ଭୁବନେଶ୍ୱର: କୁନ୍ଦୁଲିର ମୃତ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇ ନ ଥିଲା । କୋଲକତାସ୍ଥିତ କେନ୍ଦ୍ରୀୟ ଫରେନସିକ୍ ଲାବରେଟୋରି ପରୀକ୍ଷାରୁ ଏମିତିକା ଘଟଣାର ଚିହ୍ନବର୍ଣ୍ଣ ନାହିଁ । ନାବାଳିକାଙ୍କ ଅନ୍ତବସ୍ତ୍ରରେ ନ ଥିଲା କୌଣସି ପୁରୁଷର ସିମେନ୍ । ରାଜ୍ୟ ଫରେନସିକ୍ ଲାବରେଟୋରିର ଚୂଡ଼ାନ୍ତ ରିପୋର୍ଟ ଯାହା କହିଥିଲା କେନ୍ଦ୍ରୀୟ ଲାବରେଟୋରି ରିପୋର୍ଟ ସେୟା ହିଁ କହିଛି । କୋର୍ଟରେ ଦାଖଲ ହୋଇଥିବା କେନ୍ଦ୍ରୀୟ ଲାବରେଟୋରି ରିପୋର୍ଟକୁ ଆଜି ସର୍ବସାଧାରଣ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ । ଏଥିସହ ଓଟିଭି ଏହାକୁ ନେଇ ସୃଷ୍ଟି କରିଥିବା ଦ୍ୱନ୍ଦ ଓ ବିବାଦ ଦୂର ହୋଇଛି ।
ଗତ ଜାନୁଆରୀ ୨୫ ତାରିଖରେ ଓଟିଭିରେ ଖବର ହୋଇଥିଲା କି କୁନ୍ଦୁଲି ପୀଡ଼ିତାଙ୍କ ଫରେନସିକ୍ ରିପୋର୍ଟକୁ ଚଞ୍ଚକତା କରାଯାଇଛି । ଚୂଡ଼ାନ୍ତ ରିପୋର୍ଟରେ ପୀଡ଼ିତାଙ୍କ ଅନ୍ତବସ୍ତ୍ରରେ କୌଣସି ସିମେନ୍ ର ଚିହ୍ନବର୍ଣ୍ଣ ନ ଥିବା ବେଳେ ଇଣ୍ଟର ଡିଭିଜିନାଲ୍ ରିପୋର୍ଟରେ ଦୁଇଜଣ ପୁରୁଷଙ୍କ ସିମେନ୍ ଦର୍ଶାଯାଇଥିଲା । ତଥାକଥିତ ଅନ୍ତରୀଣ ରିପୋର୍ଟକୁ ଧରି ରାଜ୍ୟ ସରକାରଙ୍କ ଉପରେ ହମଲା କରିଥିଲା ଓଟିଭି । ଗଣଦୁଷ୍କର୍ମ ଘଟଣା ଚପେଇ ଦେବାକୁ ସରକାରଙ୍କ ଷଡ଼ଯନ୍ତ୍ର ଧରାପଡ଼ିଗଲା ବୋଲି ଚିଲେଇଥିଲା । ଏହି ଖବରକୁ ନେଇ ବିରୋଧୀ ଦଳ ବେଶ୍ ତୁମ୍ବିତୋଫାନ କରିଥିଲେ । ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରାଜ୍ୟ ସରକାର ରିପୋର୍ଟର ପୁନଃଯାଞ୍ଚ ପାଇଁ କେନ୍ଦ୍ରୀୟ ଫରେନସିକ୍ ଲାବ୍ କୁ ପଠାଇଥିଲେ । ଓଟିଭି ପ୍ରସାରିତ ଖବରରେ କୌଣସି ସତ୍ୟତା ନାହିଁ ବୋଲି ଏବେ ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇବ୍ରାଞ୍ଚ ଏସପି ଏହାର ସବିଶେଷ ସୂଚନା ଦେଇଥିଲେ ।
ଗତ ଅକ୍ଟୋବର ୧୦ ତାରିଖରେ ନାବିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପ୍ରିନସ୍ ପରିଡ଼ା ତାଙ୍କର ପ୍ରାଥମିକ ପରୀକ୍ଷା କରିଥିଲେ । ନାବାଳିକାଙ୍କ ପ୍ରାଇଭେଟ୍ ପାର୍ଟରେ କୌଣସି କ୍ଷତ ଚିହ୍ନ ନ ଥିବା ଡାକ୍ତର ଦର୍ଶାଇଥିଲେ । ସେହିଦିନ ଓ ପରଦିନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସୁଦୀପା ଦାଶଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତାଙ୍କର ପରୀକ୍ଷା କରିଥିଲେ । ନାବାଳିକାଙ୍କ ସହ କୌଣସି ଦୁଷ୍କର୍ମ ହୋଇ ନ ଥିବା ରିପୋର୍ଟ ଆସିଥିଲା । ପରବର୍ତ୍ତୀ ସମୟରେ ନାବାଳିକାଙ୍କ ଅନ୍ତବସ୍ତ୍ରକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଫରେନସିକ୍ ଲାବ୍ କୁ ପରୀକ୍ଷା ପାଇଁ ପଠାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ସଂସ୍ଥାର ନିର୍ଦ୍ଦେଶକ ଏହାର ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ନାବାଳିକାଙ୍କ ଅନ୍ତବସ୍ତ୍ରରେ ସିମେନ୍ ନ ଥିବା ରିପୋର୍ଟରେ କୁହାଯାଇଥିଲା । ଅନ୍ତବସ୍ତ୍ରରେ ଲାଗିଥିବା ରକ୍ତଦାଗ ନାବାଳିକାଙ୍କର ବୋଲି ଦର୍ଶାଯାଇଥିଲା ।