ଯାଜପୁରରୁ ନୂଆ ୮ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୫୭
ଭୁବନେଶ୍ୱର: ଆଜି ଦିନରେ ଯାଜପୁରରୁ ୮ ପଜିଟିଭ୍ ରିପୋର୍ଟ ଆସିଲାଣି । ସଂଧ୍ୟାରେ ଆଉ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ କୁ ବୃଦ୍ଧି ପାଇଛି । ବରୀ ବ୍ଲକ୍ ର ଜଣେ ୬୨ ବର୍ଷର ବୃଦ୍ଧ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଘର ବରୀ ବ୍ଲକ୍ ରେ ଏବଂ ସେ ମଧ୍ୟ କୋଲକତା ଫେରନ୍ତା ।
ଏହା ପୂର୍ବରୁ ୨ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ବୟସ ୪୮ ଏବଂ ୫୫ ବର୍ଷ । ଉଭୟଙ୍କ ଘର ବରୀ ବ୍ଲକ୍ ରେ ଏବଂ ସେମାନେ କୋଲକତା ଫେରନ୍ତା ।
ସକାଳେ ୫ ଜଣ ପଜିଟିଭ୍ ଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ଅଛନ୍ତି । ପୁରୁଷଙ୍କ ବୟସ ଯଥାକ୍ରମେ ୨୮, ୫୬ ଏବଂ ୬୩ ବର୍ଷ । ମହିଳାଙ୍କ ମଧ୍ୟରେ ଜଣେ ୨୪ ବର୍ଷର ଯୁବତୀ ଏବଂ ଅନ୍ୟଜଣଙ୍କ ବୟସ ୬୦ ବର୍ଷ । ୫ ଜଣ ଯାକ କୋଲକତା ଫେରନ୍ତା ଏବଂ କ୍ୱାରେଣ୍ଟାଇନ୍ ରେ ଥିଲେ । କାହାରି ଲକ୍ଷଣ ନଥିଲା ।
ଆଜିର ୮ ଜଣଙ୍କୁ ମିଶାଇ ଯାଜପୁରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଏବଂ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ କୁ ବୃଦ୍ଧି ପାଇଛି । ୫୫ ଜଣ ସୁସ୍ଥ ହୋଇ ସାରିଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ ହୋଇଛି ।
ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ନୁକୁଞ୍ଜ ଧଳଙ୍କ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାରୁ ଏ ପର୍ଯ୍ୟନ୍ତ ଚିହ୍ନଟ ୪୭(ଆଉ ଜଣେ ପଜିଟିଭ୍ ପରେ ଆସିଲେ) ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ମଙ୍ଗଳପୁର ବ୍ଲକ୍ ର କଟିକଟା ଅଞ୍ଚଳର । ୫ ଜଣ କୋଲକତା ଫେରନ୍ତା ହୋଇଥିବା ବେଳେ ଅନ୍ୟମାନେ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କୁ ଆବଶ୍ୟକତା ଅନୁଯାୟୀ ଇନଷ୍ଟିଚୁ୍ୟସନାଲ୍ ଅଥବା ହୋମ୍ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିଲେ ମଧ୍ୟ ସେମାନେ ନିୟମକୁ ମାନିନାହାନ୍ତି । ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ଧଳ କହିଛନ୍ତି । କଟିକଟାରୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି ।