ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ମାନସ ରଞ୍ଜନ ମଙ୍ଗରାଜ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକ ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ ।
ଏହି ଅବସରରେ ଶ୍ରୀ ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଦେଇଥିବା 5-T ମନ୍ତ୍ର ଉପରେ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ସେ ନିଜେ ଯତ୍ନବାନ ହେବେ ବୋଲି ପ୍ରତିଶ୍ରୁତି ଦେବା ସହ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ । ଆଗାମୀ ଦିନରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ ଏବଂ ସମସ୍ତ ସରକାରୀ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ 5-T ଆଧାରରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ ।
ସୂଚନାଥାଉକି, ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ମିଡ଼ିଆ ଉପଦେଷ୍ଟା ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ଗଣମାଧ୍ୟମ ସମ୍ପର୍କିତ ପ୍ରସଙ୍ଗରେ ସେ ସରକାରଙ୍କୁ ପରାମର୍ଶ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ବିଜେଡ଼ିର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଦାୟିତ୍ୱକୁ ମାନସ ସୁଚାରୂରୂପେ ତୁଲାଇଥିଲେ ।