ନୂଆଦିଲ୍ଲୀ: ବିଜେପିକୁ ସାଂଘାତିକ ଝଟକା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରକୁ ଦଖଲ କରିଛନ୍ତି ଅଖିଳେଶ-ମାୟାବାତୀ ଯୋଡି । ଗୋରଖପୁର ଲୋକସଭା ଆସନରୁ ଲଗାତର ପାଞ୍ଚ ଥର ନିର୍ବାଚିତ ହୋଇଥିଲେ ଆଦିତ୍ୟ ଯୋଗୀ । ସେହିଭଳି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ ଫୁଲପୁର ବି ବିଜେପି ହାତରୁ ଖସିଯାଇଛି । ଫୁଲପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ୫୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଉତ୍ତରପ୍ରଦେଶରେ ବିଜେପିର ଏହି ଦୁଇଟି ଅଭେଦ୍ୟ ଗଡ଼ ହାତରୁ ଖସିଯିବା ଜାତୀୟ ରାଜନୀତିକୁ ହଲଚଲ କରିଛି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପାଣି ଫଟେଇ ଦେଇଛି ।
ବିପକ୍ଷ ମଧ୍ୟରେ ତାଳମେଳ ରହିଲେ ବିଜେପି ଶିବିରରେ କେମିତି “ଆମ୍ବୁସ୍” କରି ହେଉଛି, ତା’ର ମଧ୍ୟ ପ୍ରମାଣ ଏହି ଉପନିର୍ବାଚନରୁ ମିଳିଛି । ବିଜେପିକୁ ବହୁମତ, ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ଉତ୍ତରପ୍ରଦେଶର ସର୍ବାଧିକ ଅବଦାନ ଥିଲା । ଏହି ଗଡ଼ରେ ବିଜେପିର ସୁଚିନ୍ତିତ ରାଜନୈତିକ ଗୋଟି ଚାଳନା ଆଗରେ ସପା, ବସପା, କଂଗ୍ରେସ ଧରାଶାୟୀ ହୋଇଥିଲେ । ଏହି ଗଡ଼ରେ ହିଁ ଆଜି ବିଜେପି ଚିତ୍ ହୋଇଛି ।
ଯୋଗୀ ଆଦିତ୍ୟନାଥ ଓ କେଶବ ପ୍ରସାଦ ମୌର୍ଯ୍ୟ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପରେ ସେମାନଙ୍କର ଖାଲିପଡ଼ିଥିବା ଦୁଇଟିଯାକ ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ଗତ ରବିବାର ଅନୁଷ୍ଠିତ ଉପନିର୍ବାଚନରେ ଗୋରଖପୁରରେ ୪୭.୪୫ ପ୍ରତିଶତ ମତଦାନ ହୋଇଥିଲା ବେଳେ ଫୁଲପୁରରେ ୩୭.୩୯ ପ୍ରତିଶତ ମତଦାନ ହୋଇଥିଲା । ଆଜି ହୋଇଥିବା ଭୋଟଗଣତିରେ ଗୋରଖପୁରରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀଣ ନିଶାଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ୨୧,୯୬୧ଭୋଟରେ ପରାସ୍ତ କରିଛନ୍ତି । ସେହିଭଳି ଫୁଲପୁରରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଗେନ୍ଦ୍ର ପ୍ରତାପ ସିଂ ପଟେଲ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ କୌଶଳେନ୍ଦ୍ର ସିଂ ପଟେଲଙ୍କୁ ୫୯,୬୧୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
ଏହି ଦୁଇଟି ଆସନ କିଛି କମ୍ ଗୁରୁତ୍ୱପୂର୍ଣ ଆସନ ନଥିଲା । ୧୯ ନିର୍ବାଚନ ପୂର୍ବରୁ ଏହାକୁ ଟ୍ରେଲର ବୋଲି ମଧ୍ୟ ରାଜନୈତିକ ପଣ୍ଡିତମାନେ ଘୋଷଣା କରି ସାରିଥିଲେ । ସେ ହେତୁରୁ ଏହି ଦୁଇଟି ଯାକର ଫଳକୁ “ମୁଡ଼୍ ଅଫ୍ ଦି ନେସନ” ବା ଭୋଟରଙ୍କ ମତିଗତି କି ନାହିଁ, ସେ ନେଇ ଘମାସାନ ଆରମ୍ଭ ହୋଇ ଯାଇଛି ।