– ଅଭିଜିତ୍ ଆୟାର ବିରୋଧରେ ବିରୋଧୀ ଦଳ ନେତାଙ୍କ ସ୍ୱାଧିକାର ଭଙ୍ଗ ନୋଟିସ୍
– ପ୍ରଶ୍ନକାଳ ବାତିଲ ହୋଇ ସ୍ୱାଧିକାର ଭଙ୍ଗ ନୋଟିସ୍ ଉପରେ ଆଲୋଚନା
– ଆୟାର ମନ୍ତବ୍ୟ ବିରୋଧରେ ବିଧାୟକଙ୍କ ଗର୍ଜନ
– ଅନୁଧ୍ୟାନ ପାଇଁ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ
ଭୁବନେଶ୍ୱର: ଅଭିଜିତ୍ ଆୟାରର ମନ୍ତବ୍ୟକୁ ନେଇ ଆଜି ବିଧାନସଭା ଅଧିବେଶନର ଶେଷ ଦିନରେ ପ୍ରବଳ ତାତି ଦେଖିବାକୁ ମିଳିଥିଲା । ଦଳ, ମତ, ନିର୍ବିଶେଷରେ ସବୁ ବିଧାୟକ ଏକାଠି ହୋଇ ଆୟାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଗୃହର ଭାବାବେଗକୁ ଦେଖି ବାଚସ୍ପତି ବିଧାନସଭାର ପ୍ରଶ୍ନୋତ୍ତର କାଳକୁ ବାତିଲ କରି ଆୟାର ପ୍ରସଙ୍ଗ ଆଲୋଚନା ପାଇଁ ଅନୁମତି ଦେଇଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ଆଗତ ସ୍ୱାଧିକାର ଭଙ୍ଗ ନୋଟିସ୍ ଉପରେ ଆଲୋଚନାରେ ସବୁ ଦଳର ବିଧାୟକମାନେ ଆୟାରଙ୍କ ମନ୍ତବ୍ୟକୁ କଠୋର ନିନ୍ଦା କରିଥିଲେ । ଓଡ଼ିଶା, ଓଡ଼ିଶାର ସଂସ୍କୃତି,ଐତିହ୍ୟ ଓ ସର୍ବୋପରି ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କୁ ବିଦ୍ରୁପ କରିଚାଲିଥିବା ଏଭଳି ଜଣେ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସମସ୍ତେ ଏକାଠି ହୋଇଥିଲେ ।
ଆଜି ବିଧାନସଭା ଆରମ୍ଭ କ୍ଷଣି ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ଆସନରୁ ଉଠି ରାଜ୍ୟର ପ୍ରମୁଖ ଖବରକାଗଜଗୁଡ଼ିରେ ପ୍ରକାଶ ପାଇଥିବା ଅଭିଜିତ୍ ଆୟାରର ମନ୍ତବ୍ୟ ପ୍ରତି ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ଖାଲି ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ସଂପୃକ୍ତ ବ୍ୟକ୍ତି ଅସମ୍ମାନ କରିନାହାନ୍ତି, ଗୃହର ସଦସ୍ୟମାନଙ୍କୁ ବୁଦ୍ଦୁ ବୋଲି ଟିପ୍ପଣୀ ଦେଇଛନ୍ତି । ଓଡ଼ିଶାରେ ଅସ୍ତିତ୍ୱ ନ ଥିବା ସଂପୃକ୍ତ ଅଣଓଡ଼ିଆ ବ୍ୟକ୍ତିଙ୍କୁ ବିଧାନସଭାକୁ ସମନ୍ କରାଯାଉ ଏବଂ କୌଣସି ବାଛବିଚାର କରା ନ ଯାଇ ତାଙ୍କ ପ୍ରତି ଦଣ୍ଡବିଧାନ କରାଯାଉ ବୋଲି ବିରୋଧୀ ଦଳ ନେତା କହିଥିଲେ । ଏ ପ୍ରସଙ୍ଗରେ ସେ ବାଚସ୍ପତିଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେବା ସହ ଗୃହର ପ୍ରଶ୍ନୋତ୍ତର କାଳକୁ ବାତିଲ କରି ଏହା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ବାଚସ୍ପତି ଏହାକୁ ଅବିଳମ୍ବେ ଗ୍ରହଣ କରି ଆଲୋଚନା ପାଇଁ ଅନୁମତି ଦେଇଥିଲେ ।
ଆଲୋଚନା ଆରମ୍ଭ କରି ଶାସକ ଦଳ ସଭ୍ୟ ଡ. ଅରୁଣ କୁମାର ସାହୁ କହିଥିଲେ, ପ୍ରସଙ୍ଗଟି ସମଗ୍ର ଓଡ଼ିଆ ଜାତିର ଭାବାବେଗ ସହ ଜଡ଼ିତ । ଦଳମତ ନିର୍ବିଶେଷରେ ଆମେ ଏକାଠି ହୋଇ ଏଭଳି ଆଚରଣର ଦୃଢ଼ ପ୍ରତିବାଦ କରିବା ଦରକାର । ଅଭିଜିତ୍ ଆୟାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ । ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହାକୁ ସମର୍ଥନ କରିବା ସହ ଆୟାର ମନ୍ତବ୍ୟକୁ ନିନ୍ଦା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଆୟାର ଭଳି ଏକ କଳଙ୍କିତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଓଡ଼ିଆ ଜାତି କଳଙ୍କିତ ହେବ । ସେ କହିଥିଲେ, ଆୟାର ଭଳି ଜଣେ ବ୍ୟକ୍ତି ଜରିଆରେ ଏହା କାହାର ଆକ୍ରାଶ ନୁହେଁ ତ? ସେହି ବ୍ୟକ୍ତି ଜରିଆରେ ସାମ୍ପ୍ରଦାୟିକତା ସୃଷ୍ଟି ପାଇଁ ଉଦ୍ୟମ ନୁହେଁ ତ?
କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଆୟାରଙ୍କ ନାଁ ନେବାକୁ ନ ଚାହିଁ ତାଙ୍କୁ ଜଣେ ବେଇମାନ ବ୍ୟକ୍ତି ବୋଲି କହିଥିଲେ । ତାଙ୍କୁ ଓଡ଼ିଶା ବୁଲାଇ ଆଣିଥିବା ବନ୍ଧୁ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କ ପାଇଁ କ୍ଷମା ପ୍ରାର୍ଥନା ନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ସେହି ବ୍ୟକ୍ତିଟିକୁ ଫାଶୀ ଦେଇଦେବା ପାଇଁ ତାରା ଦାବି କରିଥିଲେ । ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ଆୟାରଙ୍କ ଟିପ୍ପଣୀକୁ କଡ଼ା ସମାଲୋଚନା କରି ବୈଜୟନ୍ତ ପଣ୍ଡାଙ୍କୁ ଆକ୍ଷେପ କରିଥିଲେ । ବୈଜୟନ୍ତ ନିଜର ରାଗ ସୁଝାଇବାକୁ ଅନ୍ୟ କାହା ପାଟିରେ କୁହାଇବାକୁ ଉଦ୍ୟମ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆୟାରଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ତାଙ୍କର ଏଭଳି କହିବା ପଛରେ କେଉଁ ଶକ୍ତିଶାଳୀ ଲୋକ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଓଡ଼ିଶାକୁ ବିକୃତ କରିବାକୁ ଉଦ୍ୟମ କରୁଥିବା ଏହି ଲୋକଟି ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ । ତାଙ୍କର ଏଭଳି ସାହାସ ପଛରେ ବୈଜୟନ୍ତଙ୍କ ସାହାଯ୍ୟ ଓ ସହଯୋଗ ନାହିଁ ତ? କେବଳ ଅଭିଜିତ୍ ଆୟାର ନୁହଁନ୍ତି ତାଙ୍କ ପଛରେ ଯିଏ ଅଛନ୍ତି ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଶ୍ରୀ ନାୟକ ଦାବି କରିଥିଲେ ।
ବିଜେଡ଼ି ବିଧାୟକ ସମୀର ଦାଶ ଆୟାରଙ୍କୁ ଦୃଢ଼କଣ୍ଠରେ ସମାଲୋଚନା କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିରବତାକୁ ପ୍ରଶ୍ନ କରିଥିଲେ ସମୀର । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଆୟାରଙ୍କ ମନ୍ତବ୍ୟକୁ ନିନ୍ଦା କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ପରେ ଗୃହ ମୁଲତବୀ କରାଯାଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଥିଲା । ବୈଠକର ନିଷ୍ପତ୍ତିକୁ ଗୃହରେ ଘୋଷଣା କରିଥିଲେ ବାଚସ୍ପତି । ବାଚସ୍ପତିଙ୍କ ଘୋଷଣା ଅନୁଯାୟୀ ଅଭିଜିତ୍ ଆୟାର ଟିପ୍ପଣୀ ଉପରେ ଏକ ଗୃହ କମିଟି ତଦନ୍ତ କରିବ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ସଦସ୍ୟ ରହିବେ । ଅଭିଜି୍ତ ଆୟାରର ସବୁ ଟିପ୍ପଣୀ ଓ ତାଙ୍କ ପଛରେ ଆଉ କାହାର ହାତ ରହିଛି ଆଦି ପ୍ରସଙ୍ଗର ଅନୁଧ୍ୟାନ କରିବ ଗୃହ କମିଟି । ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିବସରେ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିବେ । ସେହି ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ଘୋଷଣା କରିଥିଲେ ।





