ଭୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟ ଉପରେ କଟୁ ଓ ଅରୁଚିକର ମନ୍ତବ୍ୟ ଦେଇ ଝାରପଡ଼ା ଜେଲରେ ଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଆଜି ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ । ମାତ୍ର ଗୃହ କମିଟି ମାଗିଥିବା ସତ୍ୟପାଠକୁ ସେ ଦାଖଲ କରିପାରି ନ ଥିଲେ । ସେଥିପାଇଁ ଆଉ କିଛି ସମୟ ମାଗିଥିଲେ । ଗୃହ କମିଟି ତାଙ୍କୁ ଆସନ୍ତକାଲି(ଶନିବାର)କୁ ସମୟ ଦେଇଛନ୍ତି । କାଲି ଦିନ ୧୧ଟା ବେଳେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି । ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ।

ଓଡ଼ିଶା ବିଧାନସଭା ସଦସ୍ୟଙ୍କୁ ‘ବୁଦ୍ଦୁ’ ବୋଲି କହିଥିବା ଅଭିଜିତ୍ ଆୟାରଙ୍କୁ ଗତ ୨୩ ତାରିଖରେ ବିଧାନସଭା ଗୃହ କମିଟି ପ୍ରଥମ ଥର ପାଇଁ ଜେରା କରିଥିଲା । ସେଦିନ ଜେରା ହେଲା ପରେ ତାଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ଅନୁଯାୟୀ ୨୩ ତାରିଖ ରାତିରୁ ଜେଲ୍ ରେ ଥିବା ଅଭିଜିତ୍ ଆଜି ଗୃହ କମିଟି ଆଗରେ ହାଜର ହୋଇଥିଲେ । ଦିନ ୧୧ଟା ବେଳେ ଗୃହ କମିଟିରେ ହାଜରେ ହେବାକୁ ସମୟ ଦିଆଯାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୁଲିସ ତାଙ୍କୁ ସକାଳ ୯ଟା ବେଳେ ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ବଳୟରେ ବିଧାନସଭାକୁ ନେଇଥିଲା । ସାଢ଼େ ୧୧ଟା ବେଳେ ତାଙ୍କୁ ଗୃହ କମିଟି ଆଗରେ ପୁଲିସ ହାଜର କରାଇଥିଲା ।
ସତ୍ୟପାଠ କାଇଁ ବୋଲି ଗୃହ କମିଟି ଅଧ୍ୟକ୍ଷ ପ୍ରଶ୍ନ କଲାରୁ ଅଭିଜିତ୍ କହିଥିଲେ ଯେ ତାଙ୍କ ଓକିଲ ଏହା ନେଇକି ଆସୁଛନ୍ତି । କମିଟି ୫ ମିନିଟ୍ ଅପେକ୍ଷା କରିଥିଲେ । ମାତ୍ର ତାଙ୍କ ଓକିଲଙ୍କର ଦେଖା ନ ଥିଲା । ଅଭିଜିତ୍ ଏଥିପାଇଁ ପୁନର୍ବାର ସମୟ ଆବେଦନ କରିଥିଲେ । କମିଟି ତାଙ୍କ ଆବେଦନ ରକ୍ଷା କରି ସତ୍ୟପାଠ ଦାଖଲ ସମୟ କାଲି ୧୧ଟା ବେଳକୁ ଧାର୍ଯ୍ୟ କରିଥିଲେ । ଏଭଳି ଭାବେ କମିଟି ତାଙ୍କୁ ଶେଷ ସୁଯୋଗ ଦେଇଥିଲା । କମିଟି ଆଗରେ ୧୦ ମିନିଟ୍ ରହିଲା ପରେ ୧୧.୪୦ ମିନିଟ୍ ସମୟରେ ଅଭିଜିତ୍ ଙ୍କୁ ସେଠାରୁ ଫେରି ଯିବା ପାଇଁ ଅନୁମତି ଦିଆଯାଇଥିଲା । ପୁଲିସ କର୍ଡନ ଭିତରେ ଅଭିଜିତ୍ ଫେରି ଯାଇଥିଲେ ଝାରପଡ଼ା ଜେଲ୍ ।
Continue Reading






