ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ଭୁବନେଶ୍ୱର ଆସି ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଦିନ ୧୧ଟାରେ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଆସି ପ୍ରଥମେ ରାଜ୍ୟ ଅତିଥି ଭବନ ଯାଇଥିଲେ । ସେଠାରେ ବିଜେପି ଓ ବିଜେଡ଼ି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ କୋବିନ୍ଦ ଯାଇଥିଲେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷକୁ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡ଼ିର ସମସ୍ତ ବିଧାୟକ ଓ ଏମପି ସେଠାରେ ଉପସ୍ଥିତ ଥିଲେ । ଔପଚାରିକ ଭାବେ କୋବିନ୍ଦ ସମସ୍ତଙ୍କୁ ଭୋଟ ଭିକ୍ଷା କରିଥିଲେ । କହିବା ବାହୁଲ୍ୟ, ବିଜେପି ମାର୍କା କୋବିନ୍ଦଙ୍କୁ ବିଜେଡ଼ି ପ୍ରଥମରୁ ସମର୍ଥନ ଘୋଷଣା କରିସାରିଛି । ପ୍ରାୟ ଘଣ୍ଟାଏ ଧରି ବିଜେଡ଼ି ବିଧାୟକ ଓ ସାଂସଦଙ୍କ ଗହଣରେ ରହିଲା ପରେ କୋବିନ୍ଦଙ୍କୁ ନିଜ ଗାଡ଼ିରେ ନବୀନ ନିବାସ ବସାଇ ନେଇଥିଲେ ମୁଖ୍ୟମନ୍ତ୍ରୀ । ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା । ମୁଖ୍ୟମନ୍ତ୍ରୀ ଦୁହିଁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟତ କରିଥିଲେ । ରାଷ୍ଟ୍ରପତି ପ୍ରାର୍ଥୀ କୋବିନ୍ଦ ସେଠାରେ ଚକୁଳି, ଦୋସା ଖାଇଥିଲେ ।
ନବୀନ ନିବାସରୁ ଫେରିଲା ପରେ କୋବିନ୍ଦ ଭେଟିଥିଲେ ବିଜେପି ବିଧାୟକ ଦଳକୁ । ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ରାଜଭବନ ନିକଟସ୍ଥ ପ୍ୟାଲେସ୍ ରେ ଏହି ଭେଟଘାଟର ଆୟୋଜନ ହୋଇଥିଲା । ବିଧାୟକଙ୍କ ଛଡ଼ା ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ସେଠାରେ ଉପସ୍ଥିତ ରହି ଭାବି ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ କୋବିନ୍ଦ ଦିଲ୍ଲୀ ଫେରିଯାଇଥିଲେ ।
ସେପଟେ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୀରା କୁମାର ଆସନ୍ତାକାଲି ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ତାହା ବାତିଲ ହୋଇଯାଇଛି । ପୂର୍ବରୁ ଗତ ୩ ତାରିଖରେ ସେ କଂଗ୍ରେସ ବିଧାୟକଙ୍କୁ ଭୋଟ ଭିକ୍ଷା କରିବାକୁ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ତାହା ବାତିଲ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ପାଇଁ ହାତରେ ଆଉ ଦୁଇ ଦିନ ସମୟ ଥିବାରୁ ଶ୍ରୀମତୀ କୁମାର ଆଉ ଭୁବନେଶ୍ୱର ଆସିପାରିବେ ନାହିଁ । ତେବେ ତାଙ୍କର ଭୁବନେଶ୍ୱର ଗସ୍ତ ବାରମ୍ବାର ବାତିଲ ପଛରେ ରାଜ୍ୟ କଂଗ୍ରେସ କନ୍ଦଳ ମୁଖ୍ୟ କାରଣ ବୋଲି କୁହାଯାଉଛି । ପିସିସି ଓ ବିଧାୟକ ଦଳ ମଧ୍ୟରେ ତିକ୍ତତା ବଢ଼ି ବଢ଼ି ମୁହାଁମୁହିଁ ଅବସ୍ଥା ଥିବାରୁ କଂଗ୍ରେସ ହାଇକମାଣ୍ଡ ମୀରାକୁମାରଙ୍କ ଉପସ୍ଥିତିରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ଚାହୁଁନାହାନ୍ତି । ତେଣୁ ମୂଳରୁ ତାଙ୍କୁ ଭୁବନେଶ୍ୱର ନ ଯିବାକୁ କୁହାଯାଇଥିବା ଜଣାପଡ଼ିଛି ।