ଭୁବନେଶ୍ୱର: ଉପରୋକ୍ତ ଫଟୋଟି ଉପରେ ନଜର ପକାନ୍ତୁ । କୋରାପୁଟ ବୋରିଗୁମ୍ମା ଅନ୍ତର୍ଗତ ଖୁନ୍ତିଆପଲା ଗାଁର ଏହି ଦୃଶ୍ୟ । ଗରା, ଡେକଚି ଧରି ନଳକୁଅରୁ ପାଣି ନେବାକୁ ଛିଡ଼ା ହୋଇଛନ୍ତି ଗାଁ ର ମା, ଭଉଣୀମାନେ । ଆଗ ପାଣି ନେବାକୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଠେଲାପେଲା ହେଉନାହିଁ । ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି ।
ବଡ଼କଥା ହେଲା, ନିୟମର ଅନୁପାଳନ ପାଇଁ ସେମାନଙ୍କୁ କେହି ନାଲି ଆଖି ଦେଖାଇନାହାନ୍ତି କି ପୁଲିସ ଜଗିକି ବସିନାହାନ୍ତି । ବରଂ ନିଜେ ନିଜେ ସଚେତନ ହୋଇ ନିୟମକୁ ଅକ୍ଷରେ ଅକ୍ଷରେ ମାନୁଛନ୍ତି । ନଳକୂପ ପାଖରେ ୨ ମିଟର ବ୍ୟବଧାନରେ ଗୋଲ୍ ବୁଲାଇ ନିର୍ଦ୍ଦିଷ୍ଟ ଜାଗା ବନାଇଛନ୍ତି । ମୋଟାମୋଟି କହିଲେ, ଶୃଙ୍ଖଳାର ସହ ସାମାଜିକ ଦୂରତ୍ୱ ନିୟମ ପାଳନ କରୁଛନ୍ତି ଏହି ଦୁର୍ଗମ ଆଦିବାସୀ ଇଲାକାର ଅଶିକ୍ଷିତ ମହିଳାମାନେ ।






