ନୂଆଦିଲ୍ଲୀ: ମୋଦି ମାରିଲେ ତାଲା, କିନ୍ତୁ ଖୋଲିବେ ରାଜ୍ୟ ସରକାର । କରୋନା ପାଇଁ ଜାରି ଲକ୍ ଡାଉନ୍ 2.0 ଶେଷ ହୋଇଥିବା ବେଳେ ଆରମ୍ଭ ହୋଇଛି ଲକ୍ ଡାଉନ୍ 3.0, ଯାହା ଆସନ୍ତା 17 ତାରିଖ ଯାଏଁ ଚାଲିବ । ସେପଟେ ମହାମାରୀର ପ୍ରଭାବ କମି ନଥିବା ବେଳେ ରାଜ୍ୟ ସରକାର ମାନଙ୍କ ଟେନସନ୍ ବଢ଼ିଛି । ବାହାର ରାଜ୍ୟରେ ଫସି ରହିଥିବା ଲୋକମାନେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ମାନଙ୍କ ହାତରେ ରଙ୍ଗ, ତୁଳୀ ଏବଂ ଚାବି କାଠି ଧରାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କରୋନା ପାଇଁ ଲକ୍ ଡାଉନ୍ । ଆଉ ଲକ୍ ଡାଉନ୍ ପାଇଁ ବିଭିନ୍ନ ସମସ୍ୟା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଥିବାର ଆଭାସ ମିଳିଲାଣି । ଲକ୍ ଡାଉନ୍ ହଟିଲେ ସ୍ୱାସ୍ଥ୍ୟ ସମସ୍ୟା ସହ ମାଡ଼ି ହୋଇପଡ଼ିବ ଆର୍ଥିକ ସମସ୍ୟା । ଯାହା ଲକ୍ ଡାଉନର ରାଜନୈତିକ ଲାଭାଂଶକୁ କ୍ଷତି ପହଞ୍ଚାଇବା ସମ୍ଭାବନା ଅଧିକ । ତେଣୁ ଏଭଳି ସ୍ଥିତିରେ ରାଜନୀତିରେ ମାହିର୍ ମୋଦି, ଠିକ୍ ସମୟରେ ପୋଡିଅମ୍ ଛାଡ଼ି ଦେଇଛନ୍ତି ।
ଏବେ ଆସନ୍ତୁ ନଜର ପକାଇବା, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଘୀୟ ଆଭିମୁଖ୍ୟ ଉପରେ । କରୋନା ମୁକାବିଲା ପାଇଁ ମାର୍ଚ୍ଚ 24 ତାରିଖରେ ସାରା ଦେଶରେ ତାଲା ପକାଇଲେ ମୋଦି । ପୁଣି ଏପ୍ରିଲ୍ 14ରେ ଘୋଷଣା କଲେ ଲକ୍ ଡାଉନ୍ 2.0, ଯାହା ମେ 3 ତାରିଖ ଯାଏଁ ଚାଲିଲା । ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା ବେଳେ ରାଜ୍ୟ ସରକାର ମାନଙ୍କ ସହ ସେତେଟା ଆଲୋଚନା କରି ନଥିଲେ ସେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂରେ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ । ପୁଣି ଏପ୍ରିଲ 27 ତାରିଖରେ ଆଉ ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ବସିଲେ । ଆଶା ଥିଲା, ଲକ୍ ଡାଉନ୍ ସଂପ୍ରସାରଣ ବାବଦରେ ପ୍ରଧାନମନ୍ତ୍ରୀ କିଛି ନିଷ୍ପତ୍ତି ଘୋଷଣା କରିବେ ବୋଲି । କିନ୍ତୁ ସେମିତି କିଛି ହେଲାନି ।
ବରଂ ରାଜ୍ୟ ସରକାର ମାନଙ୍କ ହାତରେ ରଙ୍ଗ ଓ ତୁଳୀ ଧରାଇ ଦେଲେ । କରୋନା ମହାମାରୀର ପ୍ରଭାବକୁ ଦେଖି ରାଜ୍ୟ ସରକାରମାନେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ନିର୍ଦ୍ଧାରଣ କରିବାର ଦାୟିତ୍ୱ ନ୍ୟସ୍ତ କରିଦେଲେ । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କରିବାକୁ ନା ନିଜେ ଆସିଲେ ମୋଦି ନା ତାଙ୍କ ଖାସ୍ ବିଶ୍ୱସ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ଜାରି ହେଲା ଲକ୍ ଡାଉନ୍ 3.0 । ଏସବୁକୁ ଅନୁଶୀଳନ କଲେ, ଜଣାପଡୁଛି ଯେ, ତାଲା ପକାଇବାରେ କ୍ରେଡିଟ୍ ରହିଛି, କିନ୍ତୁ ତାଲା ଖୋଲିବାରେ ନାହିଁ । ତାଲା ଖୋଲିବାରେ ରାଜନୈତିକ ମୂଲ୍ୟ ଦେବାର ସମ୍ଭାବନା ଅଧିକ ରହିଛି । ତେଣୁ ଯଥା ସମୟରେ ରାଜ୍ୟ ସରକାର ମାନଙ୍କ ହାତରେ ଚାବି କାଠି ଧରାଇ ଦେଇ ପୋଡିଅମ୍ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଇଣ୍ଡିଆ ଟୁଡେର ତଥ୍ୟ ଅନୁଯୟୀ 15 ଦିନ ତଳେ ଦେଶରେ ଦେଶରେ ହଟ୍ ସ୍ପଟ୍ ସଂଖ୍ୟା 170ରୁ 129କୁ ଖସିଥିଲା । କିନ୍ତୁ ଏପ୍ରିଲ 30 ବେଳକୁ ଗ୍ରୀନ୍ ଜୋନ୍ ସଂଖ୍ୟା 325ରୁ ଖସି 307କୁ ଆସିଥିଲା । ଯାହା ଦେଶରେ କରୋନାର ଭୟାବହତା ଚିତ୍ର ସ୍ପଷ୍ଟ କରୁଛି । ଅବଶ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ସହ 27 ତାରିଖ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ, ଜୋନ୍ ନିର୍ଦ୍ଧାରଣର ପରାମର୍ଶ ଦେଇ ଲକ୍ ଡାଉନ୍ କୋହଳର ସଙ୍କେତ ଛାଡ଼ିଥିଲେ । ଯାହା ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । କିନ୍ତୁ ପରିସ୍ଥିତିକୁ ଦେଖିଲେ, ବର୍ତ୍ତମାନ ତାଲା ଖୋଲିବ ଯିଏ, ରିସ୍କ ନେବ ସିଏ ।
(ସୌଜନ୍ୟ- ଦି ପ୍ରିଣ୍ଟ୍)