ଭୁବନେଶ୍ୱର: ସୁଲୋଚନା ଦାସ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ନବୀନ ତାଙ୍କୁ ଶଙ୍ଖୁଳି ନେଇଛନ୍ତି । କଂଗ୍ରେସ ଭଳି ବିଜେଡ଼ି ତାଙ୍କୁ ମୁଖପାତ୍ର ଆସନ ଦେବ ବୋଲି ସୂଚନା ମିଳିଛି । ଖୁବ୍ ଶୀଘ୍ର ଏହା ଘୋଷଣା ହେବ । ତେବେ ସୁଲୋଚନା ବିଜେଡ଼ି ପାଇଁ ଆସେଟ୍ ନା ଲାଇବେଲିଟି ତାହାକୁ ନେଇ ଦଳୀୟ ମହଲରେ ଗରମା ଗରମି ଚର୍ଚ୍ଚା ହେଉଛି ।
ଗୋଟିଏ ମହଲର ଯୁକ୍ତି ହେଉଛି ସୁଲୋଚନାଙ୍କ ରାଜନୈତିକ କ୍ୟାରିୟର୍ କଂଗ୍ରେସରୁ ଆରମ୍ଭ । ନବୀନ ସରକାରଙ୍କ ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ କଡ଼ା ଭାଷାରେ ସମାଲୋଚନା କରି ତାଙ୍କ ଦିନ ଯାଇଛି । ନିତି ଟିଭିରେ ଲୋକେ ତାଙ୍କ ମୁହଁରୁ ନବୀନ ଗାଳି ଶୁଣିଛନ୍ତି । ନବୀନଙ୍କୁ ଚୋର,ଚାଣ୍ଡାଳ, ମହିଳା ଅତ୍ୟାଚାରୀ କହି ଗାଳି କରିଛନ୍ତି । ସୁଲୋଚନାଙ୍କ ମୁହଁରୁ ଏହି ଘୋଷା ଶୁଣିବାରେ ଲୋକେ ଅଭ୍ୟସ୍ତ ହୋଇଛନ୍ତି । ଏବେ ସେହି ସୁଲୋଚନା ତାଙ୍କ ଜିଭ ଲେଉଟାଇବେ । ଯେଉଁ ପାଟିରେ ନବୀନଙ୍କୁ ଗାଳି ବର୍ଷଣ କରୁଥିଲେ ସେହି ପାଟିରେ ନବୀନଙ୍କ ସ୍ତୁତି ଗାନ କରିବେ । ଯେଉଁ ନବୀନଙ୍କ କାର୍ଯ୍ୟକ୍ରମକୁ ଟାଣ ଭାଷାରେ ସମାଲୋଚନା କରୁଥିଲେ ସେହି ନବୀନଙ୍କ କାର୍ଯ୍ୟକ୍ରମର ପ୍ରଂଶସାରେ ଶତମୁଖ ହେବେ । ଜନସାଧାରଣଙ୍କ ମନକୁ ଏହା କିଭଳି ଛୁଇଁବ ବୋଲି ବିଜେଡ଼ିର ଏହି ମହଲ ପ୍ରଶ୍ନ କରିଛନ୍ତି ।
ସୁଲୋଚନାଙ୍କ ପାଇଁ ଆଉ ଏକ କଣ୍ଟା ରହିଛି ଚିଟଫଣ୍ଡ ଆଡୁ । ଅତୀତରେ ସି-ସୋର ମାଲିକ ପ୍ରଶାନ୍ତ ଦାଶଙ୍କ ସହ ତାଙ୍କର ସମ୍ପର୍କକୁ ବିଜେଡ଼ିର କିଛି ନେତା ମନେ ପକାଇଛନ୍ତି । ସୁଲୋଚନାଙ୍କ ପାଇଁ ଏହା ଖାଲି ବିପଦ ନୁହେଁ, ବରଂ ମୁଖ୍ୟ ବିରୋଧୀ ବିଜେପି ପାଇଁ ଭଲ ଅସ୍ତ୍ର ହେବ ବୋଲି ସେମାନଙ୍କର ଆଶଙ୍କା । ସମଗ୍ର ବିଜେଡ଼ି ପାଇଁ ଏହା ନୂଆ ଅଡୁଆ ଯୋଡି ଦେବ ବୋଲି ସେମାନେ ଭାବୁଛନ୍ତି ।
ଆଉ ଏକ ମହଲ ସୁଲୋଚନାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସାମ୍ବାଦିକରୁ ନେତ୍ରୀ ବନିଥିବା ସୁଲୋଚନା ଦଳ ପାଇଁ ଆସେଟ୍ ବୋଲି ସେମାନେ କହିଛନ୍ତି । ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବଡ଼ ପାଟିଆ ମୁଖପାତ୍ରଙ୍କୁ କାଉଣ୍ଟର ପାଇଁ ସୁଲୋଚନା ଫିଟ୍ ବୋଲି ସେମାନଙ୍କର ଯୁକ୍ତି । ରାଜନୀତିରେ ଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ଆଜି ଯିଏ ଶତ୍ରୁ କାଲିକି ମିତ୍ର ପାଲଟିବା ରାଜନୀତି ଇତିହାସର କଥା । ତେଣୁ ସୁଲୋଚନାଙ୍କ ଆଣ୍ଟି ନବୀନ ଫ୍ରେମ୍ ଲୋକଙ୍କ ମନରେ ବେଶୀ ଦିନ ରହିବନି ବୋଲି ସେମାନେ କହିଛନ୍ତି ।