ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବହୁ ଚର୍ଚ୍ଚିତ ଇଂଜିନିୟରିଂ ଛାତ୍ର ଋଷି ମୃତ୍ୟୁର ପୁଲିସ ତଦନ୍ତ ବାଟବଣା ହୋଇଯାଇଛି । ଋଷିଙ୍କ ମୋବାଇଲ୍ କୁ କୋଲକତା ଫୋରନେସିକ୍ ଲାବରେଟୋରିକୁ ପଠାଇ ପୁଲିସ କାମ ସରେଇ ଦେଇଛି । ଗତ ୭ ତାରିଖରେ କମିସନର ୱାଇ.ବ.ଖୁରାନିଆଙ୍କ ମୁହଁରୁ ଠିକ୍ କଥା ବାହାରିଥିଲା । କେଉଁ ପରିସ୍ଥିତିରେ ଋଷି ଡ୍ରଗସ୍ ଖାଇଥିଲେ ଏବଂ କେତେ ପରିମାଣର ଡ୍ରଗସ୍ ଖାଇଥିଲେ ତାହାର ତଦନ୍ତ ହେଉଛି ବୋଲି କମିସନର କହିଥିଲେ । ହେଲେ ବାସ୍ତବରେ ସେ ଦିଗରେ ତଦନ୍ତ ଇଞ୍ଚେ ବି ଆଗେଇନାହିଁ । ଋଷିଙ୍କ ତଥାକଥିତ ଡ୍ରଗସ୍ ସେବନର ମୂଳ ଅପରାଧୀ ଡ୍ରଗସ୍ ବେପାରୀ ମମତାଜ୍ କୁୁ ପୁଲିସ ଏ ପର୍ଯ୍ୟନ୍ତ ନ ଧରିବା, ତଦନ୍ତକୁ ଯେ ବାଟବଣା କରିଛି ବାରିହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ମମତାଜ୍ ଏବେ କେଉଁଠି ଅଛି କାହାରିକୁ ଜଣାନାହିଁ । ମମତାଜ୍ କୁ ଖୋଜି ଧରିବା ପାଇଁ ପୁଲିସ ବି ହାତବାନ୍ଧି ଦେଇଛି । ଋଷି ମୃତ୍ୟୁର ଖିଅ ସେହି ମମତାଜ୍ ପାଖରେ ଥିବା ବେଳେ ପୁଲିସ କାହିଁକି ଚୁପ୍ ବସିଛି ତାହା ବୁଝିବା ଲୋକ ବୁଝିଗଲେଣି । ଆଗକୁ ତଦନ୍ତର ଫଳାଫଳ ବି କ’ଣ ହେବ ତାହା ସେଥିରୁ ବୁଝା ପଡ଼ିଯାଉଛି ।
ଋଷି ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା । ମେୟରଙ୍କର ତଥାକଥିତ ଏକ ସେକ୍ସ ଭିଡ଼ିଓ ହିଁ ଋଷି ମୃତ୍ୟୁର କାରଣ ବୋଲି ଅଭିଯୋଗ ହୋଇଛି । ସିଧାସଳଖ କହିଲେ ଋଷିଙ୍କ ପାଖରେ ଥିବା ସେକ୍ସ ଭିଡ଼ିଓ ପ୍ରଘଟ ହୋଇଯିବା ଭୟରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଉଠିଛି । ଋଷିଙ୍କୁ ଅତ୍ୟଧିକ ଡ୍ରଗସ୍ ଦେଇ ହତ୍ୟା କରାଯାଇଛି ଏବଂ ଡ୍ରଗସ୍ ବେପାରୀ ମମତାଜ୍ ଠାରୁ ଏହି ଡ୍ରଗସ୍ ଆସିଛି ବୋଲି କୁହାଯାଉଛି । ଘଟଣା ଦିନ ଋଷିର ଶବ କ୍ୟାପିଟାଲ୍ ହସ୍ପିଟାଲ୍ କୁ ବ୍ୟବଚ୍ଛେଦ ପାଇଁ ଆସିଥିଲା ବେଳେ ସେଠି ଉପସ୍ଥିତ ଥିବା ମେୟର ଅତି ନାଟକୀୟ ଢ଼ଙ୍ଗରେ ମମତାଜ୍ କୁୁ ପୁଲିସକୁ ଧରାଇଥିଲେ । ପରବର୍ତ୍ତୀ ସମୟରେ ରହସ୍ୟଜନକ ଭାବେ ପୁଲିସ ତାଙ୍କୁ ଛାଡ଼ିଦେଇଥିଲା । ଏବେ ସେହି ମମତାଜ୍ ପୁଲିସ ପାଇଁ ଅପହଞ୍ଚ ହୋଇଯାଇଛି ।
