ଭୁବନେଶ୍ୱର: ସୁରକ୍ଷା ଦେଇପାରିଲାନି ସିଆରପିଏଫର ମାଇନ୍ ପ୍ରୋଟେକ୍ଟେଡ଼ ଭେଇକିଲ୍ । ମାଓବାଦୀ ଉଡ଼ାଇଦେଲେ ଗାଡ଼ିଟିକୁ । ଛତିଶଗଡ଼ ସୁକମା ଜଙ୍ଗଲରେ ଆଜି ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରି ସିଆରପିଏଫ ଯବାନଙ୍କ ଗାଡ଼ିକୁ ଉଡାଇ ଦେଇଛନ୍ତି । ଏଥିରେ ୯ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରାୟପୁର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ମୃତ ୯ ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ ମନୋରଞ୍ଜନ ଲେଙ୍କା । ବ୍ରହ୍ମଗିରିର ରେବଣା ନୂଆଗାଁରେ ତାଙ୍କ ଘର ।
ସୁକମା ଅନ୍ତର୍ଗତ ବିସ୍ତାରାମ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ସେମାନଙ୍କ ଗତିବିଧି ସକ୍ରିୟ କରିଥିବାରୁ ସିଆରପିଏଫ୍ ଯବାନ ଆଜି ସକାଳୁ ଅପରେସନ୍ ଆରମ୍ଭ କରିଥିଲେ । ଏଥିରେ ଉଭୟପକ୍ଷ ମଧ୍ୟରୁ ଗୁଳି ବିନିମୟ ହୋଇଥିଲେ ମଧ୍ୟ ମାଓବାଦୀଙ୍କୁ ଘଉଡ଼ାଇବାରେ ସିଆରପିଏଫ୍ ଯବାନ ସଫଳ ହୋଇଥିଲେ । ତେବେ କିଛି ଘଣ୍ଟା ପରେ ୧୦୦ରୁ ଅଧିକ ମାଓବାଦୀ ସଂଗଠିତ ହୋଇ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରିଥିଲେ । ଅପରେସନ୍ ରେ ଥିବା ସିଆରପିଏଫ୍ ର ଗାଡ଼ିକୁ ସେମାନେ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଆରପିଏଫ୍ ଯବାନମାନେ ମାଇନ୍ ପ୍ରୋଟେକ୍ଟେଡ଼ ଭେଇକିଲ୍ ବ୍ୟବହାର କରିଥିଲେ ମଧ୍ୟ ମାଓ ବ୍ଲାଷ୍ଟରୁ ରକ୍ଷା ପାଇନାହାନ୍ତି ।
ସହିଦ ୯ ଯବାନଙ୍କ ମଧ୍ୟରେ ଥିବା ଓଡ଼ିଶାର ମନୋରଞ୍ଜନ ଲେଙ୍କା ନିକଟରେ ଗାଁକୁ ଲମ୍ବା ସମୟ ଛୁଟିରେ ଆସି ଗତକାଲି ଡ୍ୟୁଟିରେ ଯୋଗଦେଇଥିଲେ । ତାଙ୍କ ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦେଇ ସେ ରବିବାର ଗାଁ ଛାଡ଼ିଥିଲେ । ତେବେ ଆଜି ସେ ମାଓ ହମଲାରେ ସହିଦ ହୋଇଥିବାରୁ ତାଙ୍କ ଗାଁ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ସୁକମା ମାଓ ହମଲା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଗଭୀର ଶୋକପ୍ରକାଶ କରିଛନ୍ତି । ମନୋରଞ୍ଜନଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।