ନୂଆଦିଲ୍ଲୀ: ବିଦାୟ ନେଇଗଲେ ଯୁଗ ପୁରୁଷ ଅଟଳ ବିହାରୀ ବାଜପେୟୀ । ରାଷ୍ଟ୍ରୀୟ ପୂର୍ଣ୍ଣ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ଜନତାଙ୍କ ଗହଣରେ ଦୁନିଆ ଅଶ୍ରୁପୂର୍ଣ୍ଣ ବିଦାୟ ଦେଇଛି ଏହି ମହାନ୍ ରାଷ୍ଟ୍ରନାୟକଙ୍କୁ । ଅଗ୍ନିଶିଖାରେ ଲୀନ ହୋଇ ମାଟିରେ ମିଶିଯାଇଛନ୍ତି ସମସ୍ତଙ୍କର ପ୍ରିୟ ଅଟଳଜୀ ।
ସକାଳେ ଅଟଳଜୀଙ୍କ ପାର୍ଥିବ ଶରୀର ତାଙ୍କ ଘରୁ ଅଣାଯାଇଥିଲା ବିଜେପି ରାଷ୍ଟ୍ରୀୟ ମୁଖ୍ୟ କାର୍ଯ୍ୟାଳୟକୁ । ହଜାର ହଜାର ଜନତା, ରାଜନେତାଙ୍କ ଶେଷ ଦର୍ଶନ ପରେ ଦିନ ୨ଟାରେ ଆରମ୍ଭ ହୋଇଥିଲା ଅନ୍ତିମ ଯାତ୍ରା । ହଜାର ହଜାର ଜନତା ସେମାନଙ୍କ ପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ ପାଇଁ ବ୍ୟାକୁଳ ହୋଇଯାଇଥିଲେ । ରାସ୍ତାରେ ନାହିଁ ନ ଥିବା ଭିଡ଼ ହୋଇଥିଲା । ‘ଅଟଳଜୀ ଅମର ରହେ’ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ବିଜେପି ଅଫିସ୍ ଠାରୁ ରାଷ୍ଟ୍ରୀୟ ସ୍ମୃତିସ୍ଥଳ ୫ କିମି ରାସ୍ତା ଆସିବାକୁ ଲାଗିଥିଲା ଦୁଇ ଘଣ୍ଟା । ପ୍ରାୟ ୪ ଟା ବେଳେ ଅନ୍ତିମଯାତ୍ରା ସରିଥିଲା ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ । ସେଠାରେ ତିନି ବାହିନୀ ପକ୍ଷରୁ ଶବାଧାରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ୨୧ ତୋପ ସଲାମୀ ଦିଆଯାଇଥିଲା । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ରାଜନେତା, ସାର୍କ ଦେଶରୁ ଆସିଥିବା ପ୍ରତିନିଧି ଶବାଧାର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶବାଧାର ଉପରୁ ଜାତୀୟ ପତାକା କାଢ଼ି ଦିଆଯାଇଥିଲା ।
ହିନ୍ଦୁ ରୀତିନୀତି ଅନୁଯାୟୀ ମନ୍ତ୍ର ଉଚ୍ଚାରଣ ପରେ ଅଟଳଜୀଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ ତାଙ୍କ ପୋଷ୍ୟ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ। ଅପରାହ୍ନ ୪.୫୫ ରେ ଦିଆଯାଇଥିଲା ମୁଖାଗ୍ନି । ପରେ ଚିତା ଜଳି ଉଠିଥିଲା । ଆଉ ମାଟିରେ ବିଲୀନ ହୋଇଯାଇଥିଲେ ସମସ୍ତଙ୍କ ପ୍ରିୟ ଅଟଳଜୀ ।