ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ପିସିସି ମଙ୍ଗ ଧରିବେ । କଂଗ୍ରେସ ପ୍ରତି ଲୋକଙ୍କୁ ଏମିତି କିମିଆ କରିବେ ଯେ ହାତ ଆଡକୁ ଭୋଟ ବାଡେଇ ଛାଟି ହେବ । ଦଳର ବରିଷ୍ଠ ନେତା ତଥା ମୁଖ୍ୟ ସଚେତକ ତାରା ଓରଫ୍ ଭାଲୁ ବାହିନୀପତି ଆଜି ଏଭଳି ଅବଗଣନା କରିଛନ୍ତି । ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସର ଉଜ୍ଜଳ ଭବିଷ୍ୟତ ଶୁଙ୍ଘି ୮/୧୦ ଜଣ ବିଜେଡ଼ି ବିଧାୟକଙ୍କର କୁଆଡେ ଲାଳ ଗଡ଼ିଛି । ବିଜେଡ଼ି ଛାଡ଼ି ସେମାନେ କଂଗ୍ରେସରେ ମିଶିବାକୁ ବାଡେଇ ଛାଟି ହଉଛନ୍ତି । ଏ ନେଇ ସେମାନେ ଭାଲୁଙ୍କ ସହ କଥା ହୋଇଛନ୍ତି । ଆଜି ମିଡ଼ିଆ ସାମନାରେ ନିଜେ ସେ ଏହି ଦମ୍ଭୋକ୍ତି ବଖାଣିଛନ୍ତି । ତାଙ୍କ କଥାରେ ହଣ୍ଡ୍ରେଡ୍ ପର୍ସେଣ୍ଟ ଗ୍ୟାରେଣ୍ଟ ଦେଇ କହିଛନ୍ତି ସେ ସବୁବେଳେ ସତ କହନ୍ତି । ଯାହା କହୁଛନ୍ତି ସତ ନା ମିଛ ଆଗକୁ ଦେଖିବ ବୋଲି ତାରା ଓରଫ୍ ଭାଲୁ ଜୋର୍ ଦେଇ କହିଛନ୍ତି ।
ସେପଟେ ତାରାଙ୍କୁ କଡ଼ା ଟକ୍କର ଦେଇଛନ୍ତି ସୂର୍ଯ୍ୟ । ବିଜେଡ଼ିର ଏହି ବରିଷ୍ଠ ମନ୍ତ୍ରୀ ତଥା ମୁଖପାତ୍ର ତାରାଙ୍କ ବୟାନକୁ ଗିଳି ତାଙ୍କ ଆଡକୁ ବାନ୍ତି କରିଛନ୍ତି । ଓଲଟି କହିଛନ୍ତି ନାଇଁହୋ କଥାଟା ସେୟା ନୁହଁ । କଂଗ୍ରେସର କିଛି ବିଧାୟକ ବିଜେଡ଼ି ଆସିବାକୁ ଫୁଲ୍ ଦମ୍ ରେ ଲାଗିଛନ୍ତି । ଏ ନେଇ ସେମାନେ ତାଙ୍କ ସହ ସିଧାସଳଖ କଥା ହୋଇଛନ୍ତି ବୋଲି ସୂର୍ଯ୍ୟ ବେଟ୍ ମାରିଛନ୍ତି । ତାରା-ସୂର୍ଯ୍ୟଙ୍କ ଏହି ବୟାନ ଲଢ଼େଇ ରାଜନୈତିକ ମହଲକୁ ମଜ୍ଜାର ଖୋରାକି ଦେଇଛି ।
ଷାଠିଏ ମହଣ ଘିଅ ହବ ନା ରାଧା ନାଚିବ! ଓଡ଼ିଆର ଏହି ଢ଼ଗ ତାରାଙ୍କ ବୟାନ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଛି । ଅର୍ଥାତ ପ୍ରସାଦ ହରିଚନ୍ଦନ ହଟିବେ ଆଉ ନିରଞ୍ଜନ ପଟ୍ଟନାୟକ ପିସିସି ମଙ୍ଗ ଧରି କଂଗ୍ରେସକୁ ଓଲଟାଇ ଦେବେ । କଂଗ୍ରେସ ଏମିତି ଉଠିବ ଯେ ବିଜେଡ଼ି ଛିନଛତ୍ର ହୋଇଯିବ । ନବୀନଙ୍କ ହାତଛାଡ଼ି ବିଧାୟକମାନେ ନିରଞ୍ଜନଙ୍କ ଖୁଆଡକୁ ଡେଇଁବେ । ହାତ ଚିହ୍ନରେ ଲଢ଼ି ବିଜୟବାନା ଉଡାଇବେ । ବାସ୍ତବ କଥା ହେଉଛି, ରାଜ୍ୟରେ କଂଗ୍ରେସ ସ୍ଥିତି ଯାହା ବର୍ତ୍ତମାନ ସ୍ୱଂୟ ଭଗବାନ ଆସିଲେ ବି ଦଳକୁ ଉଦ୍ଧାର କରିପାରିବେ ନାହିଁ ବୋଲି ଜନସାଧାରଣ ଟାହିଟାପରା କରୁଛନ୍ତି । ନିରଞ୍ଜନ ଆସିଲେ ପଇସା ଖଟାଇ କର୍ମୀଙ୍କୁ ହୋ ହଲ୍ଲା କରାଇପାରନ୍ତି । ହେଲେ ଭୋଟ ପାଇ କ୍ଷମତାକୁ ଆସିବା କଂଗ୍ରେସ ପାଇଁ ସ୍ୱପ୍ନ । କଂଗ୍ରେସର ଏଭଳି ଦୁର୍ଦ୍ଦିନ ଅବସ୍ଥା ବେଳେ ବିଜେଡ଼ି ଛାଡ଼ି କିଛି ବିଧାୟକ କଂଗ୍ରେସକୁ ଡେଇଁବା ଅନେକଙ୍କୁ ଆଈ ମା ଗପ ଭଳି ଲାଗୁଛି । ସୁତରାଂ ତାରାଙ୍କ ବୟାନକୁ ସେମାନେ ହତାଶାର ପ୍ରଳାପ ବୋଲି କହୁଛନ୍ତି ।
ସେପଟେ ସୂର୍ଯ୍ୟ ଯାହା କହୁଛନ୍ତି ତାହା କିନ୍ତୁ ଅନେକଙ୍କୁ ସତ ମନ ହଉଛି । କାରଣ ଦଳର କିଛି ବିଧାୟକ ବିଜେଡ଼ିରେ ଯୋଗଦେଉଥିବା ନେଇ ବହୁ ପୂର୍ବରୁ ଚର୍ଚ୍ଚା ଲାଗିରହିଛି । ସଂପୃକ୍ତ ବିଧାୟକମାନେ ବିଜେଡ଼ି ସହ ଗୋପନ ଯୋଗନ ସୂତ୍ରରେ ଅଛନ୍ତି । ଏବଂ ଠିକ୍ ମୌକା ଦେଖି ଡେଇଁ ଆସିବେ ବୋଲି କୁହାଯାଉଛି । ପ୍ରସାଦ ବିରୋଧୀ କ୍ୟାମ୍ପର ଅଧିକାଂଶ ବିଧାୟକଙ୍କ ନାଁ ଏହି ଚର୍ଚ୍ଚାରେ ଅଛି । ନିରଞ୍ଜନ ସଭାପତି ହେଲେ ସାମୟିକ ଭାବେ ସେମାନେ କଂଗ୍ରେସରେ ଢ଼ୁଳେଇ ପାରନ୍ତି । ହେଲେ ସେ ରଙ୍ଗ ଯେ ନିର୍ବାଚନ ପର୍ଯ୍ୟନ୍ତ ରହିବ ତାହା ରାଜନୈତିକ ମହଲ ବିଶ୍ୱାସ କରୁନାହାନ୍ତି । କଂଗ୍ରେସରେ ରହି ଭୋଟ ପାଇବାର ଆଶା ହରାଇଲା ପରେ ସେମାନେ ବିଜେଡ଼ି ନ ହେଲେ ବିଜେପି ଯିବାକୁ ଗୋଡ଼ ଟେକି ବସିଥିବା କୁହାଯାଉଛି । କାରଣ ଦଳ ଆନୁଗତ୍ୟ ନୁହେଁ ନେତାଙ୍କ ପାଇଁ ଭୋଟ ଦରକାର । ବିନା କ୍ଷମତା ମୋହରେ ନେତାମାନେ ଆଉ ସମାଜସେବା କରିବାକୁ ଆସୁନାହାନ୍ତି । ନିରଞ୍ଜନଙ୍କ ପ୍ରତି ଅହେତୁକ ଆନୁଗତ୍ୟ ଦେଖାଇ ତାରା ଏଭଳି ବୟାନ ଦେଇପାରିଥାଆନ୍ତି । ପାର୍ଟି ଲାଇନ୍ ରେ ତାଙ୍କୁ ଅବଶ୍ୟ ସେଥିପାଇଁ ତାରିଫ୍ କରାଯିବା କଥା ।