ଭୁୁବନେଶ୍ୱର: ରାଜ୍ୟର ଆଉ ଜଣେ ପ୍ରତିଭାବାନ ଯୁବ ସାମ୍ବାଦିକା ତଥା ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ କମ୍ୟୁନିଟି ରେଡିଓରେ ପ୍ରଡକ୍ସନ୍ ଏକଜ୍ୟୁଟିଭ୍ ଏବଂ ଆଙ୍କର ଭାବେ କାର୍ଯ୍ୟ କରୁଥିବା ସବନମ ସିରିନଙ୍କର ଆଜି ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ସଙ୍ଗରୋଧରେ ରହିବା ପରେ ଏମସ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା । ତାଙ୍କ ସ୍ୱାମୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଏକମାତ୍ର କୁନି ଝିଅ ଘରେ ଅଛି ।
ସବନମ କନକ ନ୍ୟୁଜ୍, ଏସଟିଭି, ପର୍ଯ୍ୟବେକ୍ଷକ, ନ୍ୟୁଜ୍ ୭ ରେ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର ଡିଡି ଓଡ଼ିଆ ନ୍ୟୁଜ୍ ରେ ଜଣେ ସମ୍ବାଦ ଉପସ୍ଥାପିକା ଭାବେ ବେଶ୍ ଜଣାଶୁଣା ଥିଲେ । ସୋଆ କମ୍ୟୁନିଟି ରେଡିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ । ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଦୂରଦର୍ଶନର ଅନେକ ସମାଜ ସଂସ୍କାରମୂଳକ କାର୍ଯ୍ୟକ୍ରମ ଉପସ୍ଥାପନା କରିବା ସହ ଭୁବନେଶ୍ୱର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ତାଙ୍କର ଅକାଳ ବିୟୋଗରେ ସୋଆ ପରିବାର ସମେତ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ଦୁଇଦିନ ଭିତରେ ସବନମଙ୍କୁ ମିଶାଇ ରାଜ୍ୟର ଆଉ ୪ ଜଣଙ୍କର ଜୀବନ ନେଇଛି କରୋନା । ଓଡ଼ିଶା ଭାସ୍କର ବୌଦ୍ଧ ଜିଲ୍ଲା ପ୍ରତିନିଧି ଦୁର୍ବାକ୍ଷ ବସ୍ତିଆ(୪୫), ଓୟୁଜେ ଗଞ୍ଜାମ ଶାଖାର ବରିଷ୍ଠ ସଦସ୍ୟ ତଥା ସମାଜର ପୋଲସରା ପ୍ରତିନିଧି କିଶୋର ଚନ୍ଦ୍ର ଦାଶ(୬୧) ଏବଂ ରାୟଗଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ମଙ୍ଗରାଜଙ୍କର ମୃତ୍ୟୁ ହୋଇଛି ।