ଭୁବନେଶ୍ୱର: କରୋନା ଲକ୍ ଡାଉନ୍ ରେ ଜୀବିକା ହରାଇଥିବା ସୁରତ୍ ପ୍ରବାସୀ ଓଡ଼ିଆଙ୍କ ପିଛା ଛାଡୁନି ଦୁର୍ଭାଗ୍ୟ । ନିଜ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ଏହି ହତଭାଗାଙ୍କ ପାଇଁ ଭଗବାନ ସତେ ଯେମିତି ନିଷ୍ଠୁର ପାଲଟିଛନ୍ତି । ଗତକାଲି ରାତିରେ ସୁରତା ଫେରନ୍ତା ଏକ ବସ୍ କଳିଙ୍ଗା ଘାଟିରେ ଓଲଟି ପଡ଼ିବାରୁ ୨ ଜଣଙ୍କ ଜୀବନ ଯିବା ସହ ୪୦ ଜଣ ଆହତ ହୋଇଥିଲେ । ୧୨ ଘଣ୍ଟା ନ ପୂରୁଣୁ ଆଜି ସକାଳେ ଆଉ ଏକ ସୁରତ୍ ଫେରନ୍ତା ବସ୍ ମହାରାଷ୍ଟ୍ରର ନାଗପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ ୭ଟାରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତିରେ ସୁରତରୁ ୫୦ ଜଣ ଯାତ୍ରୀଙ୍କୁ ଧରି ଗଞ୍ଜାମ ବାହାରିଥିବା ବସ୍ ନାଗପୁର-ଅମରାବତୀ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା । ଦ୍ରୁତ ଗତିରେ ଥିବା ବସ୍ ଆଗକୁ ଏକ ଜନ୍ତୁ ପଳାଇ ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ହୋଇଥିଲା । ବସ୍ ରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଅମରାବତୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା ।
ସୂଚନାଯୋଗ୍ୟ, ସୁରତରୁ ୫୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଓଡ଼ିଶା ଫେରୁଥିବା ଏକ ବସ୍ ଗତକାଲି ସଂଧ୍ୟାରେ କନ୍ଧମାଳ-ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିରେ ଓଲଟି ପଡ଼ିଥିଲା । ଡ୍ରାଇଭର୍ ଏହି ରାସ୍ତା ସହ ପରିଚିତ ନ ଥିବାରୁ ବସ୍ ଟି ଘାଟି ପାଶ୍ୱର୍ ଗାର୍ଡୱାଲ୍ ରେ ଚଢ଼ିଯାଇଥିଲା । ବସ୍ ରେ ଚାପି ହୋଇ ବୁଗୁଡ଼ାର ସନ୍ତୋଷ କୁମାର ସେଠୀ(୩୮) ଓ ଚିତ୍ତରଞ୍ଜନ ସେଠୀଙ୍କର ମୃତୁ୍ୟ ହୋଇଥିଲା । ଏଥିରେ ୪୦ ରୁ ଅଧିକ ଆହତ ହୋଇଥିଲେ ।