ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଖୁବଶୀଘ୍ର ଦଳରୁ ବହିଷ୍କାର କରାଯିବ । ଆଜି ଏହାର ସଙ୍କେତ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇବା ପରେ ବୈଜୟନ୍ତଙ୍କ ବହିଷ୍କାର ବାଟ ପ୍ରସ୍ତୁତ ହୋଇଥିବା କୁହାଯାଉଛି । ଗତ ଜାନୁଆରୀ ୧୮ ତାରିଖରେ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ ପାଇଁ ସୁପାରିଶ କରିଥିଲେ । ନିଜ ନିର୍ବାଚନମଣ୍ଡଳୀରେ ବୈଜୟନ୍ତ ବିଜେଡ଼ି ନେତାଙ୍କ ସହ ସମ୍ପର୍କ ରଖିନାହାନ୍ତି କି ଦଳ ପାଇଁ କାମ କରୁନାହାନ୍ତି ବୋଲି ରିପୋର୍ଟ ଦେଇଥିଲେ । ଓଲଟି ସେ ବିଜେଡ଼ି କର୍ମୀଙ୍କୁ ବିଜେପି ଆଡକୁ ମତାଉଛନ୍ତି ବୋଲି ଧ୍ରୁବ ତାଙ୍କ ରିପୋର୍ଟରେ ଉଲ୍ଲେଖ କରି କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଥିଲେ । ଏହାର ୫ ଦିନ ପରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।
ଅନୁରୂପ ଭାବେ ଆଜି ଧ୍ରୁବ ସାହୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି । ସେଥିରେ ଲେଖିଛନ୍ତି, ବୈଜୟନ୍ତଙ୍କୁ ଦଳରୁ ବହିଷ୍କାର କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାର ତୃଣମୂଳସ୍ତରର କର୍ମୀଙ୍କଠାରୁ ଆରମ୍ଭ କରି ଜିଲ୍ଲାର ଦଳୀୟ କର୍ମକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ଦାବି କରୁଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଉ । ଏହା କରାଗଲେ ଜିଲ୍ଲାବାସୀ ଓ ସାଧାରଣ ଲୋକଙ୍କ ଆସ୍ଥା, ବିଶ୍ୱାସ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନେତୃତ୍ୱ ଉପରେ ଅତୁଟ ରହିବ ।
ଧ୍ରୁବ ତାଙ୍କର ଏହି ସ୍ମାରକପତ୍ରରେ ବୈଜୟନ୍ତଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲାର ଅବତାରଣା କରିଛନ୍ତି । କଟକ ଜିଲ୍ଲା ଟାଙ୍ଗୀ ହରିଅନ୍ତାର ଗୋପାଳ ଚରଣ ଲେଙ୍କା ମାର୍ଚ୍ଚ ୧୫ ତାରିଖରେ କେନ୍ଦ୍ରାପଡ଼ା ଏସଡ଼ିଜେଏମଙ୍କ କୋର୍ଟରେ ଏ ନେଇ ଯେଉଁ ଅପରାଧିକ ମାମଲା ରୁଜୁ କରିଥିଲେ ତାହାକୁ କୋର୍ଟ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦କୁ ଧାର୍ଯ୍ୟ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର କୋଣ ଅନୁକୋଣରୁ ବିଜେଡ଼ି ଶୁଭେଚ୍ଛୁମାନେ ବୈଜୟନ୍ତଙ୍କ ଆଚରଣରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଆଚରଣ ବିଜେଡ଼ି ସ୍ୱାର୍ଥ ଓ ଶୃଙ୍ଖଳାର ବିରୋଧାଚରଣ କରୁଥିବା ମତ ଦେଇଛନ୍ତି । ତାଙ୍କୁ ଦଳରୁ ବହିଷ୍କାର କରି ଉଚିତ୍ ଜବାବ ଦେବାକୁ ଧ୍ରୁବ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି । ଏହା ଉପରେ ଅନୁଧ୍ୟାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ବୈଜୟନ୍ତ ତାଙ୍କ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ଏବଂ ମିଥ୍ୟା ସତ୍ୟପାଠ ଦେବା ମାମଲାଟି ଜିଲ୍ଲା ସଭାପତିଙ୍କ ସମେତ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଜେଡ଼ି ବିଧାୟକ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଦାକୁ ଆଣିଥିଲେ । ବୈଜୟନ୍ତ ଦଳରୁ ନିଲମ୍ବନ ହେବାର ଦିନକ ପରେ ଏହି ଅଭିଯୋଗ ଆସିଥିଲା । ନୈତିକତା ଦୃଷ୍ଟିରୁ ବୈଜୟନ୍ତ ସାଂସଦ ପଦ ଛାଡ଼ିଦେବାକୁ ବିଧାୟକମାନେ ଆହ୍ୱାନ ଦେଇଥିଲେ । ଇତିମଧ୍ୟରେ ବୈଜୟନ୍ତ ଅତ୍ୟଧିକ ପ୍ରତିଶୋଧପରାୟଣ ହୋଇ ବିଜେଡ଼ି ପ୍ରତି ନିଜର ଆଭିମୁଖ୍ୟ କଠୋର କରୁଥିବା ବେଳେ ବିଜେଡ଼ି ମଧ୍ୟ ତାଙ୍କ ଉପରେ ଆହୁରି କଠୋର ହୋଇଛି । ତାଙ୍କ ଟିଭିର ପକ୍ଷପାତିତା ଅଭିଯୋଗ ଆଣି ଦଳ ବୟକଟ କରିସାରିଛି । ଦଳରୁ କେବଳ ବୈଜୟନ୍ତଙ୍କ ବହିଷ୍କାର ବାକି ରହିଯାଇଥିବାରୁ ତାହା ଯଥାଶୀଘ୍ର କରିଦେବାକୁ ବିଜେଡ଼ି ମହଲ ତତ୍ପର ହୋଇଥିବା ଜଣାପଡ଼ିଲାଣି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲା ସଭାପତିଙ୍କ ସ୍ମାରକପତ୍ର ପ୍ରଦାନକୁ ଏକ ଔପଚାରିକ ବୋଲି କୁହାଯାଉଛି ।