ଭୁୁବନେଶ୍ୱର: କରୋନା ଭଳି ଏକ ଅଦୃଶ୍ୟ ଶକ୍ତି ମଣିଷର ଜୀବନ ଦର୍ଶନ ଓ ବଞ୍ଚିବାର ଦୃଷ୍ଟିଭଙ୍ଗୀକୁ ଯଥେଷ୍ଟ ପ୍ରଭାବିତ କରିଛି । ମାନବିକତା, ମଣିଷପଣିଆ କ’ଣ ତାହା ବୁଝିବାର ସୁଯୋଗ ଦେଇଛି ଏହି କରୋନା । ଆମ ରାଜ୍ୟ କି ଦେଶ କଥା ନୁହେଁ ସମଗ୍ର ବିଶ୍ୱରେ ଭେଦଭାବ ଭୁଲାଇ ଦେଇଛି କରୋନା । ମାତ୍ର ଦୁର୍ଭାଗ୍ୟ ଯେ କିଛି ମୁଷ୍ଟିମେୟ ଲୋକ ଏହାକୁ ଭିନ୍ନ ସୁଯୋଗ ବୋଲି ଭାବି ଦେଇଛନ୍ତି । ମହାମାରୀ କରୋନା ସଙ୍କଟରୁ ସମାଜ ପ୍ରତି ସେମାନଙ୍କ ଦାୟିତ୍ୱ, ମାନବିକତା ଶିକ୍ଷାଲାଭ କରିପାରିନାହାନ୍ତି ।
ଏମାନଙ୍କୁ କ’ଣ ମଣିଷ କୁହାଯିବ!! ଏଭଳି (ଅ)ମଣିଷମାନଙ୍କ ବିଷୟରେ ସବୁଦିନ କୌଣସି ନା କୌଣସି ଖବର ଶିରୋନାମା ପାଲଟୁଛି । ଏହି ଚରିତ୍ରମାନଙ୍କ ସମ୍ପର୍କରେ ସମସ୍ତେ ଜାଣିବା ଦରକାର । ଆମେ କେତୋଟି ଘଟଣା ଉଲ୍ଲେଖ କରୁଛୁ ।
ଘଟଣା-୧: ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରୁ କିଛି ଲୋକ ତାମସା ଦେଖାଇବା ଆରମ୍ଭ କରିଛନ୍ତି । ସୁରତରେ ମାସାଧିକ କାଳ ଜୀବିକା ହରାଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଥିଲେ । ଭିଟାମାଟି ଫେରି ଆସିବାକୁ ସରକାରଙ୍କଠାରେ କାକୁତୀ ମିନତୀ ଜଣାଉଥିଲେ । କ୍ୱାରେଣ୍ଟାଇନ୍ ରେ ରହିବା ସର୍ତ୍ତରେ ନାଁ ରେଜିଷ୍ଟ୍ରି କରି ଓଡ଼ିଶା ଫେରିଲେ । ମାତ୍ର ଏଠାରେ ପହଞ୍ଚିବା ପରେ ରଙ୍ଗ ବଦଳାଇଛନ୍ତି । କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଆବଦ୍ଧ ରହିବାକୁ ଚାହୁଁନାହାନ୍ତି । ବିଭିନ୍ନ ଆଳରେ ମନମାନି ଆରମ୍ଭ କରିଛନ୍ତି । ଗତକାଲି ଗଞ୍ଜାମ ବ୍ଲକ୍ ର ଶତ୍ରୁଶଲ ଆଦର୍ଶ ବିଦ୍ୟାଳୟ କ୍ୱାରେଣ୍ଟାଇନ୍ କେନ୍ଦ୍ରର ସୁରତ ଫେରନ୍ତା ଅନ୍ତେବାସୀମାନେ ମଧ୍ୟାହ୍ନଭୋଜନ ଖାଦ୍ୟକୁ ଜଣ ଜଣ କରି ଫିଙ୍ଗୁଥିବା ଚିତ୍ର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । କେବଳ ଭାତ ଡାଲମା ସେମାନଙ୍କୁ ରୁଚିଲାନି । ପୁଣି ଖାଇବାକୁ ବାଢ଼ିବାରେ କୁଆଡେ ବିଳମ୍ବ ହୋଇଗଲା ।

