂର୍ବରୁ ଲୋକମାନଙ୍କଠାରୁ ଆସୁଥିବା ଅଭିଯୋଗ ହାର ବି କମିଯାଇଛି । ମାନବ ସମ୍ବଳ ପୂରଣ ଦିଗରେ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହା ପୂରଣ ହେବାକୁ ଦୁଇରୁ ତିନିବର୍ଷ ଲାଗିଯିବ ।
ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ ଏବଂ ସଡ଼କ ସୁରକ୍ଷାକୁ ସେ ଦ୍ୱିତୀୟ ପ୍ରାଥମିକତା ରଖିଥିଲେ । ଏ ଦିଗରେ ସେ କାର୍ଯ୍ୟ କରିଥିବା ବେଳେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇଥିଲେ । ନିଶାଦ୍ରବ୍ୟ କାରବାର ଏବଂ ସାଇବର ଅପରାଧ ରୋକିବା ଦିଗରେ ଅନେକ କାର୍ଯ୍ୟ ହୋଇଛି । ଆଗାମୀ ଦୁଇବର୍ଷରେ ଏହା ବହୁ ଉନ୍ନତମାନର ହେବ । ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ସଡ଼କ ସୁରକ୍ଷା ଦିଗରେ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି । ୫ ବର୍ଷରେ ଓଡ଼ିଶା ପୁଲିସ ଦେଶର ତିନୋଟି ସର୍ବୋକୃଷ୍ଟ ରାଜ୍ୟ ଭିତରେ ଆସିପାରିବ ବୋଲି ବିଶ୍ୱାସ ଜୁଟାଇଛନ୍ତି ବିଦାୟୀ ଡିଜି ଶ୍ରୀ ଖୁରାନିଆ । ଏଥିସହ ତାଙ୍କର ୩୬ ବର୍ଷର ଚାକିରି କାଳରେ ସମସ୍ତଙ୍କର ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ।
ସବୁ ଚାଲେଞ୍ଜ ପାଇଁ ପ୍ରସ୍ତୁତ: ବିନୟତୋଷ
ସିଆଇଡି କ୍ରାଇବ୍ରାଞ୍ଚର ଡିଜି ଭାବେ କାର୍ଯ୍ୟରତ ୧୯୯୩ ବ୍ୟାଚ୍ ର ଆଇପିଏସ୍ ବିନୟତୋଷ ମିଶ୍ର ଆଜି ଅନ୍ତରୀଣ ଡିଜିପି ଭାବରେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ବିଦାୟୀ ଡିଜି ୱାଇ. ବି ଖୁରାନିଆଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଏହା ଗୋଟେ ଗୁରୁ ଦାୟିତ୍ୱ । ଯାହା ଲୋକଙ୍କ ଅପେକ୍ଷା ଅଛି ତାହା ମହତ୍ତ୍ୱପୂର୍ଣ୍ଣ । ଲୋକଙ୍କ ଆଶା ପୂରଣ କରିବାକୁ ମୁଁ ଚେଷ୍ଟା କରିବି । ସବୁ ଚାଲେଞ୍ଜ ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଚାରିଟା ବିନ୍ଦୁ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଥମରେ ନାରୀ ସୁରକ୍ଷା, ଦ୍ୱିତୀୟରେ ନିଶା କାରବାର, ତୃତୀୟରେ ସଂଗଠିତ ଅପରାଧ ଏବଂ ଚତୁର୍ଥରେ ସାଇବର ଅପରାଧ । ବ୍ୟକ୍ତିଗତ ଭାବରେ ଏହା ତାଙ୍କ ପାଇଁ ଚାଲେଞ୍ଜ ରହିବ ବୋଲି ସେ କହିଛନ୍ତି ।