ମମତାଜ୍ କୁ ଧରିବାରେ ପୁଲିସର ନିଷ୍କ୍ରିୟତାରୁ ତଦନ୍ତ ବାଟବଣା ହୋଇଛି ବୋଲି ଜଣାପଡ଼ିଗଲାଣି । ଏମିତିରେ ପ୍ରଥମରୁ ଦେଖିଲେ ମେୟର ନିଜର ଶତାଧିକ ସମର୍ଥକଙ୍କୁ ଧରି କ୍ୟାପିଟାଲ୍ ଥାନାକୁ ୪ ଘଣ୍ଟାରୁ ଅଧିକ ସମୟ ଧରି କବଜାରେ ରଖି ନାରାବାଜି କରିଥିଲେ ମଧ୍ୟ ପୁଲିସ ଚୁପ୍ ବସିଲା । ସେକ୍ସ ଭିଡ଼ିଓ ଓ ଋଷି ହତ୍ୟାର ମୁଖ୍ୟ ଅଭିଯୁକ୍ତ ମେୟର ହୋଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ତାଙ୍କୁ ନୋଟିସ୍ ଖଣ୍ଡେ ପଠାଇଲାନି । ଅଭିଯୋଗକାରୀ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଓ ନିଆଁଖୁଣ୍ଟା ଡଟ୍ କମ୍ ମାଲିକ ପ୍ରଦୀପ ପାଣ୍ଡେଙ୍କୁ ପୁଲିସ ନୋଟିସ୍ ଦେଲା । ପୁଲିସକୁ ସେମାନେ ଭରପୁର ସହଯୋଗ ଦେଇ ନିର୍ଦ୍ଧାରିତ ସମୟରେ ଥାନାରେ ହାଜର ହେଉଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଆଇଆଇସି ବିଭିନ୍ନ ଆଳରେ ଅନୁପସ୍ଥିତ ରହିଲେ । ଅଭିଯୁକ୍ତ ସିନା ପୁଲିସକୁ ଡରିବା କଥା ହେଲେ ଏଠି ପୁଲିସ ଅଭିଯୁକ୍ତଙ୍କୁ ଡରି ପଳୋଉଛି । ଥାନାକୁ ଡାକି ପଚାରିବାର ସାହାସ ହରାଇ ଛୁ ମାରୁଛି । କ୍ୟାପିଟାଲ୍ ଥାନାର ବିଚିତ୍ର ତଦନ୍ତକୁ ଦେଖି ରାଜ୍ୟରେ ଯେ ପୁଲିସ ବ୍ୟବସ୍ଥା କାମ କରୁଛି ସନ୍ଦେହ ଲାଗିଲାଣି ।
ଆଉ ଶେଷରେ ରହିଲେ ଶକ୍ତିଶାଳୀ ମେୟର ମହୋଦୟ । ବାସ୍ତବରେ ଯିଏ ଯାହା କହୁ କି ତାଙ୍କ ବିରୋଧରେ ଯେତେ କଦର୍ଯ୍ୟ ଅଭିଯୋଗ ହେଉ ସେ ଯେ ସାଂଘାତିକ କ୍ଷମତାଶାଳୀ ତାହା ଦେଖାଇ ସାରିଲେଣି । ରାଜ୍ୟର ଶାସନମୁଖ୍ୟ ନବୀନ ପଟ୍ଟନାୟକଙ୍କର ବି ସାହାସ ପାଉନି ତାଙ୍କ ଦେହରେ ହାତ ମାରିବାକୁ । ମେୟର କଳଙ୍କରେ ସମଗ୍ର ଦଳ ପୋତି ହୋଇସାରିଥିଲେ ମଧ୍ୟ ଆଜି ବି ସେ ନବୀନଙ୍କର ଗେହ୍ଲା ପୁଅ । ପୁଲିସ ଏକଥା ଜାଣି ସାରିଲା ପରେ ଠିକଣା ବାଟରେ ତଦନ୍ତ କରିବାର ଜୁ ହରାଇ ବସିବା ସ୍ୱାଭାବିକ । କମିସନରେଟ୍ ପୁଲିସର ବହୁ ବରିଷ୍ଠ ଅଧିକାରୀ ଏକଥା ସ୍ୱୀକାର କରିଛନ୍ତି । ମେୟର ପ୍ରେମରେ ଅନ୍ଧ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଖୁସି କରାଇବା ପାଇଁ ତାଙ୍କର ଚେଲାଚାମଣ୍ଡାମାନେ ବି ଅମୋଘ ସୂତ୍ର ବତାଇ ଦେଇଛନ୍ତି । ସୂତ୍ରଟି ହେଲା ମିଡ଼ିଆ ଚୁପ୍ ହୋଇଗଲା ପରେ ଲୋକଙ୍କ ମନରୁ ସବୁ ପାଶୋରି ଯିବ । ସେ ପର୍ଯ୍ୟନ୍ତ ଆଖି ବୁଜିଦେଲେ ଗଲା ।