ଘଟଣା-୨: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ଦୁଇଟି କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ସକାଳ ୭ଟା ବେଳେ ଶତାଧିକ ସୁରତ ଫେରନ୍ତା ହଠାତ୍ ଫାଟକ ଭାଙ୍ଗି ଚମ୍ପଟ୍ ମାରିଥିଲେ । ୧୪ ଘଣ୍ଟା ନ ରହୁଣୁ ଖାଇବା ପିଇବା ଅବ୍ୟବସ୍ଥାର ବାହାନା ଦେଖାଇ ଏହି କାଣ୍ଡ ସୃଷ୍ଟି କଲେ । ମୁଖ୍ୟକଥା ହେଉଛି, ସେମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ନ ରହି ଘରେ ରହିବେ ଏବଂ ମନଇଚ୍ଛା ବୁଲାବୁଲି କରିବେ । ତେଣୁ ଆଳ ଦେଖାଇ ଚମ୍ପଟ୍ ମାରିବାକୁ ଉଦ୍ୟମ କଲେ ।
ଘଟଣା-୩: ସୁରତରୁ ବସ୍ ରେ ଆସି ଶତାଧିକ ଲୋକ ଜିଲ୍ଲାର ଶେରଗଡ଼ ବ୍ଲକ୍ କୁଲାଗଡ଼ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ପାଦ ଦେଉ ଦେଉ ଜାଗାଟି ସେମାନଙ୍କୁ ଗନ୍ଧାଇଲା । ପରେ ପରେ ସାଦା ଖାଦ୍ୟ ଦେଖି ନାକ ଟେକିଲେ । ସେଠୁଁ ବୁଲିଲେ ଶୋଇବା ଜାଗା ଦେଖିବାକୁ । ମାତ୍ର ମନ ମାନିଲାନି । କ’ଣ ନା ସେମାନଙ୍କ ପାଇଁ ଖଟ ପଡ଼ିନି । ସେମାନେ ତଳେ ଶୋଇବେ ନାହିଁ । ସେଠୁ ଆରମ୍ଭ କରିଦେଲେ ହରତାଳ ।
(ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ କ୍ୱାରେଣ୍ଟାଇନ୍ କେନ୍ଦ୍ର ପାଇଁ ଜାରି ଖାଦ୍ୟ ତାଲିକାକୁ ଏଠାରେ ରଖୁଛୁ । ହୋଇପାରେ, କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ ଟଙ୍କା ହଡ଼ପ କରିବା ଚକ୍କରରେ ଖାଦ୍ୟର ମାନ ନିମ୍ନ କରିଛନ୍ତି । ତେବେ ଏହାର ସମାଧାନ କ୍ୱାରେଣ୍ଟାଇନ୍ କେନ୍ଦ୍ର ଛାଡ଼ି ଚାଲିଯିବା ନୁହେଁ । ଏହାଦ୍ୱାରା ଶହ ଶହ ଲୋକଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ରହିଛି । ଖାଦ୍ୟ ପଇସା ଯଦି ବି ହଡ଼ପ ହଉଛି, ତେବେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମଣିଷପଣିଆକୁ ବି ପ୍ରଶ୍ନ ଉଠାଉଛୁ ।)

ଘଟଣା-୪: କିଛି କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଲୋକେ ରାତିରେ ଲୁଚିଛପି ଘରକୁ ଯାଇ ସକାଳେ ଫେରି ଆସୁଥିବାର ସଙ୍ଗୀନ ଅଭିଯୋଗମାନ ଆସିଲାଣି ।
ଘଟଣା-୫: ଭଦ୍ରକ ଜିଲ୍ଲାର ତିହିଡ଼ିର ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ କୋଲକତା ଫେରନ୍ତା ଏକାଠି ହୋଇ କୀର୍ତ୍ତନ କରିବା ଏବଂ ଟିକଟାକ୍ ସୁଟିଂ କରିବାର ଦୃଶ୍ୟ ଭାଇରାଲ୍ ହୋଇଛି । କ୍ୱାରେଣ୍ଟାଇନ୍ ବା ସଙ୍ଗରୋଧ ଜାଗାକୁ ସେମାନେ ଆମୋଦପ୍ରମୋଦର ଜାଗା ଭାବି ଗମାତରେ ମାତିଛନ୍ତି । କ୍ୱାରେଣ୍ଟାଇନ୍ ଉଦ୍ଦେଶ୍ୟର ମଜାକ୍ ଉଡ଼ାଇ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି ।

ଘଟଣା-୬: ଗତ ୨୭ ତାରିଖରେ ରାଜଧାନୀର ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଲା । ରାତି ଅଧରେ ବାପାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଏକମାତ୍ର ଝିଅ ଘର ମାଲିକଙ୍କ ସହଯୋଗ ମାଗିଲେ । ମାତ୍ର ପାଇଲେନି । ଆମ୍ବୁଲାନସ୍ କୁ କଲ୍ କରିଥିଲେ ମଧ୍ୟ ଉତ୍ତର ମିଳିଲାନି । ଶେଷରେ ଏକ ଓଲା ଗାଡ଼ି ଡାକି ପାଖ ଘରୋଇ ହସ୍ପିଟାଲ୍ କୁ ନେଇଗଲେ । ମାତ୍ର କରୋନା ସଂକ୍ରମିତ ଅଞ୍ଚଳରୁ ଆସିଥିବାରୁ ତାଙ୍କୁ ବିନା ଚିକିତ୍ସାରେ ଫେରାଇ ଦେଲେ । ଯନ୍ତ୍ରଣାରେ ଛଟପଟ ବାପାଙ୍କୁ ଆଉ ଏକ ଘରୋଇ ହସ୍ପିଟାଲ୍ କୁ ନେଇ ଆସିଲେ ଝିଅ । ମାତ୍ର ସେଠାରୁ ବି ଫେରାଇଦେଲେ । ତୃତୀୟ ଘରୋଇ ହସ୍ପିଟାଲ୍ କୁ ନେବା ବେଳେ ବାଟରେ ଆଖି ବୁଜିଦେଲେ ୬୧ ବର୍ଷୀୟ ଅବସରପ୍ରାପ୍ତ ବିଏସଏନଏଲ୍ କର୍ମଚାରୀ ରବୀନ୍ଦ୍ର ନାଥ ନାୟକ ।








