ଭୁବନେଶ୍ୱର: ମାଓ ଅପରେସନ୍ ରେ ଓଡ଼ିଶା ପୁଲିସକୁ ମିଳିଛି ସବୁଠାରୁ ବଡ଼ ସଫଳତା । ବିଚ୍ଛିନ୍ନାଞ୍ଚଳରେ ବିଭିନ୍ନ ମାଓ ଆଡ୍ଡା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି । ପ୍ରଥମ ଥର ପାଇଁ ଇନସାସ ଭଳି ବିପଜ୍ଜନକ ମାରଣାସ୍ତ୍ର ଜବତ ହୋଇଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।
ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ‘ଅପରେସନ୍ ସ୍ୱାଭିମାନ’ ର ସଫଳତା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଥିଲେ ଡିଜି । ବିଏସଏଫ, କୋବ୍ରା ବାହିନୀ ସମେତ ଆନ୍ଧ୍ରର ଗ୍ରେ ହାଉଣ୍ଡ ଜବାନ ସହାୟତାରେ ଜାନୁଆରୀ ୮ରୁ ୨୦ ତାରିଖ ଯାଏଁ ଚାଲିଥିଲା ଏହି ଅପରେସନ୍ । ନିର୍ଦ୍ଦିଷ୍ଟ ଭାବେ ଗତ ୧୫ ତାରିଖରେ ସ୍ୱାଭିମାନ ଅଞ୍ଚଳର ଗୋଇଗୁଡ଼ା ଗାଁରେ ଏକ ମାଓ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା । ଏସପିଙ୍କ ନେତୃତ୍ୱରେ ଏସଓଜି ଏବଂ ଡିଭିଏଫ କମାଣ୍ଡୋ ବାହିନୀର ଚଢ଼ାଉ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ସେଠାରୁ ମାଓବାଦୀମାନେ ଖସି ପଳାଇବାରେ ସମର୍ଥ ହୋଇଥିଲେ ମଧ୍ୟ ପୁଲିସ ହାତରେ ପଡ଼ିଥିଲା ଗୁରୁତ୍ୱପୂର୍ଣ୍ଣ ମାଓ ଦସ୍ତାବିଜ୍, ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଇଲେକଟ୍ରୋନିକସ୍ ସାମଗ୍ରୀ । ଏହିଭଳି ଭାବେ ବିଭିନ୍ନ ସ୍ଥାନରେ ମାଓ ଆଡ୍ଡା ଉପରେ ଚଢ଼ାଉରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି ।







