ଭୁୁବନେଶ୍ୱର: ୧୮ ତାରିଖରୁ ଆରମ୍ଭ ହୋଇଥିବା ବିଜେଡ଼ିର ଯୁବ-ଛାତ୍ର ସମ୍ପର୍କ ଅଭିଯାନକୁ ନେଇ ଯୁବ ସଂଗଠନରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଯୁବ ସଂଗଠନର ଅଧିକାଂଶ କର୍ମକର୍ତ୍ତାଙ୍କୁ ଏ ସମ୍ପର୍କରେ ଆଦୌ ପଚରାଯାଇନି କି ସେମାନଙ୍କୁ ଏଥିରେ ସାମିଲ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅସନ୍ତୁଷ୍ଟ କର୍ମକର୍ତ୍ତାମାନେ ଆସନ୍ତାକାଲି ସମୁହ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । ଦଳର ସାଧାରଣ କର୍ମୀଭାବେ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ଗତକାଲି କଟକ ସର୍କିଟ୍ ଭବନରେ ଯୁବ ବିଜେଡ଼ିର ପ୍ରାୟ ୮୦ ଜଣ କର୍ମକର୍ତ୍ତା ଏକାଠି ହୋଇଥିଲେ । ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଭଳି ବିଜେଡ଼ିର ଏକ ବିଶାଳ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସଂଗଠନରେ ନିଜକୁ ଉପେକ୍ଷିତ ମନେ କରି ସେମାନେ ସମୂହ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫା ଦେବା ପୂର୍ବରୁ ସେମାନେ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି । ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ ଓ ପ୍ରତାପ ଦେବଙ୍କୁ ଭେଟି ସେମାନେ ନିଜର ଅସନ୍ତୋଷ ଜଣାଇଛନ୍ତି । ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ(ବବି) ଦାସ ଓ ଅରୁଣ ସାହୁଙ୍କୁ ସେମାନେ ଭେଟି ନିଜର ଅସନ୍ତୋଷ ମଧ୍ୟ ଜଣାଇବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରୁ ଗତକାଲିଠାରୁ ଆରମ୍ଭ ହୋଇଛି ବିଜେଡ଼ିର ଯୁବ- ଛାତ୍ର ସମ୍ପର୍କ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର, କୋରାପୁଟ ବରଗଡ଼ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସ୍ଥାନୀୟ ନେତାଙ୍କୁ ଏହି ଅଭିଯାନରେ ଜଡ଼ିତ କରାଯିବ ବୋଲି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଯୁବ ଶାଖା ସଭାପତି ଅମରେଶ ପତ୍ରୀ ଓ ଛାତ୍ର ଶାଖା ସଭାପତି ରାଣାପ୍ରତାପ ପାତ୍ର କହିଥିଲେ । ରାଜ୍ୟ ସରକାରଙ୍କ ସଫଳତା, ଯୁବ-ଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଯୁବ ଓ ଛାତ୍ରଙ୍କୁ ଏହି ଅଭିଯାନ ଜରିଆରେ ଅବଗତ କରାଯିବ ।