ଭୁୁବନେଶ୍ୱର: ଅଭିଜିତ୍ ଆୟାର ମିତ୍ର ରସଗୋଲା ଉପରେ ଟୁଇଟର୍ ରେ କମେଣ୍ଟ ଦେବା ସହ ତାଙ୍କ ଗିରଫ ଘଟଣାର କୌଣସି ସମ୍ପର୍କ ନାହିଁ । କିଛି ଗଣମାଧ୍ୟମରେ ଏଭଳିି ଖବର ପ୍ରକାଶ ପାଇଥିବାରୁ ରାଜ୍ୟ ପୁଲିସ ମୁଖ୍ୟାଳୟ ତାହାକୁ ଖଣ୍ଡନ କରିଛି । ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଅଭିଜିତ୍ ଗିରଫ ସହ ସେ ରସଗୋଲା ଉପରେ ଦେଇଥିବା ଟିପ୍ପଣୀର କୌଣସି ସମ୍ପର୍କ ନାହିଁ । ଅପରନ୍ତୁ ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟ, ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଆ ଜାତି ବିରୋଧରେ ତାଙ୍କର କଟୁ ଓ ଅରୁଚିକର ମନ୍ତବ୍ୟ ପାଇଁ ଥାନାରେ ହୋଇଥିବା ଏତଲା ଭିତ୍ତିରେ ଅଭିଜିତ୍ ଙ୍କୁ ଗିରଫ କରାଯାଇଛି । ଏହା ଅତ୍ୟନ୍ତ ସ୍ପଷ୍ଟ ହୋଇଥିଲେ ମଧ୍ୟ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ମିଥ୍ୟା ଓ ଭ୍ରମାତ୍ମକ ପ୍ରଚାର ଜରିଆରେ ଓଡ଼ିଶା ପୁଲିସକୁ ବଦନାମ କରିବାକୁ ଉଦ୍ୟମ କରୁଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।
ଅଭିଜିତ୍ ଆୟାର ଓଡ଼ିଶା ଓ ଓଡ଼ିଶାର କଳା, ସଂସ୍କୃତି ଉପରେ ବିଭିନ୍ନ ସମୟରେ ଅତ୍ୟନ୍ତ କଟୁ ଓ ଅରୁଚିକର ଟିପ୍ପଣୀ ଦେଇଛନ୍ତି । ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଉପରେ ମଧ୍ୟ କଟୁ ମନ୍ତବ୍ୟ ଦେଇଛନ୍ତି । ସାମ୍ପ୍ରଦାୟିକ ଉତ୍ତେଜନାକାରୀ ମନ୍ତବ୍ୟ ଦେଇଛନ୍ତି । ଓଡ଼ିଆ ଜାତିକୁ ସଳା ବୋଲି କହିଛନ୍ତି । ଏ ସବୁ ମନ୍ତବ୍ୟ ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଛି । ଆୟାରଙ୍କ ଏହି ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲା କୋଣାର୍କ ଥାନା ଓ ଭୁବନେଶ୍ୱରର ସହିଦନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । କୋଣାର୍କ ଥାନାରେ ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩-କ/୨୯୫-କ/୨୯୮/୩୪ ,୬୬ ଆଇଟି ଆକ୍ଟ ଏବଂ ୩୦ ଏଏମଏଆର ଆକ୍ଟ ଲାଗୁ ହୋଇଥିବା ବେଳେ ସହିଦନଗର ଥାନାରେ ଧାରା ୨୯୪/୨୯୫-କ/୫୦୦/୧୫୩-କ ଏବଂ ୬୭ ଆଇଟି ଆକ୍ଟରେ ମକଦ୍ଦମା ରୁଜୁ ହୋଇଛି ।
ଅଭିଜିତ୍ ଆୟାର ବିରୋଧରେ ପୁଲିସ ଆଇନଗତ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା କରୁଛି । ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନକୁ ନାକଚ କରିଛନ୍ତି । ଅଭିଜିତ୍ ଗିରଫ ହେଲା ପରେ କୋର୍ଟରୁ ତାଙ୍କ ଜାମିନ୍ ନାମଂଜୁର ହୋଇଛି । ୧୪ ଦିନ ପାଇଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । କୋର୍ଟ ଅନୁମତିକ୍ରମେ ପୁଲିସ ତାଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି । ସୁତରାଂ ଅଭିଜିତ୍ ମାମଲା ପଛରେ ରସଗୋଲା ଭଳି (ଅ)ପ୍ରସଙ୍ଗକୁ ଯୋଡି ପୁଲିସକୁ ବଦନାମ କରିବାକୁ ହୀନ ଉଦ୍ୟମ ହେଉଥିବା କୁହାଯାଇଛି ।