ବିନା ପାସ୍, ଓଭରଲୋଡିଂ ବସ୍ କୁ ପ୍ରବେଶ ମନା
ଭୁୁବନେଶ୍ୱର: ଖଲିକୋଟ ଅଞ୍ଚଳର ଦୁଇଟି କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଶତାଧିକ ପ୍ରବାସୀ ଓଡ଼ିଆ ଚାଲିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀମାନେ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟ । ନିୟମ ନ ମାନିଲେ ଗିରଫ ହେବେ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଏହି ଚେତାବନୀ ଦେଇଛନ୍ତି ।
ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଆମେ କଡ଼ା ପରିଶ୍ରମ କରୁଛୁ । ମାତ୍ର କିଛି ବିଶୃଙ୍ଖଳିତ ଲୋକଙ୍କ ପାଇଁ ଦୁଇ ମାସର ପରିଶ୍ରମ ପାଣିରେ ପଡ଼ିବାକୁ ଦେବୁନୁ ବୋଲି ଶ୍ରୀ ତ୍ରିପାଠୀ ସିଧା ସିଧା ଶୁଣାଇ ଦେଇଛନ୍ତି ।
କେହି କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ସେମାନଙ୍କ ପାଇଁ କଠୋର ଦଣ୍ଡବିଧାନ ଘୋଷଣା କରିଛନ୍ତି ।
(୧) ସେମାନଙ୍କୁ ଦୂର ଜାଗା ପଠାଇ ଦିଆଯିବ । ଅନ୍ୟ ଜିଲ୍ଲାର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବେ ।
(୨) ସେମାନଙ୍କର କ୍ୱାରେଣ୍ଟାଇନ୍ ଅବଧି ବଢ଼ାଯିବ ।
(୩) ସେମାନଙ୍କୁ ଗିରଫ କରାଯିବ ।
(୪) ସରକାରଙ୍କଠାରୁ ମିଳିବାକୁ ଥିବା ଆର୍ଥିକ ଅନୁଦାନ ଦିଆଯିବ ନାହିଁ ।
ସରପଞ୍ଚମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରର ଅବସ୍ଥାକୁ ଭଲ ଭାବେ ଅନୁଧ୍ୟାନ କରିବା ସହ କେହି ଯେଭଳି ନିୟମ ଉଲ୍ଲଂଘନ ନ କରନ୍ତି ସେଥିପ୍ରତି କଡ଼ା ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ସରପଞ୍ଚମାନେ ଜିଲ୍ଲାପାଳ ଏବଂ ବ୍ଲକ୍ ଅଧିକାରୀମାନଙ୍କ ସହ ସହଯୋଗ ନେବାକୁ ସେ ଅନୁରୋଧ କରିଛନ୍ତି ।
ଖାଲି ସେତିକି ନୁହେଁ, ସରକାରଙ୍କ ବ୍ୟବସ୍ଥା ଭିତରେ ହିଁ ଅନ୍ୟ ରାଜ୍ୟରୁ ପ୍ରବାସୀଙ୍କୁ ଓଡ଼ିଶାକୁ ଫେରିବାକୁ ପଡ଼ିବ । ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅତ୍ୟନ୍ତ ବ୍ୟବସ୍ଥିତ ଢ଼ଙ୍ଗରେ ସୁବନ୍ଦୋବସ୍ତ କରାଯାଇଛି । ଅନେକ ରାଜ୍ୟରୁ ବସ୍ ଯୋଗେ ପ୍ରବାସୀମାନେ ଆସିବା ଆରମ୍ଭ କରିଛନ୍ତି । ତେବେ କିଛି ଲୋକ ସରକାରଙ୍କ ନିୟମ ଭାଙ୍ଗୁଥିବା ନଜରକୁ ଆସିଛି । ସେମାନେ ବସ୍ ରେ ନିର୍ଦ୍ଧାରିତ ଷ୍ଟିକର୍ ମାରୁନାହାନ୍ତି ଅର୍ଥାତ୍ ବିନା ପାସ୍ ରେ ଆସୁଛନ୍ତି । ରୁଟ୍ ନିୟମ ମାନୁନାହାନ୍ତି । ବସ୍ ରେ ଓଭରଲୋଡିଂ ହୋଇ ଆସୁଛନ୍ତି ।
ମାତ୍ର ନିୟମ ଉଲ୍ଲଂଘନକାରୀ ଏଭଳି ମୁଷ୍ଟିମେୟ ଲୋକଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି ।
ବିନା ପାସ୍ ରେ ଆସୁଥିବା ବସ୍ ଏବଂ ଓଭରଲୋଡିଂ ବସ୍ କୁ ଓଡ଼ିଶା ସୀମାରେ ପୂରାଇ ଦିଆଯିବ ନାହିଁ । ସେହି ବସ୍ କୁ ସିଜ୍ କରାଯିବ । ନିର୍ଦ୍ଧାରିତ ରୁଟ୍ ରେ ନ ଆସିଲେ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିବନି ଏବଂ ବସ୍ ଲାଇସେନ୍ସ ରଦ୍ଦ କରାଯିବ ।