ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପାଣି ପିଉଛନ୍ତି । କଂଗ୍ରେସ ବିଧାୟକ ଦଳଙ୍କୁ ହାତଛଡ଼ା କରିଥିବା ପ୍ରସାଦ ଏବେ ଯୁବଛାତ୍ର ଗୋଷ୍ଠୀର ଆକ୍ରୋଶରେ ପଡ଼ିଛନ୍ତି । ଲୁଲୁ ମହାପାତ୍ରଙ୍କ ନିଧନ ପରେ ଅନୁଗାମୀମାନେ ବି.କେ.ହରିପ୍ରସାଦଙ୍କ ସହ ପ୍ରସାଦଙ୍କୁ ବି ଟାର୍ଗେଟ୍ କରିଛନ୍ତି । ଏଭଳି ମଉକାର ଭରପୂର ଫାଇଦା ନେଉଛନ୍ତି ପ୍ରସାଦ ବିରୋଧୀ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ । ରାହୁଲ ଗାନ୍ଧୀଙ୍କ ମୈଲମ୍ ଏଠି କାଟୁ କରିବା ଅବସ୍ଥା ବାହାରକୁ ଚାଲିଯାଇଛି ।
ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ କିଭଳି ଭୟାନକ ମୋଡ଼ ନେଉଛି ତାହାର ଏକ ନିଚ୍ଛକ ନମୁନା ସାମନାକୁ ଆସିଛି । ପ୍ରସାଦ ହରିଚନ୍ଦନଙ୍କ ସୁରକ୍ଷାକବଚ ସାଜିଥିବା ହରିପ୍ରସାଦଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିିଛନ୍ତି ଲୁଲୁ ସମର୍ଥକ ଗୋଷ୍ଠୀ । ହରିପ୍ରସାଦ ଯୌନ କେଳେଙ୍କାରୀରେ ଲିପ୍ତ ରହିଛନ୍ତି ବୋଲି ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ନରେଶ ମହାନ୍ତି ସଙ୍ଗୀନ ଅଭିଯୋଗ ଆଣଇଛନ୍ତି । ଭୁବନେଶ୍ୱରର ପଞ୍ଚ ତାରକା ହୋଟେଲରେ ସେ ନିର୍ଦ୍ଦିଷ୍ଟ ମହିଳାଙ୍କ ସହ ଅନୈତିକ କାର୍ଯ୍ୟ କରୁଛନ୍ତି ବୋଲି ଖାଲି ଆରୋପ କରିନାହାନ୍ତି ବରଂ ତାଙ୍କ ପାଖରେ ଏହାର ଭିଡିଓ ସିଡି ରହିଥିବା ଦାବି କରିଛନ୍ତି । ଖୁବ୍ ଶୀଘ୍ର ଏହା ଗଣମାଧ୍ୟମକୁ ଦେବେ ବୋଲି ନରେଶ କହିଛନ୍ତି । ହରିପ୍ରସାଦ ଓଡ଼ିଶା କଂଗ୍ରେସକୁ ଧ୍ୱଂସ୍ତ ବିଧ୍ୱସ୍ତ କରିଦେଲେଣି । ଏଠୁ ସେ ବିଦା ନ ହେଲା ପର୍ଯ୍ୟନ୍ତ କଂଗ୍ରେସ ଉଧେଇ ପାରିବ ନାହିଁ ବୋଲି ମୁକ୍ତ କଣ୍ଠରେ ଚାଲେଂଜ ଦେଇଛନ୍ତି । ନରେଶଙ୍କ ଏହି ଅଭିଯୋଗକୁ ଅଧିକାଂଶ ଛାତ୍ରଯୁବ କଂଗ୍ରେସ ନେତା ସମର୍ଥନ ଜଣାଇଛନ୍ତି । ହରିପ୍ରସାଦ ଓ ପ୍ରସାଦଙ୍କ ବିରୋଧରେ ସେମାନେ ଯୁଦ୍ଧ ଡାକରା ଦେଇଛନ୍ତି ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିଲା ବେଳେ କଂଗ୍ରେସରେ ଏଭଳି ସଙ୍କଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବହୁ ପୁରୁଖା ନେତା । କ୍ଷମତାଲିପ୍ପସୁଙ୍କ କଳି ଯୋଗୁଁ ଦଳ ଛାରଖାର ହୋଇଗଲାଣି ବୋଲି ସେମାନେ କହିଛନ୍ତି । ସେପଟେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ମଧ୍ୟ କଂଗ୍ରେସ କନ୍ଦଳର ଶେଷ ଦେଖି ପାରୁନାହାନ୍ତି । କଂଗ୍ରେସ ପ୍ରଭାରୀ ହରିପ୍ରସାଦଙ୍କୁ ହାତରେ ରଖି ପ୍ରସାଦ ତାଙ୍କ ଗାଦି ସୁରକ୍ଷାରେ ଲାଗିପଡ଼ିଥିଲା ବେଳେ ତାଙ୍କୁ ହଟାଇବା ପାଇଁ ନରସିଂହ ମିଶ୍ରଙ୍କ ବିଧାୟକ ଦଳ ସହ ହାତ ମିଳାଇଛନ୍ତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଗୋଷ୍ଠୀ । ପ୍ରସାଦଙ୍କୁ ହଟାଇବା ଚକ୍ରାନ୍ତ ନିରଞ୍ଜନ ଓ ଜୟଦେବଙ୍କୁ ଏକାଠି କରିଦେଇଛି । ଶ୍ରୀକାନ୍ତ ଜେନା ଧରାପଡୁ ନ ଥିଲେ ମଧ୍ୟ ପ୍ରସାଦଙ୍କ ବିରୋଧରେ ମନ୍ତ୍ରଣା ଦେଉଛନ୍ତି । ସୁତରାଂ କଂଗ୍ରେସର ଏତେବଡ଼ ଶକ୍ତିଶାଳୀ ବାହିନୀକୁ ପ୍ରସାଦ ସାମନା କରିବା କଷ୍ଟକର ହୋଇପଡ଼ିଛି । ମହମ୍ମଦ ମୋକିମ୍ ଙ୍କ ଭଳି ହାତଗଣତି ନେତାଙ୍କ ସହାୟତାରେ ୨୩ ଟି ଜିଲ୍ଲା ସଂଗଠନ ସଭାପତିଙ୍କୁ ପ୍ରସାହ ହାତରେ ରଖିଥିଲେ ମଧ୍ୟ ବରିଷ୍ଠ ନେତାଙ୍କ ମନ୍ତ୍ରଣା ଓ ବିଧାୟକ ଗୋଷ୍ଠୀର ହମଲା ପ୍ରସାଦଙ୍କୁ ଅଣନିଶ୍ୱାସୀ କରିଦେଇଛି ।
ଏହି ସମୟକୁ ହରିପ୍ରସାଦଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ମାମଲାକୁ ଜଟିଳ କରିଦେଇଛି । ଲୁୁଲୁ ସମର୍ଥକଙ୍କ ଭାବାବେଗ ଧରି ପ୍ରସାଦଙ୍କୁ ଗାଦିଚ୍ୟୁତ କରିବାର ବଳ ପାଇଯାଇଛନ୍ତି ବିରୋଧୀ ଷ୍ଟଲୱର୍ଟ ଗୋଷ୍ଠୀ । ସଙ୍କଟରୁ ପ୍ରସାଦ କିଭଳି ଉଦ୍ଧାର ପାଇବେ ବୁଦ୍ଧିବାଟ ପାଉ ନାହାନ୍ତି । “ମୁଁ ନୁହେଁ ଆମେ’ କଥା କହୁଥିବା ପ୍ରସାଦଙ୍କ ଏବେ “ମୁଁ’ ହୋଇ ନିଜର ସୁରକ୍ଷାରେ ଲାଗିପଡ଼ିଛନ୍ତି । ହରିପ୍ରସାଦଙ୍କ ଭଳି ଦିଲ୍ଲୀ କଂଗ୍ରେସ ନେତୃତ୍ୱକୁ ସିଧା ବଙ୍କା ଚାଲେଂଜ ଦେଉଥିବା କଂଗ୍ରେସ ନେତାମାନେ ଯେ ତାଙ୍କୁ ଡରିବେ ଓ ତାଙ୍କ ନେତୃତ୍ୱରେ ଦଳକୁ ଆଗେଇ ନେବେ ପ୍ରସାଦଙ୍କର ସେ ଆଶା ମଉଳି ଯାଇଛି । ଏଭଳି ଅବସ୍ଥାରେ ସଂଗଠନ ସଜାଡ଼ିବାର ତାକତ୍ ହରାଇ ରାହୁଲଙ୍କ ଭରସାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରସାଦ ।