ଭୁବନେଶ୍ୱର: ଢ଼େଙ୍କାନାଳ ଜିଲ୍ଲାରେ ୭ ଟି ହାତୀଙ୍କ ଅକାଳ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାତୀ ମୃତ୍ୟୁ ପାଇଁ ଯିଏ ବି ଦାୟୀ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ କମଳାଙ୍ଗ ଗାଁ ନିକଟରେ ୧୧ କେଭି ବିଦ୍ୟୁତ କରେଣ୍ଟ ଖାଇ ୭ଟି ହାତୀଙ୍କର ମୃତ୍ୟୁ ଘଟିଥିଲା । ରେଲୱେ ବ୍ରିଜ୍ କାମ ପାଇଁ ସେସୁ ବିଭାଗ ସେହି ତାର ଟାଣିଥିଲା ଏବଂ ଭୂଇଁଠାରୁ ଅଳ୍ପ ଦୂରରେ ତାହା ବହୁ ଦିନରୁ ଝୁଲି ରହିଥିଲା । ତାହାର ମରାମତି ପାଇଁ ସେସୁ ବିଭାଗ ଧ୍ୟାନ ଦେଇ ନ ଥିଲା । ସେପଟେ ସେଠାରେ ହାତୀପଲ ବୁଲୁଥିବା ବନ ବିଭାଗ କର୍ମଚାରୀମାନେ ଦେଖିଥିଲେ ମଧ୍ୟ ଘଉଡ଼ାଇ ନ ଥିଲେ । ଏବେ ୭ ହାତୀଙ୍କ ମୃତ୍ୟୁ ପରେ ଦୁଇ ବିଭାଗ ପରଷ୍ପରକୁ ଦୋଷ ଦେଇ ଖସିଯିବାକୁ ବସିଛନ୍ତି । ଗତକାଲି ଢ଼େଙ୍କାନାଳ ଜିଲ୍ଲାପାଳ ବନ ବିଭାଗ, ବିଦ୍ୟୁତ ବିଭାଗ ଏବଂ ରେଳ ବିକାଶ ନିଗମକୁ ନୋଟିସ୍ ଦେଇ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣା ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି ।