ଭୁବନେଶ୍ୱର: ‘ମୋ ସରକାର’ ଅଭିଯାନରେ ସାରା ରାଜ୍ୟ ବୁଲୁଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଆଜି ବୌଦ୍ଧର ଏକ ଆହାର କେନ୍ଦ୍ରରେ ଦେଖିବାକୁ ମିଳିଥିଲା । ସାଙ୍ଗରେ ଥିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ଅନ୍ୟ ଅଧିକାରୀବୃନ୍ଦ । ଆହାର କେନ୍ଦ୍ରର ସ୍ଥିତି ପରଖିବାକୁ ଅଚାନକ ସେଠି ପହଞ୍ଚି ଥିଲେ । ଲୋକଙ୍କଠାରୁ ଖାଦ୍ୟର ମାନ ପଚାରି ବୁଝିଥିଲେ । ସେତିକିରେ କାମ ନସାରି ସିଧା ଗଲେ ଆହାର କେନ୍ଦ୍ର କାଉଣ୍ଟରକୁ । ପଇସା ଦେଇ ଥାଳିରେ ଭାତ ଡାଲମା ଆଣିଲେ ଏବଂ ଲୋକଙ୍କ ସାଙ୍ଗରେ ଛିଡ଼ା ହୋଇ ଖାଇଲେ । ରାଜ୍ୟ ପ୍ରଶାସନର ବଡ଼ବାବୁମାନେ ଆହାର କେନ୍ଦ୍ରରେ ଲୋକଙ୍କ ସହ ଛିଡ଼ା ହୋଇ ଖାଇବା ଦୃଶ୍ୟ ଦେଖଣାହାରୀଙ୍କୁ ଆମୋଦିତ କରିଥିଲା ।
‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତା ପାଇଁ ଅଣ୍ଟା ଭିଡ଼ିଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ପୂଜା ଛୁଟି ସରୁ ସରୁ ଗତ ଦୁଇଦିନ ଧରି ପାଣ୍ଡିଆନ୍ ତାଙ୍କ ଟିମ୍ ଧରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଏବଂ ଭବାନୀପାଟଣା ବୁଲିଥିଲେ । ସେଠାକାର ଡାକ୍ତରଖାନା ବୁଲି ରୋଗୀସେବାର ସ୍ଥିତି ଅନୁଧ୍ୟାନ କରିଥିଲେ । ଆଜି ଏହି ଟିମ୍ ରେ ସାମିଲ୍ ହୋଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ତାଙ୍କ ନେତୃତ୍ୱରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଓ ଅନ୍ୟ ଅଧିକାରୀମାନେ ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲା ଗସ୍ତ କରୁଛନ୍ତି ।






