ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ତାଙ୍କର ନିଯୁକ୍ତି ଏବଂ ପାହ୍ୟା ସମ୍ପର୍କରେ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମଙ୍ଗରାଜଙ୍କୁ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଗଣମାଧ୍ୟମ ବ୍ୟାପାର ସମ୍ପର୍କରେ ସେ ରାଜ୍ୟ ସରକାର(ସୂଚନା ଓ ଲୋକସମ୍ପର୍କ ବିଭାଗ)ଙ୍କୁ ପରାମର୍ଶ ଦେବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ନିଗମ ଏବଂ ବୋର୍ଡରେ ନିଯୁକ୍ତି ପାଇଥିବା ୧୧ ଜଣଙ୍କୁ ଦୁଇ ଦିନ ତଳେ ପାହ୍ୟା ମିଳିଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମିଳିଥିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଜଣଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ଏବଂ ୪ ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟା ମିଳିଥିଲା । ଶ୍ରୀ ମଙ୍ଗରାଜଙ୍କୁ ମିଶାଇ ଏବେ ୭ ଜଣ ଉପଦେଷ୍ଟାଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।
ସୂଚନାଥାଉକି, ନବନିଯୁକ୍ତ ମିଡ଼ିଆ ଉପଦେଷ୍ଟା ମାନସ ମଙ୍ଗରାଜଙ୍କର ସାମ୍ବାଦିକତାରେ ଦୀର୍ଘ ଅଭିଜ୍ଞତା ଅଛି । ରାଜନୀତିକୁ ଆସିବା ପୂର୍ବରୁ ସେ ସାମ୍ବାଦିକତା କରୁଥିଲେ । ଦକ୍ଷ ସାମ୍ବାଦିକ ଓ ସଂଗଠକ ଭାବେ ତାଙ୍କର ସୁନାମ ରହିଛି ।