ଭୁୁବନେଶ୍ୱର: ବିଜେଡ଼ିରେ ଟିକେଟ ବିଦ୍ରୋହୀଙ୍କ ମଜା ନେଉଥିବା ବିଜେପି ଏବେ ନିଜେ ସେହି ଖାଲରେ । ଗତକାଲି ବିଳମ୍ବିତ ରାତିରେ ପ୍ରଥମ ଦଫା ତାଲିକା ଘୋଷଣା ହେଉ ହେଉ ଦଳରେ ବିଦ୍ରୋହ ଦେଖାଦେଇଛି । ଭୁବନେଶ୍ୱର ଏକାମ୍ର ଆସନରୁ ଆଶାୟୀ ଥିବା ଅମୀୟ ଦାଶଙ୍କ ସମର୍ଥକମାନେ ରାତି ଅଧରେ ବଳ ଦେଖାଇଛନ୍ତି । ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଘରକୁ ଆସି ତାଙ୍କ କାର୍ ଭାଙ୍ଗିଦେବା ସହ ବିଜେପି ଅଫିସ ଯାଇ ଚଢ଼ଉ କରିଛନ୍ତି । ଅମୀୟଙ୍କୁ ଟିକେଟ ନ ଦେଲେ ସେମାନେ ବିଦ୍ରୋହ କରିବେ ବୋଲି ଧମକ ଦେଇଛନ୍ତି ।

ଗତକାଲି ରାତିରେ ପ୍ରାର୍ଥୀ ତାଲିକା ଘୋଷଣା ହେଲା ମାତ୍ରେ ଅମୀୟ ଦାଶଙ୍କ ସମର୍ଥକମାନେ ମେଳି ହୋଇ ରାସ୍ତାକୁ ଓହ୍ଲାଇ ଆସିଥିଲେ । ବିଜେଡ଼ିରୁ ଆସିଥିବା ବାବୁ ସିଂ ଟିକେଟ ପାଇବାକୁ ସେମାନେ ବରଦାସ୍ତ କରିନାହାନ୍ତି ।୧୦ ବର୍ଷ ଧରି ବିଜେପି ପାଇଁ ରକ୍ତ ଦେଉଛନ୍ତି । ମାତ୍ର ବିଜେଡ଼ି ଟିକେଟରୁ ବଞ୍ଚିତ ହୋଇଥିବା ବାବୁ ସିଂଙ୍କୁ ଦଳକୁ ଆଣି ଟିକେଟ ଦେଲେ । ଏହାକୁ ଆମେ ମାନିବୁ ନାହିଁ ବୋଲି ଧମକ ଦେଇଥିଲେ । ରାତି ଗୋଟାଏ ବେଳକୁ ଅମୀୟଙ୍କ କ୍ଷୁବ୍ଧ ସମର୍ଥକମାନେ ପୁରୁଣା ଭୁବନେଶ୍ୱରସ୍ଥିତ ସମୀର ମହାନ୍ତିଙ୍କ ଘର ଆଗକୁ ଯାଇ ହୋ ହଲ୍ଲା କରିବା ସହ ତାଙ୍କ କାର୍ କୁ ଢ଼େଲାପଥର ମାଡ଼ କରିଥିଲେ । ସମୀର ପାର୍ଟି ଅଫିସରେ ଥିବା ଖବର ପାଇ ସେଠାକୁ ଛୁଟିଥିଲେ । ପାର୍ଟି ଅଫିସ ପରିସରରେ ବସିଥିବା ସମୀରଙ୍କୁ ଘେରିଯାଇ କୈଫୟତ୍ ମାଗିଥିଲେ । ସମୀର ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ । ଆସନ୍ତାକାଲି ଦଳର ନେତୃତ୍ୱ ସହ ଏ ସମ୍ପର୍କରେ ଆଲୋଚନା କରାଯିବାର ପ୍ରତିଶ୍ରୁତି ଦେଲା ପରେ ଅମୀୟଙ୍କ ସମର୍ଥକମାନେ ଘରକୁ ଫେରିଥିଲେ ।
ଖାଲି ଏକାମ୍ର ନୁହେଁ ଟିକେଟରୁ ବଞ୍ଚିତ ବିଭିନ୍ନ ଜାଗାରେ ଆଶାୟୀଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । କୋରେଇରେ ସଞ୍ଚିତା ମହାନ୍ତି, ସତ୍ୟବାଦୀରେ ରମାରଂଜନ ବଳିଆରସିଂଙ୍କଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଆଶାୟୀ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
Continue Reading





