ଭୁବନେଶ୍ୱର: ଓଡ଼ିଶା ବାହାରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିିରାପଦରେ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସଂପୃକ୍ତ ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି ପ୍ରଶାସନ କଳକୁ ସୁବନ୍ଦୋବସ୍ତ କରାଯାଇଛି । ଟ୍ରେନ୍ ଯୋଗେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଓଡ଼ିଶା ଫେରାଇ ଆଣିବା ପାଇଁ ‘ଅପରେସନ୍ ଶୁଭଯାତ୍ରା’ ଆରମ୍ଭ ହୋଇଛି । ଅପରେସନ୍ ଶୁଭଯାତ୍ରାର ପ୍ରଥମ ଟ୍ରେନ୍ ଟି ୧୧୫୦ ଯାତ୍ରୀଙ୍କୁ ଧରି କେରଳରୁ ବାହାରିଛି । ଆଜି ସୁରତ୍ ରୁ ମଧ୍ୟ ଟ୍ରେନ୍ ବାହାରୁଛି ।
ପ୍ରବାସୀ ଓଡ଼ିଆଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଦିଲ୍ଲୀରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସବୁ ଆଲୋଚନାରେ ଯୋଡି ହେଉଛନ୍ତି । ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ନବୀନ ଓ ଧର୍ମେନ୍ଦ୍ର ଇତିମଧ୍ୟରେ କଥା ହୋଇସାରିଛନ୍ତି ।
ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁୟୁରପ୍ପା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ସହିତ ମଧ୍ୟ ଉଭୟ କଥା ହୋଇଥିଲେ ।
କର୍ଣ୍ଣାଟକ ଏବଂ ଆନ୍ଧ୍ରରେ ଫସି ରହିଥିବା ଓଡ଼ିଆମାନଙ୍କର ଉପଯୁକ୍ତ ଯତ୍ନ ନେଉଥିବାରୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଧନ୍ୟବାଦ ଜଣାଇବା ସହ ଓଡ଼ିଶା ଆସିବାକୁ ଚାହୁଁଥିବା ଓଡ଼ିଆ ଲୋକମାନେ ଯେପରି ସୁବିଧାରେ ଫେରି ଆସିବେ ସେଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ଶ୍ରୀ ୟେଦୁୟୁରପ୍ପା ଏବଂ ଶ୍ରୀ ରେଡ୍ଡୀ ଏଥିପାଇଁ ନବୀନଙ୍କୁ ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି । ସେମାନଙ୍କ ସରକାର ଏ ଦିଗରେ ଅନେକ କାର୍ଯ୍ୟ ଆରମ୍ଭ କରିସାରିଲେଣି । ଯେଉଁମାନେ ଚାହିଁବେ ସେଠାରେ ରହି କାମ କରିପାରିବେ ଏବଂ ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହାନ୍ତି, ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଛନ୍ତି ।