ଭୁବନେଶ୍ୱର: ମାରା ହେଇଯାଇଛି ରାଜ୍ୟ ବିଜେପି ଅଫିସ । ଗୈରିକ ପରିବେଶ ଭିତରକୁ ଆଇଁଷ ଅନୁପ୍ରବେଶ କରି ଅଫିସକୁ ମାରା କରିଦେଇଛି । ଗୋବର ପାଣି ଛିଞ୍ଚି ପରିସରକୁ ପବିତ୍ର କରାଯାଇଥିଲେ ମଧ୍ୟ ମନରୁ ପାପ ଯାଉନି । ବର୍ଷ ବର୍ଷ ଧରି ଗେଷ୍ଟ ହାଉସ୍ ଓ ଭୋଜନାଳୟ ପାଲଟିଥିବା ପାର୍ଟି ଅଫିସରେ ଆଉ ଚୁଲି ଜଳୁନି । ରୋଷେଇ ଘରେ ତାଲା ଝୁଲୁଛି । ଫତୱା ଜାରି ହୋଇଛି.. ନୋ ଷ୍ଟେଇଂଗ୍.. ନୋ ଇଟିଂଗ୍ .. । ଅଫିସ୍ କାମ ପରେ ଯେଝା ବାଟରେ ଯେଝା ଯିବାକୁ କୁହାଯାଇଛି ।
ବିଜେପି ଅଫିସରେ ଅନ୍ୟୁନ୨୦ ଜଣଙ୍କ ପାଇଁ ପ୍ରତିଦିନ ଖାଇବା ବ୍ୟବସ୍ଥା ରହିଥିଲା । ଅଫିସରେ ରହୁଥିବା ଅନ୍ତେବାସୀଙ୍କ ସମେତ କିଛି କୁଜି ନେତା ଓ ନେତା ସେଠି ଲଞ୍ଚ ଓ ଡିନର୍ କରୁଥିଲେ । ଆମିଷ ଖାଦ୍ୟ ଉପରେ ସେଠି ରହିଥିଲା କଡ଼ା କଟକଣା । ନିତିଦିନିଆ ଭୋଜନର ମୁଖ୍ୟ ମେନ୍ୟୁ ଥିଲା ଅରୁଆ ଭାତ ଓ ବାଡ଼ିଆ ଡାଲମା । ଅତ୍ୟଧିକ ମନଖୁସି ହୋଇଗଲେ ରାତିରେ ସ୍ୱତନ୍ତ୍ର ଭୋଜିଭାତର ବ୍ୟବସ୍ଥା ହେଉଥିଲା । ସେଥିରେ ଆଇଟମ୍ ବଢୁଥିଲେ ମଧ୍ୟ ଆଇଁଷର ପ୍ରଶ୍ନ ନ ଥିଲା । ବର୍ଷ ବର୍ଷ ଧରି ପାର୍ଟି ଅଫିସରେ ଏଭଳି ନିରାମିଷ ଭୋଜନର ଅନୁଶାସନ ଚାଲିଥିବା ବେଳେ ଦୁଇମାସ ତଳେ ସେଥିରେ ବ୍ରେକ୍ ଲାଗିଗଲା । ସଂଗଠନର ଜଣେ ମୁଖିଆ କିଛି ସହଯୋଗୀଙ୍କୁ ଧରି ଏକ ଭୋଜି ଆସର କରିଥିଲେ । ସାଦା ଡାଲି, ଆଳୁ ଭରତା ବଦଳରେ ମୁଖିଆ ମାଉଁସ ପ୍ରତି ମନ ବଳାଇଥିଲେ । ସେହି ଅନୁଯାୟୀ ବ୍ୟବସ୍ଥା ହେଲା ଏବଂ ଭାତ ମାଉଁସରେ ମହକିଲା ବିଜେପି ଅଫିସ୍ । ପାର୍ଟି ଅଫିସରେ ଚୁପ୍ କିନା ମାଉଁଷ ଖାଇ ସେ ରାତିରେ ମୁଖିଆ ଓ ସହଯୋଗୀମାନେ ଚୁର୍ ହୋଇଯାଇଥିଲେ ।
ପରଦିନ ସକାଳେ କଥାଟି ପ୍ରଘଟ ହୋଇଗଲା । ଅଫିସ୍ ର ଆତ୍ମଘୋଷିତ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତଥା ନିରାମିଷୀ ମୁଖପାତ୍ର ଏହାକୁ ହଜମ୍ କରିପାରିଲେନି । ଅଫିସ୍ ଭିତରକୁ ଆଇଁଷ ପଶିଥିବାରୁ ରାଗରେ ତମ ତମ ହେଲେ । ହେଲେ ଆମିଷ ଭୋଜନର ପ୍ରାୟୋଜକ ସଂପୃକ୍ତ ‘ବସ୍’ ଙ୍କୁ ହାରକିନ୍ ଦେଖାଇବା ଦୂରେ ଥାଉ ପଚାରିବାକୁ ବି ସାହାସ କଲେନି । ପାର୍ଟି ଅଫିସର ପବିତ୍ରତା ନଷ୍ଟ ହୋଇଗଲା ବୋଲି ବାଡେଇ ଛାଟି ହେଲେ । କର୍ମଚାରୀଙ୍କୁ ଲଗାଇ ଗୋବର ପାଣି ଛିଞ୍ଚିଲେ । ଗୁମୁରି ଗୁମୁରି କିଛି ଉପରିସ୍ଥ କର୍ମକର୍ତ୍ତାଙ୍କୁ ଗୁହାରି କଲେ । କଥାଟି ଜଟିଳ ହୋଇଯିବା ପରେ ଅଫିସ୍ ପକ୍ଷରୁ ଫତୱା ଜାରି ହୋଇଛି । ମୂଳୁ ମାଇଲେ ଯିବ ସରି ନ୍ୟାୟରେ ସେଠୁଁ କର୍ମଚାରୀଙ୍କ ରାତ୍ରିକାଳୀନ ରହିବା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ରହିବା ନାହିଁ ତ ଖାଇବା ବି ନାହିଁ । ତେଣୁ ରୋଷେଇ ଘରେ ତାଲା ଠୁଙ୍କି ଦିଆଯାଇଛି । ତେବେ କୌଣସି ବଡ଼ବଡ଼ିଆ ନେତାଙ୍କ ପାଇଁ ନିହାତି ଆବଶ୍ୟକ ପଡ଼ିଲେ ଭୋଜନ ପ୍ରସ୍ତୁତିର ରିଲାକ୍ସ ରହିଛି ।